୩ ମାସ ପରେ ସଦର ବ୍ଲକ୍ ପ୍ରଶାସନ ଦେଲେ ବିଭ୍ରାନ୍ତକାରୀ ତଥ୍ୟ : ଅଭିଯୋଗ ପରେ ମଧ୍ୟ ଗୋଚର ଜମିରେ ନିର୍ମାଣ ଜାରୀ

୧୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୟାଳିଶମୌଜା :-> କଟକ ସଦର ୪୨ ମୌଜା ଥାନା ଅନ୍ତର୍ଗତ ପ୍ରତି ପଞ୍ଚାୟତର ଗ୍ରାମୀଣ ଦେବାଦେବୀ ପୀଠ ଗୁଡ଼ିକ ଉନ୍ନତିକରଣ ପାଇଁ ସରକାରୀ ଯୋଜନାରେ ପ୍ରତି ପଞ୍ଚାୟତକୁ ଏକ କୋଟି ଆର୍ଥିକ ଅନୁଦାନ ଯୋଜନାରେ ଶ୍ରୀରାମ ଗ୍ରାମର ଶ୍ରୀ ଭୀମେଶ୍ୱର ମନ୍ଦିର ଉନ୍ନତିକରଣ ପାଇଁ ୧୪ ଲକ୍ଷ ଅନୁଦାନ ମିଳିଥିଲା। ଏହି ଯୋଜନାରେ ଶ୍ରୀରାମ ଗ୍ରାମରେ କେତେକ ଖଳ ପ୍ରକୃତିର ଅମାନିଆ ଠିକାଦାର ଗୋଷ୍ଟି ସରକାରୀ ନିୟମ ଉଲଙ୍ଘନ କରି ମଠ ମନ୍ଦିର ନାମରେ ଦୂରରେ ଥିବା ସ୍ଥିତିବାନ ଜମି ପଟ୍ଟା ଦେଇ ଗୋଚରରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି କାର୍ଯ୍ୟଗୁଡ଼ିକର ସ୍ଥାୟୀତ୍ବ ଓ ଭବିଷ୍ୟତ ନେଇ ସାମାଜିକ ନ୍ୟାୟ କର୍ମୀ ବସନ୍ତ କୁମାର ପଣ୍ଡା ବ୍ଲକ୍ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସହିତ ଫେବୃୟାରୀ ମାସ ୨୯ ତାରିଖରେ ସୂଚନା ଅଧିକାର ଆଇନ ବଳରେ ମେମୋ ନଂ ୧୫୪୧ ଓ ୧୫୫୧ ରୁ ୧୫୫୪ ରେ ୫ ଟି ପ୍ରକଳ୍ପର ସମସ୍ତ ତଥ୍ୟ ପାଇଁ ଆବେଦନ କରିଥିଲେ।

ଦୀର୍ଘ ତିନି ମାସରେ ଗତ ମେ ମାସ ୨୯ ରେ ବ୍ଲକ୍ ପ୍ରଶାସନ ଏକ ରେଜିଷ୍ଟ୍ରି ଚିଠି ମାଧ୍ୟମରେ ମେମୋ ନଂ ୨୯୬୦ ରେ ୬ ପୃଷ୍ଟା ଲେଖିଥିବାବେଳେ ୫ ପୃଷ୍ଠା ବିଭ୍ରାନ୍ତ ମୂଳକ କେବଳ ୨ ଟି ଜମି ପଟ୍ଟା ପଠାଇଛନ୍ତି। ସେଥିରେ ଗୋଟିଏ ଠାକୁରଙ୍କ ନାମରେ ଥିବା ୧୧ ଡିସିମିଲ ସ୍ଥିତିବାନ ଜମି ପଟ୍ଟା ଦେଇଥିବାବେଳେ ଅନ୍ୟ ଗୋଟିଏ ସର୍ବସାଧାରଣ ଖାତାରେ ମନ୍ଦିର ତଥା ନିର୍ମାଣାଧୀନ କାର୍ଯ୍ୟଠାରୁ ୨୦୦ ମିଟର ଦୂରରେ ଥିବା ୯ ଡିସିମିଲ ଜବର ଦଖଲ ପଟ୍ଟା ଦେଇଛନ୍ତି। ମନ୍ଦିର ନବୀକରଣ ପାଇଁ ପୂର୍ବରୁ ୨ ଲକ୍ଷ ଆସି ମନ୍ଦିର ନିର୍ମାଣ ହୋଇଥିଲା। କୋଠଘର ପାଇଁ ୪୦ ହଜାର ଓ ପୁନଶ୍ଚ ୨ ଲକ୍ଷ କାର୍ଯ୍ୟ ହୋଇ ମନ୍ଦିର ଯାଗା ବାଦ୍ ପ୍ରାୟ ସାମନାରେ ଥିବା ଗୋଚରକୁ ୮ ଡିସିମିଲ ମାଡ଼ି କୋଠଘର, ରୋଷଘର ଓ ପାଚେରୀ ରହିଥିଲା।

ସୂଚନା ଯୋଗ୍ୟ ଯେ ଏହି ମନ୍ଦିର ସମ୍ମୁଖରେ ପ୍ରାୟ ୬ ଏକର ବିସ୍ତୃତ ଗୋଚର ଜମି ରହିଛି ଯାହାକୁ କିଛି ଲୋକ ବ୍ୟକ୍ତିଗତ ଜବରଦଖଲ କରିଥିବାବେଳେ ଏଠାରେ ପୂର୍ବରୁ ବିଭିନ୍ନ ଯାନିଯାତ୍ରା ଅନୁଷ୍ଠିତ ହେଉଥିଲା। ଏହି ଗୋଚର ମଧ୍ୟରେ କେବଳ ଗୋଟିଏ ପ୍ଲଟ ନମ୍ବର ୨୬୦ ରେ ୫ ଏକର ୮୦ ଡିସିମିଲ ଜମି ଥିବାବେଳେ ପାଖାପାଖି ଲାଗିକରି ପ୍ରାୟ ଆହୁରି ଏକ ଭଳି ଗୋଚର ଜମି ରହିଛି। କିନ୍ତୁ ନୂତନ ଅନୁଦାନ ରାଶିରେ ବିଭାଗୀୟ କାର୍ଯ୍ୟକୁ ସଂପୃକ୍ତ ଠିକାଦାରମାନେ ସମସ୍ତ ନିୟମ କାନୁନ ଉଲଂଘନ କରି ସମ୍ପୂର୍ଣ୍ଣ ଗୋଚର ଜମିରେ ଥିବା ଏକ ବୃହତାକାର ପୁରୁଣା ଚଉତରାରେ ବିସ୍ତୃତ ଅଟ୍ଟାଳିକା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି।

ଯେଉଁ ଚଉତରାକୁ ସଂକ୍ରିତ୍ତନ୍ ଓ ସଭା ସମିତି ପାଇଁ ଅତୀତରେ ଶ୍ରୀ ପଣ୍ଡା ନିର୍ମାଣ କରିଥିଲେ। ଏହି ବିଷୟରେ ସମସ୍ତ ବିବରଣୀ ବ୍ଲକ୍ ପ୍ରଶାସନକୁ ଅବଗତ କରାଯିବା ସହ ବେଣ୍ଟକାର ସର୍କଲ ଆର ଆଇ ରଞ୍ଜିତ ବେହେରାକୁ ଅବଗତ କରାଯାଇଛି। ନିର୍ବାଚନ ଆଚରଣ ବିଧି ଲାଗୁ ରହିଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକ ଦୃତ ଗତିରେ ନିର୍ମାଣ ଚାଲିଥିଲା। ଏହି ପ୍ରକଳ୍ପ ଗୁଡ଼ିକର ଭବିଷ୍ୟତ ଓ ସ୍ଥାୟୀତ୍ବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ରାଜସ୍ବ ବିଭାଗ କାର୍ଯ୍ୟଗୁଡ଼ିକ ଯାଞ୍ଚ କରି ପଦକ୍ଷେପ ନେବା ପାଇଁ ମାନସ କୁମାର ପଣ୍ଡା ଓ ଦେବାଶିଷ ଦୀକ୍ଷିତ ତଥା ୪୨ ମୌଜାବାସୀ ଦୃଢ଼ ଦାବୀ କରିଛନ୍ତି।

Exit mobile version