ତିନିରଥର ଚାରି ନାହାକା ଉଠିବା ପର୍ବ ସମ୍ପନ୍ନ

୧୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସକାଳ ଘ.୮.୦୦ ଟିକା ସମୟରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ରଥ ନିର୍ମାଣ ଅଗ୍ରଗତି

(ଗତକାଲି ସୁଦ୍ଧା ତିନି ରଥ ପାଞ୍ଚ ଦଣ୍ଡା ରେ ଆଗ ଆଣି,ପଛ ଆଣି ଗରଗରା ପଡ଼ି ଦଣ୍ଡା ଉଭୟ ପାର୍ଶ୍ଵରେ ଗୋଟିଏ ଗୋଟିଏ ପୋଲଗୟଳ ମୋଡା ଶେଷ ହୋଇଥିଲା)

ଅନୁକୂଳ ପୂଜା ପୂର୍ବକ ତିନିରଥର ଚାରି ନାହାକା ଉଠିବା ପର୍ବ ସମ୍ପନ୍ନ

ଆଜି ପୂର୍ବାହ୍ନରେ ତିନି ରଥର ମୁଖ୍ୟ ମହାରଣା ମାନେ ନଡ଼ିଆ ବାଡେଇ ଅନୁକୂଳ ପୂଜା ପୂର୍ବକ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ବରେ ଭୋଇ ସେବକଙ୍କ ଦ୍ଵାରା ଚାରି ନାହାକାକୁ ଗରଗରା ବିନ୍ଧରେ ସଂଯୋଗ କରି ଚାରି ନାହାକା ଉଠିବା ପର୍ବ ଶେଷ କରିଛନ୍ତି ।

ଏତଦ୍ ବ୍ୟତୀତ ଆଜି ତିନି ରଥର ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସାହୋଯୋଗରେ ପାର୍ଶ୍ଵ ଦଣ୍ଡା ମାନଙ୍କରେ ତିନୋଟି ଲେଖାଏଁ ଜଳଯନ୍ତ୍ର ଏବଂ ଦୁଇଟି ଲେଖାଏଁ କୋଣ ଗୁଜ ଖଞ୍ଜି ତା ଉପରେ ନିରାଡ଼ି ସଂଯୋଗ ଶେଷ କରିଛନ୍ତି ।

ଏଥିସହ ଆଜି ତିନି ରଥର ଦୁଇଟି ଲେଖାଏଁ ପାର୍ଶ୍ଵ ଗୟଳ ମୋଡା ଶେଷ ହୋଇଛି। ଏହି ପାର୍ଶ୍ଵ ଗୟଳ ପଛ ପାର୍ଶ୍ଵ କୋଣ ଗୁଜରୁ ସମ୍ମୁଖ ଭାଗ କୋଣ ଗୁଜ ସହ ସଂଯୋଗ ହୋଇଛି,ଗୟଳ କୁ ଟେକି ରଖିବା ପାଇଁ ମଝିରେ ପାଞ୍ଚ ଗୋଟି ଟାଣ ବା ଖମ୍ବୀ ସଂଯୋଗ ହୋଇ ଗୟଳ କୁ ଧନୁ ପରି ସେଟିଂ କରାଯାଇଛି ।

ତିନି ରଥର ଛନ୍ଦା ଗୟଳ ମୋଡା ବାକି ରହିଛି ।

*ରଥ ଚାଳି ଠାରେ ତିନି ରଥର ତିନୋଟି ଲେଖାଏଁ ଛନ୍ଦା ଗୟଳ ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।

*ରୂପକାର ସେବକ ମାନେ ତିନି ରଥର ନାଟଗୋଡ଼ ରେ ରାହୁ ରୂପ ଖୋଦେଇ ଜାରୀ ରଖିଛନ୍ତି ।

*ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନି ରଥ ର ନଦା କଣ୍ଟା ସକ ପୋଟଳ ବତା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

ତା୧୭.୬.୨୦୨୪,ସୋମବାର ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୩୮ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୮ *ତିନି ରଥ ଭୋଇ ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) ୧ ମୋଟ – ୨୦୨ ଜଣ

(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

Exit mobile version