ଶଳାଙ୍କୁ ଗୁଳି କରି ହତ୍ୟା କଲେ ଭିଣୋଇ

୧୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଶଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଭିଣୋଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଭାଲିଆଗଣି ଗାଁରେ। ମୃତକ ଶଳା ହେଲେ କୈଳାସ ନାୟକ । ରବିବାର ସକାଳୁ ଏ ବିଷୟରେ ଜଣାପଡ଼ିଛି । ଶିକାର କରିବାକୁ ଯାଇ ଭିଣୋଇଙ୍କ ବନ୍ଧୁକ ଗୁଳିରେ ଶଳା ଟଳିପଡ଼ିଥିବା ଜାଣିବାକୁ ମିଳିଛି ।

ସୂଚନାନୁଯାୟୀ, ଉଦୟ ନାୟକ, କୈଳାସ ନାୟକ ଓ ଗ୍ରାମର କିଛି ଯୁବକ ଶନିବାର ଶିକାର କରିବା ପାଇଁ ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ। ହଠାତ ସନ୍ଧ୍ୟାରେ ଗୁଳି ଶବ୍ଦ ଶୁଭିଥିଲା । ହେଲେ ଶିକାର ହୋଇ ନ ଥିଲେ କୌଣସି ପଶୁ କିମ୍ବା ପକ୍ଷୀ । ଭିଣୋଇ ଉଦୟଙ୍କ ଗୁଳିରେ ଟଳିପଡ଼ିଥିଲେ କୈଳାସ । ଗ୍ରାମର ଲୋକମାନେ ଗ୍ରାମ ପାଖ ଜଙ୍ଗଲରେ ପହଞ୍ଚି ଉକ୍ତ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦୟଙ୍କୁ ଗିରଫ କରିବା ସହିତ ଗୋଟିଏ ଦେଶୀ ବନ୍ଧୁକ ଜବତ କରିବା ସହ ଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଅନ୍ୟପକ୍ଷରେ ମୃତ କୈଳାସଙ୍କ ସ୍ତ୍ରୀ କହିଛନ୍ତି, କୈଳାସ ଓ ଉଦୟଙ୍କର ଆଗରୁ ଶତ୍ରୁତା ଥିଲା । ତେଣୁ ସେ ଜାଣି କି ଏପରି ଘଟଣା ଘଟାଇଥିବା କହିଛନ୍ତି କୈଳାସଙ୍କ ସ୍ତ୍ରୀ । ଏ ନେଇ ଏସ୍‌ଡିପିଓ ଅଶ୍ୱିନୀ ନାୟକ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି, ଦୁଇଜଣ ଶିକାରକୁ ଯାଇଥିଲେ କିନ୍ତୁ ଭିଣୋଇ ଉଦୟ ଶିକାର କରିବା ସମୟରେ କୈଳାସଙ୍କଠାରେ ଗୁଳି ବାଜିଯାଇଛି । ଯାହାଦ୍ୱାରା ଘଟଣାସ୍ଥଳରେ କୈଳାସଙ୍କ ମୃତ୍ୟୁ ଘଟିଛି । ଏ ନେଇ ମୋହନା ଥାନାରେ କେସ୍‌ ନଂ ୧୧୯/୨୪ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Exit mobile version