ତିନିରଥ ଅଖ ଉପରକୁ ଦଣ୍ଡା ଫ୍ରେମ ଉଠି କଣ୍ଟା ବାଡିଆ ଶେଷ

୧୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ସକାଳ ଘ.୮.୦୦ ଟିକା ରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି

(ଗତକାଲି ତିନି ରଥର ଦିଗ ନିର୍ଣ୍ଣୟ ପୂର୍ବକ ଚକ..ଅଖ ସେଟିଂ ବା ଚକ ଥାକ ଶେଷ ହୋଇ ତିନି ରଥର ଦଣ୍ଡା ଫ୍ରେମରେ ବିଭିନ୍ନ ଅଂଶ ସେଟିଂ କରାଯାଇ ନମ୍ବରିଂ ପରେ ଦଣ୍ଡା ଫ୍ରେମ ଖୋଲାଯାଇଥିଲା..)

ତିନିରଥ ଅଖ ଉପରକୁ ଦଣ୍ଡା ଫ୍ରେମ ଉଠି କଣ୍ଟା ବାଡିଆ ଶେଷ

ଆଜି ପୂର୍ବାହ୍ନରେ ତିନି ରଥ ମୁଖ୍ୟ ମହାରଣାଙ୍କ ଦ୍ଵାରା ଅନୁକୂଳ ପୁଜାପରେ ଦଣ୍ଡା ଗୁଡ଼ିକ ଅଖ ଉପରେ ସେଟିଂ ପାଇଁ ମାପ ଚିହ୍ନ ଦେବାପରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକ ମାନେ ତିନିରଥ ଅଖ ଉପରକୁ ଦଣ୍ଡା ଉଠାଇଥିଲେ, ଦଣ୍ଡା ପଡ଼ିଲା ପରେ ମହାରଣା ସେବକ ମାନେ ତିନି ରଥ ର ‘ଦଣ୍ଡା ଗୋଳେଇ’ କାର୍ଯ୍ୟ କରିଥିଲେ ।

(ଦଣ୍ଡା ଗୁଡିକରେ ଅର୍ଦ୍ଧ ଚନ୍ଦ୍ରାକାର ଖୋଦେଇ ବା କାପ କାର୍ଯ୍ୟ) ତିନି ରଥର ଦଂଡାକୁ ଅଖ ସହ ସେଟିଂ କରାଯାଇ ପାଞ୍ଚ ଦଣ୍ଡା ଆଗ ଓ ପଛରେ ମୁହାଁଟ ସଂଯୋଗ ହୋଇ ଆଗ ମୁହାଁଟ ରେ ପାଞ୍ଚୋଟି ସାଲ ଗୁଜ ଏବଂ ପଛ ମୁହାଁଟ ରେ ତିନୋଟି ଜଳଯନ୍ତ୍ର ଏବଂ ଦୁଇଟି ସାଲ ଗୁଜ ଉଠି ଗୁଜ ଉପରେ ବିରାଡ଼ି ପଡ଼ିଥିଲା କୁଡୁକା ସଂଯୋଗ ପରେ କତା ଦଉଡିରେ ଟାଣ ଦେଇ ବାନ୍ଧେଣି କରାଯାଇ ଥିଲା । ଏହାପରେ ଅନୁକୂଳ ପୂଜା ପୂର୍ବକ ଓଝା ସେବକ ମାନେ ମୁଖ୍ୟ ମହାରଣା, ମୁଖ୍ୟ ଭୋଇ ସେବକ ଙ୍କ ଉପସ୍ଥିତିରେ ତିନି ରଥ ଅଖ ଉପରେ ଦଣ୍ଡା ଫ୍ରେମ ମଜବୁତ ପାଇଁ କଣ୍ଟା ବାଡିଆ କାର୍ଯ୍ୟ ଶେଷ କରିଥିଲେ ।

*ଆସନ୍ତା କାଲି ତିନି ରଥରେ ଦୁଇଟି ଲେଖାଏଁ ଗରଗରା ଉଠି କଣ୍ଟା ପଡ଼ିବା କାର୍ଯ୍ୟ ସମ୍ପନ୍ନ ହେବ।

*ଆଜି ସୁଦ୍ଧା ତିନିରଥ ୯ଟି ଲେଖାଏଁ ଚଉଦ ନାହାକା ନିର୍ମାଣ ସହ ଚରିଗୋଟି ପୋଲ ଗୟଳ ର ଚଉପଟ କାର୍ଯ୍ୟ ଶେଷ ହୋଇଛି।

*ରୂପକାର ସେବକ ମାନେ ତିନି ରଥର ସିଂହାସନ ମୁହାଁଟି ରେ ଚିତ୍ର ଖୋଦେଇ ସହ ନାଟ ଗୋଡ଼ ରେ ରାହୁ ରୂପ ଖୋଦେଇ ଜାରୀ ରଖିଛନ୍ତି।

*ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଗୟଳ କଣ୍ଟା, ଯୋକା କଣ୍ଟା ଏବଂ ଚନାକ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ତା୧୫.୬.୨୦୨୪,ଶନିବାର ରଥଖଳା :

ରଥ ନିର୍ମାଣ କାର୍ଯ୍ୟ ୩୬ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୮ *ତିନି ରଥ ମହାରଣା ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) ୧ ମୋଟ – ୨୦୨ ଜଣ

(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

Exit mobile version