ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ନିକଟରୁ ସ୍ଥାନାନ୍ତର ହେବ ବିଦ୍ୟୁତ ଟ୍ରାନ୍ସଫର୍ମର

ଓଡିଶା ତାଜା ନ୍ୟୁଜ୍ (୦୬ ଅଗଷ୍ଟ ଗୁରୁବାର) ଭୁବନେଶ୍ୱର : – ଯାଜପୁର ଜିଲ୍ଲାରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ବିଦ୍ୟୁତ ଲାଇନ୍‌ ଓ ଟ୍ରାନ୍ସଫର୍ମରକୁ ତୁରନ୍ତ ସ୍ଥାନାନ୍ତର କରାଯିବ ବୋଲି ଗତ ଅଧିନ ବାତ୍ୟାରେ କ୍ଷତିଗ୍ରସ୍ତ ଯାଜପୁର ଜିଲ୍ଲାର ବିଦ୍ୟୁତ ସେବାକୁ ସ୍ୱାଭାବିକ କରବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଭର୍ଚୁଆଲ୍‌ ମାଧ୍ୟମରେ ସମୀକ୍ଷା କରି ଏହା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡ଼ିଶା ବଣ୍ଟନ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନା (ଓଡ଼ିଏମ୍‌ଏସ୍‌ ପି) ସ୍କିମ୍‌ ଅଧିନରେ ୭ଟି ୩୩ କେଭି ସବ୍‌ଷ୍ଟେସନ୍‌କୁ କାର୍ଯ୍ୟକ୍ଷମ କରାଯାଇଛି । ବାକି ଥିବା ୧୧ଟି ସବ୍‌ଷ୍ଟେସନ୍‌କୁ ତୁରନ୍ତ ଚାଲୁ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ହାତକୁ ନେବାକୁ ସେ ଓ ପିଟିସିଏଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିଗ୍ରସ୍ତ ଲାଇନ୍‌ ସଜାଡ଼ିବା ଓ ମରାମତି କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର କରାଯାଇ ମଞ୍ଜୁର ଅର୍ଥରୁ ଲାଇନ୍‌ ସୁଦୃଢ଼ୀକରଣ ଓ ଓହଳି ପଡ଼ିଥିବା ତାରଗୁଡ଼ିକୁ ସଜାଡ଼ିବା କାମରେ କିଛି ଅର୍ଥ ବ୍ୟୟ କରାଯାଉ ବୋଲି ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ପ୍ରସ୍ତାବ ରଖିଥିଲେ । ସେହିପରି ଯାଜପୁର ଟାଉନ୍‌ ନିକଟସ୍ଥ ବୁଢ଼ାଘାଟ, କମଲ ପୁର ଓ ମାର୍କଣ୍ଡ ପୁରରେ ଭୋଲଟେଜ୍‌ରେ ଉନ୍ନତି ଆଣିବା ପାଇଁ ଅନ୍ୟ କେଉଁ ସ୍କିମ୍‌ରୁ ଆଉ ଏକ ୩୩/୧୧ କେଭି ସବ୍‌ଷ୍ଟେସନ୍‌ ପ୍ରତିଷ୍ଠା ପାଇଁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ତେବେ ଦିଆଯାଇଥିବା ପ୍ରସ୍ତାବକୁ କି ପରି କାର୍ଯ୍ୟକାରୀ କରାଯାଇପାରିବ ତାହା ଅନୁଧ୍ୟାନ କରି ତତ୍କାଳ ପଦକ୍ଷେପ ନେବାକୁ ନେସ୍‌କୋକୁ କୁହାଯାଇଛି । ତା’ଛଡ଼ା ଯାଜପୁର ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରି ହାତୀ କରିଡୋର୍‌ ଗୁଡ଼ିକର ବିଦ୍ୟୁତ ଲାଇନ୍‌ କାର୍ଯ୍ୟକୁ ସୁଦୃଢ଼ କରି ଚତୁର୍ଥ ଚରଣର କାର୍ଯ୍ୟକୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସାରିବାକୁ ସେ ପରାମର୍ଶ ଦେଇଥିଲେ । ସେହିପରି ଯେଉଁ ସବୁ ବିଦ୍ୟାଳୟ/ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ନିକଟରେ ବିଦ୍ୟୁତ ଲାଇନ୍‌ ଅଥବା ସବ୍‌ଷ୍ଟେସନ୍‌ ରହିଛି ସେସବୁ ସ୍ଥାନାନ୍ତର କରିବାକୁ ଡିସେମ୍ଵର ଶେଷ ଯାଏଁ ସମୟ ଦିଆଯାଇଛି । ଜିଲ୍ଲାରେ ସୌଭାଗ୍ୟ ସ୍କିମ୍‌ରେ ୧୧୯୦ଟି ଗ୍ରାମର ୫୮୧୨୯ଟି ଗୃହକୁ ବିଦ୍ୟୁତ ସଂଯୋଗ ଦିଆ ଯାଇଥିବା ବେଳେ ୪୯୧ଟି ଗ୍ରାମରେ ବିଦ୍ୟୁତ ଭିତ୍ତିଭୂମି କାର୍ଯ୍ୟ କରାଯାଇଛି ବୋଲି ସମୀକ୍ଷାରୁ ଜଣାପଡ଼ିଛି । ଏହି ଭର୍ଚୁଆଲ୍‌ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଅଧ୍ୟକ୍ଷ ଓ ପିଟିସିଏଲ୍‌/ଗ୍ରୀଡ୍‌କୋ ଡ. ସୌରଭ ଗର୍ଗ ଏବଂ ନେସ୍‌କୋ, ଓ ପିଟିସିଏଲ୍‌, ପିଜିସିଆଇଏଲ୍‌ର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ଶକ୍ତିମନ୍ତ୍ରୀ ଅହ୍ୱାନରେ ରେକର୍ଡ ସମୟରେ ଲାଇନ୍‌ ମରାମତି କରି ସେବା ଯୋଗାଇ ଥିବା ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ ।

Exit mobile version