ଆସୁଛି ରଜ : ରଜରେ ସଜବାଜ ହେବା ପାଇଁ ଯୁବତୀମାନେ ଅପେକ୍ଷା କରି ରହିଥାନ୍ତି…

୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଭୁବନେଶ୍ୱର :->  ଆସୁଛି ରଜ । ଏଥିପାଇଁ ରାଜଧାନୀର ରଜ ବଜାର ସରଗରମ । ପ୍ରବଳ ଖରା ଗୁଳୁଗୁଳି ଦିନବେଳା ବେପାରକୁ କିଛି ମାତ୍ରାରେ ପ୍ରଭାବିତ କରିଥିବା ବେଳେ ରାତିରେ ବେପାର ଜମୁଛି । ସଂଧ୍ୟା ହେଲେ ମାର୍କେଟ୍‌ ବିଲ୍ଡିଂ ଠାରୁ ଜନପଥ ଯାଏ, ସବୁଠି ଅସମ୍ଭାଳ ଭିଡ଼ ଦେଖାଯାଉଛି ।

କିଏ ନିଜ ମନ ପସନ୍ଦର ପୋଷାକ କିଣୁଛି ତ’ କିଏ ପୋଷାକ ସହ ମ୍ୟାଚ୍‌ କରୁଥିବା କାନ ଫୁଲ, ଚୁଡ଼ି, ଅଳଙ୍କାର ଓ ଜୋତା, ବ୍ୟାଗ୍‌ ବାଛି ନେଉଛି । ବେପାରୀ ବି ଅଫର ଦେଇ ଗ୍ରାହକଙ୍କୁ ଟାଣି ଆଣୁଛନ୍ତି । ତେବେ କେବଳ ଅଫ୍‌ଲାଇନ୍‌ ନୁହେଁ, ବରଂ ଅନ୍‌ଲାଇନ୍‌ରେ ମଧ୍ୟ ବେପାର ଜମିଛି । ବିଭିନ୍ନ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରେ ଅଫର୍‌ ଘରେ ବସି ଅର୍ଡର କରିବାକୁ ଅନେକ ଗ୍ରାହକଙ୍କୁ ଉତ୍ସାହିତ କରୁଛି ।

ବିଶେଷକରି ରଜ ସମୟରେ ମାଟିରେ ପାଦ ନ ଦେବା ପରମ୍ପରା ଥିବାରୁ ପୋଷାକ ସହ ଚପଲରେ ଅନେକଙ୍କର ଆଗ୍ରହ ରହିଥିବା ଦେଖାଯାଇଛି । ରଜରେ ସଜବାଜ ହେବା ପାଇଁ ଯୁବତୀମାନେ ଅପେକ୍ଷା କରି ରହିଥାନ୍ତି । ଏହି ସଜବାଜ ଆଗ୍ରହକୁ ଲକ୍ଷ୍ୟ କରି ବ୍ୟବସାୟୀ ବି ମାତି ଯାଇଛନ୍ତି । ବିଭିନ୍ନ ମଲ୍‌, ମାର୍କେଟ୍‌ ବିଲ୍ଡିଂ, ବିଉଟି ପାର୍ଲରରେ ମେହେନ୍ଦି ପାଇଁ ଅଗ୍ରୀମ ବୁକିଂ ଆରମ୍ଭ ହୋଇଯାଇଛି ।

ଆର୍ଟିଷ୍ଟ ଘରକୁ ଯାଇ ମେହେନ୍ଦି କଲେ ହାତ ପିଛା ୫ଶହ ଟଙ୍କା ରହିଥିବା ବେଳେ ପାର୍ଲରକୁ ଆସି ମେହେନ୍ଦି କଲେ ଦର ହାତ ପିଛା ଶହେ ଟଙ୍କା ରହିଛି । ବିଏମସି କେଶରୀ ମଲ୍‌ରେ ଥିବା ବ୍ୟବସାୟୀଙ୍କ ପକ୍ଷରୁ ଗତ ଦୁଇ ଦିନ ଧରି ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ରୢାମ୍ପ ସୋ ଆୟୋଜିତ ହୋଇଥିଲା ।

ସେହିପରି ରଜକୁ ଆଉ ମାତ୍ର ୫ ଦିନ ରହିଥିବାରୁ ପ୍ରତ୍ୟେକ ଦୋକାନରେ ଯୁବତୀ ଓ ମହିଳାମାନେ ଭିଡ଼ ଜମାଇଥିଲେ । ଦୁଇ ଶହ ଟଙ୍କାର କୁର୍ତ୍ତିରୁ ଆରମ୍ଭ କରି ଦଶ ହଜାର ଟଙ୍କାର ଲେହେଙ୍ଗା ଓ ଦାମୀ ଶାଢ଼ିର ବିକ୍ରି ହୋଇଥିଲା ।

ମାର୍କେଟବିଲ୍ଡିଂର ବ୍ୟବସାୟୀ ରୋଶନ ସାହୁଙ୍କ କହିବା ଅନୁଯାୟୀ ଗତ ବର୍ଷ ତୁଳନା ଚଳିତ ବର୍ଷ ଭଲ ବ୍ୟବସାୟ ହେଉଛି । ଅନଲାଇନରେ ଅର୍ଡର ଦେଲେ ପ୍ରାୟ ଡ୍ରେସ୍‌ର ଡିଜାଇନ ସମାନ ଆସୁଥିବାରୁ ଯୁବପିଢ଼ି ପୁଣି ବଜାର ମୁହାଁ ହୋଇଛନ୍ତି ।

Exit mobile version