୧୨ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି ।
୧୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଧାନସଭା ନିର୍ବାଚନରେ ଓଡ଼ିଶାରେ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେପି ସରକାର ଗଠନ କରିବାକୁ ଯାଉଛି । କୁହାଯାଉଥିଲା ଜୁନ୍ ୧୦ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଛି । ଏବେ ୧୨ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟ କାର୍ଯ୍ୟାଳୟରେ ଶପଥ ଗ୍ରହଣ ପ୍ରସ୍ତୁତି ବୈଠକ ପରେ ତାରିଖ ଘୋଷଣା କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଧାୟକଙ୍କ ଶପଥ ଗ୍ରହଣ ପାଇଁ ଜୁନ୍ ୧୦ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଏବେ ଏଥିରେ ପରିବର୍ତ୍ତନ ହୋଇଛି । ରାଜ୍ୟ କାର୍ଯ୍ୟାଳୟରେ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ବୈଠକ ଚାଲିଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ । ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି ।
ଅନ୍ୟପକ୍ଷରେ ଏହି ରେସ୍ରେ ସୁରେଶ ପୂଜାରୀ, ମନମୋହନ ସାମଲ, ମୋହନ ମାଝି, କେ.ଭି ସିଂଦେଓ ଆଗରେ ରହିଛନ୍ତି । ତେବେ ସୋମବାର ସକାଳେ ଭାଜପା ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ଏହା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ମୋହର ଲାଗିବ । ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀଙ୍କ ସମେତ, ଅପରାଜିତା ଷଡଙ୍ଗୀଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ଉଠି ପାରିନାହିଁ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ତଦାରଖ ପାଇଁ ଭୁବନେଶ୍ୱରରେ ଦୁଇ ବରିଷ୍ଠ ନେତା ଆସିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟପ୍ରଦେଶର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିଶ୍ୱାସ କୈଳାଶ ସାରଙ୍ଗ ଏବଂ ମଧ୍ୟପ୍ରଦେଶ ବିଜେପିର ପୂର୍ବତନ ସଂଗଠନ ମନ୍ତ୍ରୀ ଆଶୁତୋଷ ତିୱାରୀ ପହଞ୍ଚିଛନ୍ତି ।
ଶପଥ ଗ୍ରହଣ କାର୍ଯ୍ୟକ୍ରମର ତଦାରଖ କରିବେ ଏହି ଦୁଇ ବରିଷ୍ଠ ନେତା । ଭୁବନେଶ୍ୱରରେ ରହି କାର୍ଯ୍ୟକ୍ରମ ପରିଚାଳନା କରିବାକୁ ଏହି ଦୁଇ ନେତା ଆସିଛନ୍ତି । ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଜାରି ରହିଛି । ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ଜନତା ମୈଦାନରେ ଏସପିଜି ଟିମ ସମେତ ଜଣେ ଡିଆଇଜି ରାଙ୍କର ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ, ଗୁଇନ୍ଦା ନିର୍ଦ୍ଦେଶକ, ପୁଲିସ୍ କମିସନର ଓ ଭୁବନେଶ୍ୱର ଡିସିପି ଉପସ୍ଥିତି ରହି ତନ୍ନତନ୍ନ ଯାଞ୍ଚ କରିଛନ୍ତି । କଡାସୁରକ୍ଷା ବଳୟ ଭିତରେ ଭୁବନେଶ୍ୱର ଥିବା ପୋଲିସ ଡିଜି କହିଛନ୍ତି । ବିମାନବନ୍ଦର, ପାର୍ଟି ଅଫିସ, ଭିଭିଆଇପିଙ୍କ ରହଣି ସ୍ଥଳୀ ଓ ଉତ୍ସବସ୍ଥଳ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାସହ ଟ୍ରାଫିକ୍ ଓ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ ।
