ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ସେବା ଜାରି ରହିଥିବା ସଂପର୍କରେ : ମୁଖ୍ୟ ଶାସନ ସଚିବ – ଶ୍ରୀ ପ୍ରଦୀପ କୁମାର ଜେନା ସୂଚନା

୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ସେବା ଜାରି ରହିଥିବା ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସୂଚନା ପ୍ରଦାନ କରିଛନ୍ତି । ଆଜି ଏ ସଂପର୍କରେ ଏକ ଭିଡିଓ ବାର୍ତ୍ତାରେ  ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ  ସୂଚନା ପ୍ରଦାନ କରି  ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟରେ ପ୍ରଚଳିତ ହେଉଥିବା ଏହି ଯୋଜନା ଅନ୍ତର୍ଗତ ବିଏସ୍‌କେୱାଇ କାର୍ଡଧାରୀମାନଙ୍କୁ ବିଭିନ୍ନ ଏମ୍‌ପାନେଲଡ (ତାଲିକାଭୁକ୍ତ) ଡାକ୍ତରଖାନାଗୁଡିକରେ ଚିକିତ୍ସାରେ ଅବହେଳା ସଂପର୍କରେ ଗତକାଲି (ବୁଧବାର) କିଛି ତଥ୍ୟ ଗଣ ମାଧ୍ୟମ ତଥା ସୋସିଆଲ୍‌ ମିଡିଆରେ ପ୍ରକାଶ ପାଇଥିଲା । ତାକୁ ନେଇ ଅନେକ ଉଦ୍‌ବେଗ  ସୃଷ୍ଟି ହୋଇଛି । ଏ ସଂପର୍କରେ ରାଜ୍ୟ ସରକାରଙ୍କ ତରଫରୁ ଜନସାଧାରଣଙ୍କୁ ତଥା ସମସ୍ତ ବିଏସ୍‌କେୱାଇ କାର୍ଡଧାରୀ ପରିବାରମାନଙ୍କ ଅବଗତି ନିମନ୍ତେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବିଏସ୍‌କେୱାଇ ରାଜ୍ୟ ସରକାରଙ୍କ ଏକ ପ୍ରଚଳିତ ଯୋଜନା,  ଯାହା ବର୍ତ୍ତମାନ ଚାଲୁ ରହିଛି ।

ଏହି ଯୋଜନାରେ ସମସ୍ତ ଏମ୍‌ପାନେଲ୍‌ଡ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀ ଚିକିତ୍ସା ଅବ୍ୟାହତ ରହିଛି । ବିଏସ୍‌କେୱାଇ ରେଜିଷ୍ଟ୍ରୀଭୁକ୍ତ ଡାକ୍ତରଖାନା କୌଣସି ରୋଗୀଙ୍କୁ ଚିକିତ୍ସା  କରିବାରେ ଅବହେଳା କରିପାରିବେ ନାହିଁ ବା ରୋଗୀଙ୍କୁ ଚିକିତ୍ସା ଅବଧି ପୂର୍ବରୁ ତାଙ୍କୁ ହସ୍ପିଟାଲରୁ  ଡିସଚାର୍ଜ କରିପାରିବେ ନାହିଁ । ବିଏସ୍‌କେୱାଇ ଯୋଜନା ବର୍ତ୍ତମାନ ପ୍ରଚଳିତ ରହିଛି ଏବଂ ଯେ ପର୍ଯ୍ୟନ୍ତ ନୂତନ ସରକାର ଏ ସଂପର୍କରେ କୌଣସି  ନିଷ୍ପତ୍ତି ନ ନେଇଛନ୍ତି, ଏ କାର୍ଯ୍ୟକ୍ରମ ଜାରି ରହିବ । ତେଣୁ ସେ  ଜନସାଧାରଣଙ୍କୁ ଆଶ୍ୱାସନା ଦେଇ ସେ  କହିଛନ୍ତି ଯେ, ବିଏସ୍‌କେୱାଇ କାର୍ଡଧାରୀ ସମସ୍ତ  ରୋଗୀମାନଙ୍କର ଚିକିତ୍ସାରେ କୌଣସି ହସ୍‌ପିଟାଲ୍‌ ଅସୁବିଧା ସୃଷ୍ଟି  କରିବେ ନାହିଁ । ଯଦି କୌଣସି ହସ୍ପିଟାଲ୍ ଏହିଥିରେ ସହଯୋଗ ନ କରନ୍ତି  ବା ଅସୁବିଧା ସୃଷ୍ଟି କରନ୍ତି, ତାହାଲେ  ସ୍ୱାସ୍ଥ୍ୟ ବିଭାଗର ହେଲ୍‌ପ୍‌ଲାଇନ୍‌  ଟେଲିଫୋନ୍ ନମ୍ବର-୧୦୪ ରେ ଯୋଗାଯୋଗ କରିବାକୁ ସେ କହିଛନ୍ତି ।  ରାଜ୍ୟ ସରକାର ସମ୍ପୃକ୍ତ ହସ୍ପିଟାଲ  କର୍ତ୍ତୃପକ୍ଷଙ୍କୁ ଏ ସଂପର୍କରେ ଜଣାଇ ସମସ୍ତ କାର୍ଯ୍ୟକ୍ରମ ଗ୍ରହଣ କରିବେ  ।

ଯଦି କୌଣସି କ୍ଷେତ୍ରରେ  ହସ୍‌ପିଟାଲ୍‌ ଏଥିରେ ଅବହେଳା କରନ୍ତି, ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ବିଏସ୍‌କେୱାଇ ଯୋଜନା ବର୍ତ୍ତମାନ ଚାଲିଛି ।  ଯଦି ନୂତନ ସରକାର ଅନ୍ୟ କୌଣସି କାର୍ଯ୍ୟକ୍ରମ ଆରମ୍ଭ କରିବାର ନିଷ୍ପତ୍ତି ନେବେ, ତାହାଲେ ରୋଗୀମାନଙ୍କୁ ନୂତନ ବ୍ୟବସ୍ଥାରେ ପର୍ଯ୍ୟପ୍ତ ସୁବିଧା ମିଳିବା ପର୍ଯ୍ୟନ୍ତ, ଏହି ଟ୍ରାନଜିସନ  ଫେଜରେ ବିଏସ୍‌କେୱାଇ ରୋଗୀମାନଙ୍କୁ ଚିକିତ୍ସାର ସୁବିଧା ଦିଆଯିବ । ତେଣୁ ଜନସାଧାରଣଙ୍କ ମନରେ କୌଣସି ପ୍ରକାର ଆଶଙ୍କା ହେବାକଥା ନୁହେଁ, ଯେ କୌଣସି   ବିକଳ୍ପ ସ୍ୱାସ୍ଥ୍ୟ ଯୋଜନା ନହେବା ପୂର୍ବରୁ ବିଏସ୍‌କେୱାଇ ଯୋଜନାକୁ ବନ୍ଦ କରି  ଦିଆଯାଉଛି । ଯଦି ଜନସାଧାରଣ ଏହି ଯୋଜନାରେ ଚିକିତ୍ସା ନେଇ କୌଣସି ଅସୁବିଧା ଦେଖନ୍ତି, ବିଏସ୍‌କେୱାଇ କାର୍ଡକୁ କୌଣସି ଡାକ୍ତରଖାନା ମାନନ୍ତି ନାହିଁ ବା ଅମାନ୍ୟ କରନ୍ତି ବା ରୋଗୀ ଚିକିତ୍ସାରେ ଅବହେଳା କରନ୍ତି, ତାହାଲେ ସ୍ୱାସ୍ଥ୍ୟ ବିଭାଗର ହେଲ୍ପଲାଇନ୍‌ରେ ଜଣାଇବା ପାଇଁ ସେ  ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Exit mobile version