ପେଡି ବାନ୍ଧିଲେ ସୁରେଶ ମହାପାତ୍ର ଓ ଆର ବାଲକ୍ରିଷ୍ଣନ

୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଭୁବନେଶ୍ୱର :-> ଚଳିତ ସାଧାରଣ ନିର୍ବାଚନରେ ବିଜେଡି ହାରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକ ୫ ତାରିଖରେ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ଏବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ଅନେକ ବରିଷ୍ଠ ଅଫିସର ଇସ୍ତଫା ଦେବା ଆରମ୍ଭ କରିଛନ୍ତି । କେତେକଙ୍କ କାର୍ଯ୍ୟକାଳ ଅତିବେଶୀରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ସହ ସମାନ ଥିବାରୁ ସେମାନେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ଭାବେ ଗତ ନଭେମ୍ବର ମାସରେ ନିଯୁକ୍ତି ପାଇଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ସେ ବୁଧବାର ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାକୁ ସାଧାରଣ ପ୍ରଶାସନ ବିଭାଗ ଗ୍ରହଣ କରିନେଇଛି । ସେହିଭଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ଆର. ବାଲକ୍ରିଷ୍ଣନ୍ ମଧ୍ୟ ଇସ୍ତଫା ଦେଇଛନ୍ତି । ସୁରେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ହେବା ପରେ ଆର ବାଲକ୍ରିଷ୍ଣନଙ୍କୁ ସ୍ୱତନ୍ତ୍ର ଉପକ୍ରମ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ବାଲକ୍ରିଷ୍ଣନଙ୍କୁ ମୁଖ୍ୟ ସଚିବ ପାହ୍ୟାରେ ନିଯୁକ୍ତି ମିଳିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏଭଳି କିଛି ଉଚ୍ଚ ପାହ୍ୟାରେ ନିଯୁକ୍ତ ହେଉଥିବା ବ୍ୟକ୍ତିଙ୍କୁ ସାଧାରଣତଃ ସରକାରଙ୍କ ଅନ୍ୟାଦେଶ ପର୍ଯ୍ୟନ୍ତ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ନିଯୁକ୍ତି ମିଳିଥାଏ । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟକୁ ଦେଖିଲେ କେବଳ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏବେ ପ୍ରାୟ ୨୦ ଜଣ ଅବସରପ୍ରାପ୍ତ କର୍ମଚାରୀ ବିଭିନ୍ନ ସ୍ତରରେ କାମ କରୁଛନ୍ତି । ନୂଆ ସରକାର ଆସିବା ପରେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଆସିବାକୁ ଯାଉଥିବାରୁ ଏଭଳି ଇସ୍ତଫାର ଧାରା ଅଧିକ ଲମ୍ବିପାରେ ବୋଲି ଆଲୋଚନା ହେଉଛି ।

 

Exit mobile version