ଅବହେଳିତ ଆଦିବାସୀ ଅଧୁଷିତ ନୂଆଗଡ ବ୍ଲକର ନଦୀମୁଠା ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ବିକାଶ ପାଲଟିଛି ସାତସପନ

୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :->  ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅଧୀନରେ ବନ ପାହାଡ଼ ଘେରା ଆଦିବାସୀ ଅଧୁଷିତ ଦୁର୍ଗମ ଉପାନ୍ତ ନଦୀମୁଠା ଅଞ୍ଚଳ ଏବେ ଅବହେଳିତ ହୋଇ ରହିଛି। ବିକାଶ ଏମାନଙ୍କ ପାଇଁ ସାତସପନ ପାଲଟିଛି. ସମସ୍ତ ପ୍ରକାର ଜରୁରୀ ପରିସ୍ଥିତି ବେଳେ ଏହି ଅଞ୍ଚଳବାସୀ ଅକଥନୀୟ ଦୁଃଖ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ କରିଛନ୍ତି. ଏହି ଅଞ୍ଚଳରେ ଅନେକ ସ୍ଥାନରେ ମୋବାଇଲ୍ ଟାଓ୍ବାର ସ୍ଥାପନ କରାଯାଇଛି। ହେଲେ ସେଗୁଡିକ କାର୍ଯ୍ୟକ୍ଷମ କରୁନାହିଁ. ବସବାସ କରୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ବାରମ୍ବାର ପ୍ରଶାସନ ନିକଟରେ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ କରିବା ନିମନ୍ତେ ଦାବି କରି ଆସୁଥୁଲେ ମଧ୍ୟ ପ୍ରଶାସନ କଣ୍ଠପାତ କରୁନଥୁବା ଅଭିଯୋଗ ହେଉଛି ।

ଫଳରେ ଅଞ୍ଚଳବାସୀ ଜରୁରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଜରୁରୀ ପରିସ୍ଥିତିରେ ପୁଲିସ ଅଗ୍ନିଶମ ବିଭାଗ କିମ୍ବା ଆମ୍ବୁଲାନ୍ସ ସେବା ପାଇବାକୁ ହେଲେ ଯୋଗାଯୋଗ କଲେ ମଧ୍ୟ ତାହା ସମ୍ଭବ ହେଉନାହିଁ । ଅଧିକାଂଶ କାର୍ଯ୍ୟ ଅନଲାଇନ୍ ମାଧ୍ୟମରେ ହେଉଥିବା ବେଳେ ସାଧାରଣତଃ ଲୋକେ ବହୁଳ ଭାବେ ମୋବାଇଲ୍ ବ୍ୟବହାର କରୁଛନ୍ତି । ଏହି ଆଦିବାସୀ ଅଧୁଷିତ ଦୁର୍ଗମ ଉପାନ୍ତ ଅଞ୍ଚଳରେ ଅନେକ ସ୍ଥାନରେ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି କିନ୍ତୁ, କାର୍ଯ୍ୟକ୍ଷମ ହେଉନଥିବାରୁ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢ଼ିଛି ।

ନଦୀମୁଠା ଅଞ୍ଚଳ ପାହାଡ଼ ଘେରା ମଧ୍ୟରେ ଥିବାରୁ ଜନ ପ୍ରତିନିଧ୍ଵ ଓ ପ୍ରଶାସନିକ ଅଧୁକାରୀଙ୍କ ଦୃଷ୍ଟି ଆଢୁଆଳରେ ରହି ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ହୋଇପାରୁନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଯଥା ଶୀଘ୍ର ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଅଭିଯୋଗ ହେଉଛି । ସ୍ୱାଧୀନତାର ୭୫ ବର୍ଷ ପରେ ସୁଦ୍ଧା ନୂଆଗଡ ବ୍ଲକର ନଦୀ ମୁଠା ଗ୍ରାମାଞ୍ଚଳ ବିକାଶ ଠାରୁ ବହୁ ଦୂରରେ ଚିର ଅବହେଳିତ ଅବସ୍ଥାରେ ରହି ଆସିଛି .

ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ଆଦି ସବୁ କ୍ଷେତ୍ରରେ ପଛୁଆ ହୋଇ ରହିଛି ଏହି ଅଞ୍ଚଳ. ଜନ ପ୍ରତିନିଧି କିମ୍ବା ପ୍ରଶାସନ ଏଠାକାର ସମସ୍ୟା ଜାଣି ସୁଦ୍ଧା ନ ଜାଣିଲା ପରି ଚୁପ ରହୁଥିବା ଯୋଗୁଁ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି. ତୁରନ୍ତ ସରକାର ଓ ପ୍ରଶାସନ ନଦୀମୁଠା ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

Exit mobile version