★ ନାହିଁ ଆବଶ୍ୟକ ପରିମାଣର ବଗି
★ ବାରମ୍ବାର ଖରାପ ହେଉଛି ଇଂଜିନ୍
୨୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ଠାରୁ ଭୁବନେଶ୍ୱର, ପୁରୀ ଓ ଭଦ୍ରକ କୁ ଗଡିଛି ରେଳ । ଏଥିପାଇଁ ଦଶପଲ୍ଲା ବାସୀ ଖୁବ୍ ଆନନ୍ଦିତ । କାରଣ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁଛନ୍ତି ଯାତ୍ରୀ । ହେଲେ ବେଳେବେଳେ ରେଳଯାତ୍ରୀ ଭୋଗୁଛନ୍ତି ଅକଥନୀୟ ଦୁର୍ଦ୍ଦଶା । ଦଶପଲ୍ଲାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ମେମୁ ଟ୍ରେନ୍ରେ ଆବଶ୍ୟକ ପରିମାଣର ଯାତ୍ରୀବାହୀ ବଗି ନ ଥିବାରୁ ଶହଶହ ଯାତ୍ରୀ ଠିଆହୋଇ ଦଶପଲ୍ଲା ରୁ ଭୁବନେଶ୍ୱର ଯାତ୍ରା କରୁଛନ୍ତି ।
ନୂଆଗାଁ, ମହିପୁର ଓ ନୟାଗଡ଼ ଠାରୁ ଆହୁରି ଅଧିକ ଯାତ୍ରୀ ଟ୍ରେନ୍ ରେ ଚଢୁଥିବା ବେଳେ ଖୁନ୍ଦାପେଲା ହୋଇ ଯାତ୍ରୀମାନେ ରେଳଯାତ୍ରା କରୁଥିବା ଦେଖିବାକୁ ମିଳୁଛି । ତା ସହିତ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦଶପଲ୍ଲା ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମେମୁ ଟ୍ରେନ୍ ବାରମ୍ବାର ଅଧା ବାଟରେ ଅଟକି ରହୁଛି । ଯାହାକୁ ନେଇ ଯାତ୍ରୀମାନଙ୍କୁ ନାନା ସମସ୍ୟା ଭୋଗିବାକୁ ପଡୁଛି ।
କିଛି ଯାତ୍ରୀଙ୍କ କହିବା ଅନୁଯାୟୀ, ଏହି ଟ୍ରେନଟି ବିଭିନ୍ନ ସମୟରେ ଯାନ୍ତ୍ରିକ ତ୍ରୁଟି ହେତୁ ବିଳମ୍ବ ହେଉଛି। ପୁରୁଣା ଇଞ୍ଜିନ ଯୋଗୁଁ ଏଭଳି ସମସ୍ୟା ଉପୁଜୁଥିବା ବେଳେ ଏଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଯାତ୍ରୀ ଓ ବିଭିନ୍ନ ସଂଗଠନ ମାନେ ଦାବି କରିଛନ୍ତି ।