ରଥ ନିର୍ମାଣର ଦ୍ବାଦଶ ଦିବସରେ ତିନି ରଥର ଜନ୍ତାଗାଡ ପ୍ରସ୍ତୁତ

୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ଆଜି ରଥ ନିର୍ମାଣର ଦ୍ବାଦଶ ଦିବସ  ସକାଳ ଘ.୮.୦୦ ଟିକା ରେ ତିନି ରଥର ନିର୍ମାଣ କରି ସେବକ ମାନେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ତିନି ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ମାର୍ଗଦର୍ଶନରେ ଅନୁକୂଳ ପୁଜାଠା କାର୍ଯ୍ୟ ଆରମ୍ଭ କରିଥିଲେ।ଆଜି ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ମହାପ୍ରଭୁ ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ ପରମ୍ପରା ପ୍ରକାରେ ରଥ ଖଳା ଠାରେ ତିନି ରଥର ଗୁଜ, ଅର, ତୁମ୍ବରେ ଆର ସଂଯୋଗ ଅନୁକୂଳ ପୂଜା ବିଧି ମତେ ପାଳିତ ହୋଇଅଛି, ଏଥିସହ ମା ଚର୍ଚ୍ଚିକା ଙ୍କୁ ପୂଜାର୍ଚ୍ଚନା ପୂର୍ବକ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ତତ୍ତ୍ୱାବଧାନରେ ତିନି ରଥର ଭୋଇ ସେବକ ମାନେ ଆଜି ଜନ୍ତାଗାଡ ପ୍ରସ୍ତୁତ କରିଛନ୍ତି।ପୂର୍ବ ଦିନରୁ ତିନି ରଥ ଚାଳିକୁ ରଥ ଅମିନ ଯୋଗାଇଥିବା ଅସନ, ଧଉରା କାଠ ରେ ସାଲଗୁଜ, ତିଖଗୁଜ, ଜଳଜନ୍ତ୍ର, କୁଡ଼ୁକା,କୋରାମୁଣ୍ଡା ନିର୍ମାଣ ନିମନ୍ତେ ତିନି ରଥର ମୁଖ୍ୟ ବିଶ୍ଵକର୍ମା ମାନେ ମାଳ ମାହାର୍ଦ ରଖି ଅନୁକୂଳ ପୂଜା ପରେ ତିନିରଥ ସହଯୋଗୀ ମହାରଣା ସେବକ ମାନେ ରଥ ଅମୀନ ଯୋଗାଇଥିବା ପ୍ରଥମ ଦଫା କାଠ ଗୁଡ଼ିକୁ ଚଉପଟ କରିବା ସହ ଆର ପଟାକୁ ମାପ ପ୍ରକାରେ କାଟି ତାର ମୁହଁକୁ ଶାଳ କରିଥିଲେ ।ଅପରାହ୍ନରେ ତିନି ରଥ ମୁଖ୍ୟ ରୂପକାର ସେବକ ଚଉପଟ ଗୁଜ କାଠ ରେ ନୃସିଂହ ମୁଖ ଅଙ୍କନ ପରେ ମାହାର୍ଦ ରଖି ନଡ଼ିଆ ବାଡେଇ ଅନୁକୂଳ ପୂଜା ପରେ ସହୋଯୋଗୀ ରୂପକାର ସେବକ ମାନେ ମିଶି ନୃସିଂହ ମୁଖ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ ।ଏଥିସହ ଆଜି ତିନିରଥ ମହାରଣା ସେବକ ମାନେ ପାଞ୍ଚ ପାଞ୍ଚ ଟି ଚକ ପାଇଁ ଆବଶ୍ୟକ ଅର ମୁଖ ସାଲ କରି ସାଇତିଛନ୍ତି। କମାର ଶାଳ ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନିରଥ ଓଝା ସେବକ ମାନେ ନାହାକା ତୁମ୍ବ ଗୁଡ଼ିକ ପାଇଁ ଅର କଣ୍ଟା ଏବଂ ପନ୍ଦାରୀ ବଳା ନିର୍ମାଣ ଶେଷ କରି ବାକି ତୁମ୍ବ ଗୁଡ଼ିକ ପାଇଁ ଅର କଣ୍ଟା, ପନ୍ଦାରୀ ବଳା ନିର୍ମାଣ ଜାରୀ ରଖିଛନ୍ତି।

Exit mobile version