ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା) ଖୋର୍ଦ୍ଧାରୋଡ୍ ଦ୍ୱାରା ପିଲାମାନଙ୍କ ପାଇଁ “ଗ୍ରୀଷ୍ମ କାଳୀନ ଶିବିର” ଉଦ୍ଘାଟିତ

୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା) ଖୋର୍ଦ୍ଧାରୋଡ୍ ଦ୍ୱାରା କ୍ରୀଡା କମ୍ପ୍ଲେକ୍ସ ରେ ରେଳ କର୍ମଚାରୀ ଏବଂ ଅଣ-ରେଳ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଏକ “ଗ୍ରୀଷ୍ମ କାଳୀନ ଶିବିର” ଆୟୋଜନ କରଯାଇଛି । ଚାଲୁଥିବା ଗ୍ରୀଷ୍ମ ଛୁଟି ସମୟରେ ପିଲାମାନଙ୍କର ଶାରୀରିକ, ମାନସିକ ଏବଂ ନୈତିକ ଦକ୍ଷତାକୁ ବଢେଇବା ଉଦ୍ଧେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଛି । ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜୱା ଗ୍ରୀଷ୍ମ କାଳୀନ ଶିବିର ର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ,କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ଼, ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳ ଏଵଂ ଅନ୍ୟ ଶାଖା ଅଧିକାରୀ ଗଣ ଉପସ୍ଥିତ ଥିଲେ । ଗ୍ରୀଷ୍ମ କାଳୀନ ଶିବିର ୧୧ ଦିନ ପର୍ଯ୍ୟନ୍ତ ଯଥା ୨୧.୦୫.୨୦୨୪ ରୁ ୩୧.୫.୨୦୨୪ ପର୍ଯ୍ୟନ୍ତ ଚାଲିବ। ଏହି ଗ୍ରୀଷ୍ମ ଶିବିରରେ ବାସ୍କେଟବଲ୍, ଲନ୍ ଟେନିସ୍, ଭଲି ବଲ୍, ଫୁଟବଲ୍, କ୍ରିକେଟ୍, ବ୍ୟାଡମିଣ୍ଟନ୍, ପହଁରିବା ଏବଂ ଯୋଗ ଭଳି ବିଭିନ୍ନ କ୍ରୀଡା କାର୍ଯ୍ୟକ୍ରମ, ପାଞ୍ଚ ବର୍ଷରୁ ଉର୍ଦ୍ଧ ବୟସର ପିଲାମାନଙ୍କ ପାଇଁ ଆୟୋଜିତ ହେବ । ଉପରୋକ୍ତ ବ୍ୟତୀତ “ତାଇକଣ୍ଡୋ” ମାର୍ଶଲ ଆର୍ଟ ମାଧ୍ୟମରେ ଆତ୍ମରକ୍ଷା କୌଶଳ ଉପରେ ମଧ୍ୟ ତାଲିମ ଦିଆଯିବ । ଏହି ଗ୍ରୀଷ୍ମ ଶିବିରରେ ୬୦ରୁ ଅଧିକ ପିଲା ଅଂଶଗ୍ରହଣ କରୁଛନ୍ତି । କ୍ରୀଡ଼ା ସଚିବ ଏମ ଡି ଜାକିରୁଦ୍ଦିନ ଏବଂ ତାଙ୍କ ଟିମ୍ ପିଲାମାନଙ୍କ ପାଇଁ ଇଭେଣ୍ଟଗୁଡିକ ସଂଯୋଜନା କରୁଛନ୍ତି ।

Exit mobile version