୨୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ୧୨୭ ଗୋଟି ରାସ୍ତା ଦୁର୍ଘଟନା ଘଟି ୭୫ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଗତବର୍ଷ ଏହି ସମୟରେ ୧୪୭ ଟି ରାସ୍ତା ଦୁର୍ଘଟନା ଘଟିଥିଲା। ଯଦିଓ ଦୁର୍ଘଟନା ହାର ଗତ ବର୍ଷ ଅପେକ୍ଷା କମିଛି କିନ୍ତୁ ମୃତ୍ୟୁହାର ଅଧିକ ରହିଛି ଏବଂ ଏହାର ମୁଖ୍ୟ କାରଣ ମଦ୍ୟପାନ କରି ଦୃତ ବେଗରେ ଗାଡ଼ି ଚଳାଇ ରାସ୍ତା ପାର୍ଶ୍ବ ବୃକ୍ଷ, ପୋଲ ବାଡ଼ , ଡିଭାଇଡରରେ ପିଟି ହୋଇ ନିଜସ୍ବ ମୃତ୍ୟୁର ବାହାକ ହେଉଛନ୍ତି। କମିଟି ରିପୋର୍ଟ ଅନୁଯାୟୀ ଛତିଗୁଡ଼ାରୁ ନର୍ଲା, ଛତିଗୁଡା ରୁ କିଡ଼ିଂ, ବାନେର ରୁ ଲଡୁ ଗାଁ,ଧର୍ମଗଡ ରୁ କୋକସରା ( ତାରାପୁର ), ମୁଖିଗୁଡା ରୁ ମହୁଲପାଟଣା ରାସ୍ତାର ଆବଶ୍ୟକ ମରାମତି ଏବଂ ଯଥାଶୀଘ୍ର କାମ ସଂପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଏସ ଇ (ଆର୍ ଏଣ୍ଡ ବି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେଭଳି ଭବାନୀପାଟଣା ବାଇପାସ୍ ରାସ୍ତା କାର୍ଯ୍ୟ ଅତ୍ୟନ୍ତ ଧିର ଗତିରେ ଚାଲୁଥିବାରୁ ଜିଲ୍ଲାପାଳ ଏହାର ୱାନ ୱେ ରାସ୍ତା ଶୀଘ୍ର ସଂପୂର୍ଣ୍ଣ କରି ଭାରି ଯାନ ପରିବହନ ପାଇଁ ଶୀଘ୍ର କାମ ସମାପନ କରିବାକୁ ଆର୍ ଏଣ୍ଡ ବି କୁ ନିର୍ଦ୍ଦେଶ ଦେଇଥିଲେ। କମିଟି ସଭ୍ୟ ରାସ୍ତା ଅବରୋଧକୁ ହଟାଇବା ,ରାସ୍ତା ମରାମତି, ଅବକାରୀ ବିଭାଗର ରାସ୍ତା ପାର୍ଶ୍ଵ ଦୋକାନର ମାଦକ ଦ୍ରବ୍ୟ ଚଢାଉ ଓ ଜବତ,ହେଲମେଟ ଓ ସିଟ୍ ବେଲଟ୍ ବାରମ୍ବାର ଚେକିଙ୍ଗ , ଦୃତ ଗତି ଫାଇନ୍, ଦୁର୍ଘଟନା ପ୍ରବଣ ସ୍ଥାନ ଓ ମୁଖ୍ୟ ଛକ ମାନଙ୍କରେ ଟ୍ରାଫିକ ନିୟମ ଉଲଘଂନ କଲେ ସିସି ଟିଭି ଦ୍ଵାରା ଚାଲାଣ କାଟିବା, ମାଲ ପରିବହନ ଗାଡ଼ି ମାନଙ୍କରେ ଯାତ୍ରୀ ନେବା ଗାଡ଼ିକୁ ଜବତ କରିବା, ମଦ୍ୟପାନ କରି ଗାଡ଼ିଚାଳକଙ୍କୁ ବ୍ରେଥ ଏନାଲାଇଯର ଦ୍ବାରା ପରୀକ୍ଷା କରି ଫାଇନ୍ ଓ ଲାଇସେନ୍ସ ବାତିଲ ବ୍ୟବସ୍ଥା,ରାସ୍ତା ସଚେତନତା ଉପରେ ଗୁରୁତ୍ବ ଦେଲେ ଅନେକାଂଶରେ ଦୁର୍ଘଟନାକୁ ରୋକାଯାଇପାରିବ ବୋଲି ମତ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ ମହାବିଦ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନ ଆବେଦନ ଓ ସଚେତନତା କ୍ୟାମ୍ପ କରିବାକୁ ଆର୍ ଟି ଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଲକ୍ଷ୍ୟ ଧାର୍ଯ୍ୟ ୪ କୋଟି ୬୬ ଲକ୍ଷ ଉପରେ ପରିବହନ ବିଭାଗ ୪ କୋଟି ୩୩ ଲକ୍ଷ ରାଜସ୍ବ ଆଦାୟ କରିଛି ଯାହାକି ୯୩ ପ୍ରତିଶତ ବୋଲି ଆର୍ ଟି ଓ ଗୃହରେ ସୂଚନା ଦେଇଥିଲେ ।

