୨୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ମେ ୨୦ ତାରିଖ ସୋମବାର ସକାଳୁ ସକାଳୁ ଗେରୁଆମୟ ଜନସମୁଦ୍ର ପାଲଟିଥିଲା ଶ୍ରୀକ୍ଷେତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାହ୍ନ ପ୍ରାୟ ୭ଟା ସମୟରେ ହେଲିକପ୍ଟରରେ ତାଳବଣିଆ ହେଲିପ୍ଯାଡ଼୍ ଠାରେ ପହଞ୍ଚିଥିଲେ । ହେଲିପ୍ଯାଡରୁ ସୁରକ୍ଷା ବଳୟ ମଧ୍ୟରେ ପେଣ୍ଠକଟା , ସିଟିରୋଡ ସୁବାଷବୋଷ ଛକ ଭିଆଇପି ରୋଡ, ମେଡିକାଲ ଛକ କାରଗେଡ ମଧ୍ଯରେ ବଡଦାଣ୍ଡ ଦେଇ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଞ୍ଚିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁରୀ ଲୋକସଭା ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର, ପୁରୀ ବିଧାୟକ ପ୍ରାର୍ଥୀ ଜୟନ୍ତ କୁମାର ଷଡଙ୍ଗୀ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ,ଭବାନି ଦାସମହାପାତ୍ର , ରବି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ସେବାୟତ ମଧୁସୂଦନ ସିଂହାରୀ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ ଶ୍ରୀ ମୋଦୀଙ୍କୁ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସେବାୟତ ମାନଙ୍କ ସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଫେରିବା ପରେ ସିଂହଦ୍ଵାର ଠାରେ ଜନସମୁଦ୍ରକୁ ପ୍ରଣାମ କରିବା ସହ ହାତ ହଲାଇ ଲୋକଙ୍କୁ ଉତ୍ସାହିତ କରିଥିଲେ । ପରେ ମରଚିକୋଟ ଛକରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ରୋଡ ସୋ କରି ଉପସ୍ଥିତ ଲକ୍ଷ ଲକ୍ଷ ଲୋକଙ୍କୁ ଅଭିବାଦନ କରିଥିଲେ । ବଡଦାଣ୍ଡର ବ୍ଯାରିକେଡର ଉଭୟ ପାର୍ଶ୍ଵରେ ଅପେକ୍ଷାରତ ଲୋକଙ୍କୁ ଅଭିବାଦନ ଜଣାଇଥିଲେ । ଶକ୍ତି ପ୍ରଦର୍ଶନ କରି ବିଜେପିର ଶକ୍ତି ବଢାଇଥିଲେ । କଡା ସୁରକ୍ଷା ବଳୟ ସହ ବ୍ଯାରିକେଡ ମଝି ରାସ୍ତାକୁ ନୋ ମ୍ଯାନ୍ସ ଲ୍ୟାଣ୍ଡ କରାଯାଇଥିଲା । ବ୍ଯାରିକେଡ ମଝିରେ ବିଭିନ୍ନ ସ୍ଥାନରେ ମଞ୍ଚ ନିର୍ମାଣ କରାଯାଇ ଓଡ଼ିଶାର ପାରମ୍ପାରିକ କଳା ସଂସ୍କୃତି ପ୍ରଦର୍ଶିତ ହେଉଥିଲା । ଓଡିଶୀନୃତ୍ଯ, ଗୋଟିପୁଅ ନୃତ୍ୟ , ଘୋଡାନାଚ, ଘଣ୍ଟ ଘଣ୍ଟୁଆ, ମାଲଖମ୍ବ, ଛଉନୃତ୍ଯରେ କମ୍ପୁଥିଲା ବଡଦାଣ୍ଡ । ମୋଦୀ ନାରା ସହ ମୋଦୀମୟ ପାଲଟିଥିଲା ଶ୍ରୀକ୍ଷେତ୍ର । ମୋଦି ଟୋପି ,ପଦ୍ମଫୁଲ ପତକା,ମୋଦି ଫଟୋଚିତ୍ର ସହ ପାରମ୍ପରିକ ଗେରୁଆ ବସ୍ତ୍ରରେ ମହିଳା ମାନେ ନାଚି ନାଚି ଯାଉଥିଲେ । ମୋଦୀ ଗୀତ ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଓ ମୋଦୀ ମୋଦୀ ନାରା ଦେଉଥିଲେ ଜନତା । ବହୁ ସମର୍ଥକ କର୍ମୀ ଓ ଜନସାଧାରଣ ମୋଦୀଙ୍କୁ ଦେଖି ବହୁ ଉତ୍ସାହିତ ଓ ଆନନ୍ଦିତ ହେଉଥିବା ଦେଖିବାକୁ ମିଳିଥିଲା । ବଡଦାଣ୍ଡରେ ରୋଡ ସୋ ସମୟରେ ଜନସମୁଦ୍ର ଦେଖି ଭାବମୟ ହୋଇପଡିଥିଲେ ମୋଦୀ । ବଡଦାଣ୍ଡରେ ପୁଷ୍ପ ବୃଷ୍ଟି ହେବା ସହ ମୋଦୀ ପ୍ରେମୀଙ୍କ ଲହର ଖେଳିଯାଇଥିଲା । ଏହାପରେ ମେଡିକାଲଛକରୁ କାରକେଡର ପରିଚାଳନାରେ ହେଲିପ୍ଯାଡ଼୍ ଯାଇ ପ୍ରତ୍ଯାବର୍ତ୍ତନ କରିଥିଲେ । ସୁରକ୍ଷା ପାଇଁ ତିନି ଜଣ ଏସପିଙ୍କ ନେତୃତ୍ବରେ ୮ ଜଣ ଏଏସପି ,୨୨ଜଣ ଡିଏସପି,୪୨ ଜଣ ଇନ୍ସପେକ୍ଟର, ୧୦୯ ଜଣ ଏସଆଇ,ଓ ଏଏସ୍ଆଇ, ୩୪ଜଣ ହାବିଲଦାର, ୨୦୨ଜଣ କନେଷ୍ଟବଳ, ଟ୍ରାଫିକ ହାବିଲଦାର ଓ ଏପିଆର, ୨୫୦ ଜଣ ଗୃହରଖୀ ଏବଂ ୬୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ । ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

