ପ୍ରତିଶୃତିରେ ରହିଗଲା ୪୨ ମୌଜା ଶୀତଳ ଭଣ୍ଡାର ; ହତାଶ ହୋଇ ଚାଷ ଜମି ବିକି ସର୍ବସ୍ବାନ୍ତ ଚାଷୀ କୂଳ !

୧୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୟାଳିଶମୌଜା :->  କଟକ ସଦର ଅନ୍ତର୍ଗତ ୪୨ ମୌଜାରେ ଅବସ୍ଥିତ ଶୀତଳ ଭଣ୍ଡାରଟି ଆଉ କିଛି ବର୍ଷ ମଧ୍ୟରେ ଏକ ବୃକ୍ଷଲତା ପରିପୂର୍ଣ୍ଣ “ଶୀତଳ ଭଣ୍ଡାର ସ୍ମୃତି କଂକ୍ରିଟ ସ୍ତୁପ”ରେ ପରିଣତ ହେବ । ଏକଦା ଚାଷ ପାଇଁ ପ୍ରସିଦ୍ଧ ଶସ୍ୟ ଶ୍ୟାମଳା ପରିପୂର୍ଣ୍ଣ “କଟକର ପରିବା ଉଦ୍ୟାନ” ଭାବେ ପରିଚିତ ୪୨ ମୌଜା ଆଳୁ ଓ କଖାରୁ ରପ୍ତାନି ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା । ଚାଷୀମାନଙ୍କ ସମୃଦ୍ଧି ପାଇଁ ୪୨ ମୌଜା ବାସୀଙ୍କ ଉଦ୍ୟମ ଓ ସରକାରଙ୍କ ସହଯୋଗରେ ୧୯୬୨ ମସିହାରେ “ବୟାଳିଶ ମୌଜା ଆଳୁ ଚାଷୀ ସଂରକ୍ଷଣ ଓ ବାଣିଜ୍ୟ ସମବାୟ ସମିତି ଲିମିଟେଡ” ନାମରେ ଏହି ଶୀତଳ ଭଣ୍ଡାରଟି ଗଢି ଉଠିଥିଲା ।

ଏକ ସମୟରେ ଓଡ଼ିଶାର ବୃହତ୍ତମ କୁହାଯାଉଥିବା ଏହି ଶୀତଳ ଭଣ୍ଡାର ପରିଚାଳନାଗତ ତୃଟି ଓ ସରକାରଙ୍କ ଉଦାସୀନତା ପ୍ରାୟ ୨୦୦୦ ମସିହାରୁ ବନ୍ଦ ହୋଇ ପଡ଼ି ରହିଛି । ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିସ୍ତୃତ ଅଟ୍ଟାଳିକା ରେ ବଡ ବଡ ଗଛ ହୋଇ ଅନେକ ଯାଗାରେ ଭୁଷୁଡି ପଡିଥିବାବେଳେ ଏହା ମଧ୍ୟରେ ଭୟଙ୍କର ସରୀସୃପ ବିଚରଣ କରୁଥିବା ଦେଖିବାକୁ ମିଳୁଛି ବୋଲି ସମାଜସେବୀ ବସନ୍ତ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି । ଅତୀତରେ ୪୨ ମୌଜା ବାସୀଙ୍କ ବାରମ୍ବାର ନିବେଦନ ଓ ଦୃଢ଼ ଦାବୀ ପରେ ପୂର୍ବତନ ରାଜ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସମସ୍ୟା ଘେରରେ ଚାଷ ଜମି ବିକି ବିକି ସ୍ଥାନୀୟ ବାସିନ୍ଦା ସର୍ବହରା ହୋଇ ଚାଲିଥିବା ବେଳେ ବାହାର ଅଞ୍ଚଳରୁ ଲୋକେ ଏଠି ଜମି କିଣି କେବଳ କଂକ୍ରିଟ ଜଙ୍ଗଲ ବିସ୍ତାର କରି ଚାଲିଛନ୍ତି ।

 

Exit mobile version