୧୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ରେତଙ୍ଗ କଲୋନୀ ରେଲୱେ କଲ୍ୟାଣ ମଣ୍ଡପ ଠାରେ ୬୮ ତମ ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ, “ରେଳ ସେବା ପୁରସ୍କାର–୨୦୨୩”ଅନୁଷ୍ଠିତ ହୋଇଯାଇଛି।
ଏହି ଉତ୍ସବରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜୱା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ଶ୍ରୀ କଲ୍ୟାଣ ପଟ୍ଟନାୟକ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ ଏହି ଉତ୍ସବରେ ଆସନ ଅଳଙ୍କୃତ କରିଥିଲେ। ଏହି ଅବସରରେ ଶ୍ରୀ ଏଚ୍ ଏସ ବାଜୱା ନିଜ ଅଭିଭାଷଣରେ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଗତିଶୀଳ ମନୋଭାବ ସହିତ କର୍ତ୍ତବ୍ୟ ପ୍ରତି ନିରନ୍ତର ଉଦ୍ୟମ ପାଇଁ ସମସ୍ତ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବତଟ ରେଳବାଇ ଦ୍ୱାରା ଆୟୋଜିତ ବିଶିଷ୍ଟ ରେଳ ସେବା ପୁରସ୍କାର -୨୦୨୩ରେ ସାମଗ୍ରିକ ଦକ୍ଷତା ସିଲ୍ଡ ସମେତ ଖୋର୍ଦ୍ଧା ରୋଡ ଡିଭିଜନ ଆଠଟା ଦକ୍ଷତା ସିଲ୍ଡ ହାସଲ କରିଛି ବୋଲି ସେ କହିଁଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ହୋଇଥିବା ସଫଳତାକୁ ଆଲୋକିତ କରି ସେ କହିଛନ୍ତି ଯେ ମାଲ ପରିବହନରେ (ଲୋଡିଂ ଏବଂ ଅନଲୋଡିଂ) ଖୋର୍ଦ୍ଧାରୋଡ ଡିଭିଜନ୍, ସମସ୍ତ ଡିଭିଜନ ମଧ୍ୟରେ ପ୍ରଥମ ସ୍ଥାନ ହାସିଲ କରିଛି।ମାଲ ପରିବହନ (ଲୋଡିଂ ଦୃଷ୍ଟିରୁ) ଦେଶର ସମସ୍ତ ଡିଭିଜନ ମଧ୍ୟରେ ଖୋର୍ଦ୍ଧା ରୋଡ ମଣ୍ଡଳ ତୃତୀୟ ନମ୍ବରରେ ରହିଛି । ଭାରତୀୟ ରେଳବାଇର ଖୋର୍ଦ୍ଧାରୋଡ଼ ରେଳମଣ୍ଡଳକୁ ସର୍ବୋତ୍ତମ କରିବା ପାଇଁ ସମସ୍ତେ ଉତ୍ସର୍ଗୀକୃତ ତଥା ସହଯୋଗରେ କାର୍ଯ୍ୟ କରିବାକୁ ସେ ସମସ୍ତ କର୍ମଚାରୀଙ୍କୁ ନିବେଦନ କରିଛନ୍ତି । ୬୮ତମ ରେଳ ସପ୍ତାହ ପୁରସ୍କାର ବିତରଣ ସମାରୋହରେ, ମଣ୍ଡଳ ରେଳ ପ୍ରବନ୍ଧକ, ଆନ୍ତରିକତା ଏବଂ ଉତ୍ସରଗୀକୃତ ସେବା ପାଇଁ, ରେଳବାଇ ପୁରୁଷ ଏବଂ ମହିଳା କର୍ମଚାରୀଙ୍କୁ ରେଳ ସେବା ପୁରସ୍କାର-୨୦୨୩ ପ୍ରଦାନ କରିଥିଲେ। ସମୁଦାୟ ୬୫ ଜଣ ରେଳ କର୍ମଚାରୀଙ୍କୁ ରେଳ ସେବା ପୁରସ୍କର-୨୦୨୩ ସହିତ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କର୍ମଚାରୀ ଏବଂ ସଙ୍ଗୀତା, ଶ୍ରୀଜନ କୁଞ୍ଜ, ବିଜେବି ଇନଷ୍ଟିଚ୍ୟୁଟ ର ପିଲା ମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୁରସ୍କାର ବିତରଣ ସମାରୋହରେ ସମସ୍ତ ଶାଖା ଅଧିକାରୀ, ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଦସ୍ୟା ମାନେ ଉପସ୍ଥିତ ଥିଲେ । ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ବରିଷ୍ଠ କାର୍ମିକ ଅଧିକାରୀ ଶ୍ରୀ ଆର୍ ଏନ ଏ ପରିଡ଼ା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

