ଗୋଟିଏ ଦିନପରେ ପରେ ଭାରତ ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ି ଯାତ୍ରା  

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :->  ଉତ୍ସବ ମୂଖର ମହାବୀରକ୍ଷେତ୍ର ଦଶପଲ୍ଲା । ଗୋଟିଏ ଦିନପରେ ଭାରତ ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ି ଯାତ୍ରା ।ମୁକ୍ତାକାଶ ରଙ୍ଗମଞ୍ଚର ମୁଖ୍ୟ ମଞ୍ଚରେ ପରିବେଷିତ ହେବ ରାମଜନ୍ମ।ଆଧୁନିକତାର ଛାପରେ ଆଜିବି କମିନି ରାମଲୀଳାର ଆଦର I ଦୀର୍ଘ ୨୨୨ ବର୍ଷ ଧରି ପ୍ରାଚୀନ ଲୋକକଳାକୁ ବଞ୍ଚାଇ ରଖିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲାର ପ୍ରସିଦ୍ଧ କାଷ୍ଠମୁଖା ଧାରି ରାମଲୀଳା ବା ଲଙ୍କାପୋଡ଼ି ଯାତ୍ରା l ଆସନ୍ତାକାଲି ଠାରୁ ଦୀର୍ଘ ୧୫ ଦିନ ଧରି ଦଶପଲ୍ଲାରେ ଅନୁଷ୍ଠିତ ହେବ ଭାରତ ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ିଯାତ୍ରା ।

ଆସନ୍ତା ଏପ୍ରିଲ ୩୦ ତାରିଖରେ ଲଙ୍କାପୋଡ଼ି ଯାତ୍ରାର ମୁଖ୍ୟଉତ୍ସବ ରାବଣ ବଧ ଅନୁଷ୍ଠିତ ହେବାକୁଥିବାବେଳେ ଆସନ୍ତାକାଲି ରାମ ଜନ୍ମ,ଏପ୍ରିଲ୍ ୨୧ ତାରିଖରେ ଗଣ୍ଡାବଧ,୨୪ ରେ ସୀତାହରଣ ,୨୭ ରେ ବାଳିବଧ, ୨୯ରେ କୁମ୍ଭକର୍ଣ୍ଣ ବଧ ମୁଖ୍ୟ ରଙ୍ଗମଞ୍ଚରେ ମଞ୍ଚସ୍ଥ ହେବ ।ଏଠାରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଠାରୁ ଆରମ୍ଭ କରି ରାବଣ ପୋଡି ବା ଲଙ୍କା ଦହନ ଉତ୍ସବ ଯାଏଁ ରାମାୟଣର ପ୍ରତ୍ୟେକଟି ଅଧ୍ୟାୟ ଓ ପ୍ରତ୍ୟେକଟି ଚରିତ୍ର ବେଶ ନିଖୁଣ ଭାବେ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ହୁଏ l ପ୍ରାଚୀନ ପରମ୍ପରା ଅନୁସାରେ କୌଣସି ଆଧୁନିକ ଯନ୍ତ୍ରପାତି ନୁହଁ, ବରଂ ତାଳ ଓ ଝାଞ୍ଜ ସାହାଯ୍ୟରେ ଏଠାରେ ଗୀତିନାଟ୍ୟ ମାଧ୍ୟମରେ ମୁଖାପିନ୍ଧି ଅଭିନୟ କରନ୍ତି ସ୍ଥାନୀୟ ଅଞ୍ଚଳର ବ୍ରତଧାରି କଳାକାର ମାନେ l

ଯାହାକୁ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଏଠାକୁ ଛୁଟିଆସୁଛନ୍ତି ଲକ୍ଷାଧିକ ଭକ୍ତ ।ପୌରାଣିକ ଗାଥା ଅନୁସାରେ ୧୮୦୨ ମସିହାରୁ ପ୍ରଚଳିତ ହୋଇଆସୁଥିବା ଏହି ସର୍ବପ୍ରାଚୀନ ଲଙ୍କାପୋଡ଼ି ଉତ୍ସବରେ ସବୁଥର ପରି ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ଭାବେ ଦେଖିବାକୁ ମିଳିବ କାଷ୍ଠରେ ନିର୍ମିତ ୩୫ ଫୁଟ ଉଚ୍ଚ ବିଶିଷ୍ଟ ରାବଣ ଓ ଘୃନାୟମାନ ପୁଷ୍ପକ ବିମାନ।ଏହିଯାତ୍ରା କୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ପାଇଁ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ନେଇ କହିଛନ୍ତି ଯାତ୍ରା କମିଟି କୋସାଧକ୍ଷ ଭବାନୀ ପ୍ରସାଦ ମିଶ୍ର ।

Exit mobile version