ଦଣ୍ଡପର୍ବରେ ଦୁଲୁକୁଛି ଗାଁ ଦାଣ୍ଡ  

ମାଆଙ୍କ ଆଜ୍ଞାରେ ଉଷୁନା ଧାନରୁ ଗଜା ହୁଅଇ

୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ବୋଲଗଡ :->  ଓଡିଶାରେ ବର୍ଷକ ବାରମାସରେ ତେରପର୍ବ ମଧ୍ୟରୁ ଚୈତ୍ରମାସର ଦଣ୍ଡପର୍ବ ହେଉଛି ଅନ୍ୟତମ। ଦକ୍ଷିଣ ଓଡ଼ିଶାରେ ଦଣ୍ଡପର୍ବକୁ ଚଇତି ପର୍ବ ଭାବରେ ନିଷ୍ଠା ସହିତ ଓ ମହା ଆଡ଼ମ୍ବରସହକାରେ ପାଳନ କରୁଅଛନ୍ତି । ବୋଲଗଡ ବ୍ଲକ ଅଞ୍ଚଳରେ ଦଣ୍ଡପର୍ବକୁ ଭାବଭକ୍ତି ଓ ଆନନ୍ଦ ଉତ୍ସାହରେ ପାଳନ କରୁଅଛନ୍ତି । କାହିଁ କେଉଁ କାଳରୁ ଲୋକମାନଙ୍କର ପ୍ରଗାଢ଼ ବିଶ୍ୱାସ ଓ ମାନସିକ ପୂରଣ ପାଇଁ ଦଣ୍ଡପର୍ବକୁ ପାଳନ କରିବା ଦେଖିବାକୁ ମିଳୁଛି । ପ୍ରତିବର୍ଷ ଚୈତ୍ର ମାସରେ ଦଣ୍ଡ ପର୍ବକୁ ମାନସିକ ଭକ୍ତମାନେ ମା ‘କାଳୀଙ୍କୁ ଉପାସନା କରିଥାଆନ୍ତି l

ଵିଧିପୂର୍ବକ ମା ଦଣ୍ଡକାଳୀଙ୍କ ପୀଠ (କୋଠୀ)ରେ ଭିନ୍ନ ଭିନ୍ନ ସ୍ଥାନରେ ୯ଦିନ,୧୩ଦିନ ଓ ୨୧ଦିନିଆ ପାଣି ତୋଳାଯାଇ ଭକ୍ତମାନେ ମାନସିକ କରି ପୂଜାର୍ଚ୍ଚନା କରିବା ପରମ୍ପରା ରହିଛି l ପାଣିତୋଳାର ପ୍ରାରମ୍ଭ ଦିବସର ବିଳମ୍ବିତରାତ୍ରିରେ ମା ‘ଦଣ୍ଡକାଳୀଙ୍କୁ ନେଇ ଦଣ୍ଡୁଆମାନେ ଗ୍ରାମର ନିର୍ଦ୍ଦିଷ୍ଟ ପୋଖରୀକୁ ଯାଇ ସ୍ନାନ, ହୋମକରି ଵିଧିବଧ ଭାବରେ ସଂକଳ୍ପ କରି ପଇତା ପକାଇ ଭଗତା ହୋଇଥାନ୍ତି । ଆରମ୍ବରୁ ୧୩ ଦିନ ପର୍ଯ୍ୟନ୍ତ ନିଷ୍ଠା ସହକାରେ ଉପବାସ ରହି ପ୍ରତିଦିନ ଅପରାହ୍ନରେ ସ୍ନାନକରି ମନ୍ଦିରକୁ ଫେରିବା ବାଟରେ ଗ୍ରାମବାସୀ ଭକ୍ତମାନେ ଠାକୁରାଣୀଙ୍କୁ ଦଣ୍ଡବନ୍ଦାଣ କରି ପୂଜାପାଠ କରିଥାନ୍ତି l

ଠାକୁରାଣୀ ସ୍ନାନ କରି ଫେରିବା ବେଳେ ମୃଦଙ୍ଗ ବାଦନ , ଝାଞ୍ଜ ମାଡ଼, ହରି ବୋଲ ,ହୁଳହୁଳି , ଶଙ୍ଖନାଦ ଓ ଭୋଜ ମଣିମା ଶବ୍ଦରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥାଏ। ମା ଦଣ୍ଡକାଳୀ କୋଠିରେ ପହଞ୍ଚିବା ପରେ ଦିନଯାକ ଉପବାସ ଥିବା ଦଣ୍ଡୁଆଭକ୍ତମାନେ ଏକମାତ୍ର ପଣାପାନ କରିଥାନ୍ତି l ବିଳମ୍ବିତ ରାତ୍ରିରେ ଗ୍ରାମର ଦଣ୍ଡ ନାଚୁଆ ଭକ୍ତମାନଙ୍କ ସହିତ ଗ୍ରାମ ପରିକ୍ରମାରେ ଦଣ୍ଡଠାକୁରାଣୀଙ୍କୁ ଧରି ଧୁପଝୁଣା ମାରି ଗ୍ରାମ ମାନଙ୍କରେ ରାତ୍ରିସାରା ନାଚୁଆଭକ୍ତମାନେ ବାଦ୍ୟଯନ୍ତ୍ର ତାଳେ ତାଳେ ଲୋକଗୀତରେ ଦଣ୍ଡନୃତ୍ୟ ପରିବେଷଣରେ ଗାଁ ଦାଣ୍ଡ ଉଚ୍ଛୁଳି ପଡୁଅଛି ।

ଦିବସରେ ମାନସିକ ପୂରଣ ପାଇଁ ଭକ୍ତ ମାନଙ୍କ ଦୁଆରେ ପଞ୍ଚୁ ଦଣ୍ଡମେଳଣ, ଦଶ ଦଣ୍ଡ ମେଳଣ ଓ ୪୨ ଦଣ୍ଡ ମେଳଣରେ ଗ୍ରାମର ମାଆ ଦଣ୍ଡ (କାଳୀ) ଠାକୁରାଣୀ ମାନେ ଯୋଗ ଦିଅନ୍ତି। ମାଆ କାଳୀ ଙ୍କ ଆଜ୍ଞାରେ ଉଷୁନା ଧାନରୁ ଗଜା ହୁଅଇ, ଅପୁତ୍ରିକ ନାରୀ ପୁତ୍ର ଲଭଇ, ଅଚିହ୍ନା ରୋଗ ଆରୋଗ୍ୟ ଲଭଇ ଓ ମାନସିକ ପୂରଣ ପୂରଣ ହୁଅଇ।ଶେଷ ଦିବସ ପଣା ସଂକ୍ରାନ୍ତିରେ ଦଣ୍ଡୁଆ ମାନେ ରଡ ନିଆଁରେ ଚାଲିବା, କଣ୍ଟାରେ ଗଡିବା, ଅରଟିରେ ବୁଲିବା,ପ୍ରଚଣ୍ଡ ଅଗ୍ନି ଝାସରେ ଓହଳିବା ଆଦି କଲେ ମଧ୍ୟ ମାଆ କାଳୀ ଠାକୁରାଣୀଙ୍କ ଆଜ୍ଞାରେ କିଛି ହୁଏ ନାହିଁ।

Exit mobile version