ମହାକାଶରେ ମହାଜାଗତିକ ଘଟଣା : ଏପ୍ରିଲ୍ ୮ରେ ହେବ ପୂର୍ଣ୍ଣ ସୂର୍ଯ୍ୟପରାଗ

ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ବର :-> ଆସନ୍ତା ଏପ୍ରିଲ୍୮ ତାରିଖରେ ସଙ୍ଗଠିତ ହେବ ଏକ ବିରଳ ତଥା ସୁନ୍ଦର ପୂର୍ଣ୍ଣ ସୂର୍ଯ୍ୟପରାଗ। ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ ଓ ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ । ଏହା ଭାରତୀୟ ସମୟ ରାତି ୯ଟା ୧୨ ମିନିଟ ରେ ଆରମ୍ଭ ହୋଇ ପର ଦିନ ଭୋର ୨ ଟା ୨୨ ମିନିଟ ସମୟରେ ଶେଷ ହେବ। ସର୍ବାଧିକ ପରାଗ ରାତି ୧୧ ଟା ୪୭ ମିନିଟ ସମୟରେ ଦେଖାଯିବ।

ଆମ ସମାଜରେ ଆବାହମାନ କାଳରୁ ଗ୍ରହଣ ଓ ପରାଗକୁ ନେଇ ଅନେକ ବିଶ୍ବସ ଓ ଅନ୍ଧ ବିଶ୍ବସ ରହିଛି । ମଣିଷ ଚନ୍ଦ୍ରରେ ପାଦ ଥାପିଲାଣି ଓ ବିଜ୍ଞାନ ର ଅଗ୍ରଗତି ଫଳରେ ଆମେ ଗ୍ରହଣ ଓ ପରାଗ କାହିଁକି ଓ କିପରି ଘଟେ ତାହା ସଠିକ ଭାବରେ ଜାଣିସାରିଲେଣି । ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅ ର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ସୂର୍ଯ୍ୟ ପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ ଓ ସେହି ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ଦିନବେଳେ ସୂର୍ଯ୍ୟ କୁ ଦେଖିପାରନ୍ତି ନାହିଁ ।

ଏହା ରାତିର ଭ୍ରମ ସୃଷ୍ଟି କରିଥାଏ।ସୂର୍ଯ୍ୟ ପରାଗ ତିନି ପ୍ରକାରର : ଆଂଶିକ, ସଂପୂର୍ଣ୍ଣ ଓ ବଳୟ । ଅନେକ ବର୍ଷ ପରେ ଏପ୍ରିଲ୍ ୮ ତାରିଖର ସୂର୍ଯ୍ୟପରାଗ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର ଅତ୍ୟନ୍ତ ଜନବହୁଳ ଅଞ୍ଚଳରେ ପୂର୍ଣ୍ଣପରାଗ ଦେଖାଯିବ । ଏକ ଅନୁମାନ ଅନୁସାରେ ଏଥର ପୂର୍ଣ୍ଣପରାଗକୁ ଦେଖିବା ପାଇଁ ଏହି ଅଞ୍ଚଳରେ ୪ କୋଟିରୁ ଅଧିକ ଲୋକ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ଚାହିଁ ବସିଛନ୍ତି । ଆଂଶିକ ପରାଗ ଦେଖାଯିବା ଅଞ୍ଚଳରେ ୪୫ କୋଟି ରୁ ଅଧିକ ଲୋକ ବସବାସ କରୁଛନ୍ତି ।

ଏହି ପୂର୍ଣ୍ଣ ସୂର୍ଯ୍ୟ ପରାଗକୁ ଦେଖିବା ପାଇଁ ଅନେକ ଦେଶର ବୈଜ୍ଞାନିକ ଓ ଲକ୍ଷଲକ୍ଷଲୋକ ସେଠାକୁ ଯାଉଛନ୍ତି ସେଠି ସମସ୍ତ ହୋଟେଲ ଅତି ଚଢା ଦରରେ ଅନେକ ଆଗରୁ ବୁକ୍ ହୋଇସାରିଛି | ଅନେକ ସ୍ଥାନରେ ନାଚଗୀତ, ଭୋଜିଭାତ ସହ ଏହି ପୂର୍ଣ୍ଣ ସୂର୍ଯ୍ୟ ପରାଗକୁ ଦେଖିବା ପାଇଁ ବିଭିନ୍ନ ଆୟୋଜନ କରାଯାଇଛି । ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଲାଣି । ସେଠାର ପ୍ରଶାସନ ସ୍ଥାନୀୟ ବାସିନ୍ଦା ତଥା ସେଠାକୁ ଆସୁଥିବା ଲକ୍ଷଲକ୍ଷ ପରିଦର୍ଶକଙ୍କ ନିରାପତ୍ତା ତଥା ସୁରକ୍ଷା କାର୍ଯ୍ୟରେ ଲାଗି ପଡିଛନ୍ତି ।

ଏଠାରେ କେହିବି କହୁନାହାନ୍ତି ଯେ ସୂର୍ଯ୍ୟ ପରାଗ ଦେଖନ୍ତୁ ନାହିଁ, ଅପରପକ୍ଷେ ସେଠାର ପ୍ରଶାସନ ଓ ଜନ ସାଧାରଣ ଲାଗି ପଡିଛନ୍ତି କିପରି ଅଧିକ ଲୋକ ଆସିବେ, ରହିବେ, ଖାଇବେ ପିଇବେ ନିରାପଦ ଓ ସୁରୁଖୁରୁରେ ସୂର୍ଯ୍ୟ ପରାଗ ଦେଖି ପାରିବେ । ଏହା ଆମ ସମସ୍ତଙ୍କ ପାଇଁ ନିଜର ଚିନ୍ତାଧାରାକୁ ପରିର୍ବତ୍ତନ କରିବାର ସମୟ ଆଣିଛି । ବୈଜ୍ଞାନିକ ଚିନ୍ତାଧାରାର ଉନ୍ନତି ବିନା ଆମ ସମାଜ ଆଗକୁ ବଢିବା ଅସଂଭବ ଅଟେ । ପରମ୍ପରାବାଦି ମାନେ ସୂର୍ଯ୍ୟ ପରାଗଓ ଚନ୍ଦ୍ରଗ୍ରହଣ ବେଳେ କରୁଥିବା ଅବୈଜ୍ଞାନିକ ଯୁକ୍ତିର କିଛି ସତ୍ୟତା ନାହିଁ ବୋଲି କୋଟି କୋଟି ଲୋକଙ୍କ ସୂର୍ଯ୍ୟ ପରାଗଦର୍ଶନ ପ୍ରମାଣ କରୁଛି ।

Exit mobile version