ବେପାରୁଆ ଗାଡ଼ି ଚାଳନାର କରୁଣ ପରିଣତି : ଦଣ୍ଡଯାତ୍ରା ଗାଡ଼ି ଦୁର୍ଘଟଣାଗ୍ରସ୍ଥ – ୨ ଦଣ୍ଡୁଆ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

୦୬ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :->  ଦୃତ ଗତି ସହ ବେପାରୂଆ ଗାଡ଼ି ଚାଳନା ଯୋଗୁଁ ଶନିବାର ଭୋର ପ୍ରାୟ ୪ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ସୋମପୁର ଛକ ୫୯ନଂ ଜାତୀୟ ରାଜପଥ ଉପରେ ଏକ ମର୍ମନ୍ତୁଦ ଦୂର୍ଘଟଣା ଘଟିଛି । ବ୍ରହ୍ମପୁର ସହରରୁ ଦଣ୍ଡଭୁକ୍ତାଙ୍କୁ ଧରି ଦୃତ ଗତିରେ ଆସିକା ଅଭିମୁଖେ ଯାଉଥିବା ଏକ ପିକ୍‌ଅପ୍ ଭ୍ୟାନ(ଓଡି୧୩ଜେ ୯୩୪୩) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ପରେ ଜାତୀୟ ରାଜପଥ ପାର୍ଶ୍ଵରେ ଓଲଟି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ୨ଜଣ ଦଣ୍ଡୁଆଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ସେମାନଙ୍କ ମଧ୍ୟରୁ ୧୧ଜଣ ଦଣ୍ଡୁଆଙ୍କ ଅବସ୍ଥା ଗୁରୁତର ଥିବାରୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଆହତଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଲେ ସୋରଡା ଥାନା କାଳିଆଗୁଡା ଗ୍ରାମର ସନ୍ୟାସି ନାୟକ, ଓ ତାମନାଡ ଗ୍ରାମର ଦିପକ ନାୟକ (୪୬) । ଗୁରୁତର ଆହତ ମାନେ ହେଲେ ଗାଙ୍ଗପୁର ଥାନା ଦହିମୁଣ୍ଡଳି ଗ୍ରାମର ଅର୍ନ୍ତର୍ଯ୍ୟାମି ନାୟକ(୫୦), ଭଗବାନ ଗୌଡ(୪୮), ଖଲିଆନା ପ୍ରଧାନ(୫୮), କୃଷ୍ଣ ବରଡ(୫୫), ବିନୋଦ କୁମାର ରାଉତ(୩୩). ଗାଙ୍ଗପୁର ଗ୍ରାମର ଗଙ୍ଗାଧର ଗୌଡ(୪୮),

ବରଡା ଗ୍ରାମର ଶିବରାମ ରଣା(୫୬), ଯାତ୍ରାଶୁଣି ଗ୍ରାମର କୌଳାସ ଚନ୍ଦ୍ର ଗୌଡ(୪୧), ସିଲୁ ଗୌଡ(୩୨), ସାନଡୁଙ୍ଗା ଗ୍ରାମର କାର୍ତ୍ତିକ ନାୟକ(୪୭), ଅନିଲ ନାୟକ(୨୪), ସୁନାପାଲ୍ଲୀ ଗ୍ରାମର କାହ୍ନୁ ଚରଣ ଜେନା(୩୮), କେଶରୀ ଗ୍ରାମର ଟୁନା ଗୌଡ(୩୨), ସୋରଡା ଥାନା କାଳିଆଗୁଡା ଗ୍ରାମର ଟୁକୁନା ନାୟକ(୪୫), କୁଲାଙ୍ଗି ଗ୍ରାମର ପ୍ରମୋଦ ନାୟକ(୨୮), କୁଆଠିପଲ୍ଲୀ ଗ୍ରାମର ଶତୃଘ୍ନ ଗୌଡ(୬୫) ବୋଲି ଜଣାପଡିଛି । ମୃତ ସନ୍ୟାସୀ ଦଣ୍ଡ ଯାତ୍ରା ଦଳରେ ମହୁରିଆ ଭାବେ ନିୟୋଜିତ ଥିଲେ ବୋଲି ଜଣାପଡିଛି।

ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ମୃତ ଓ ଆହତଙ୍କ ବନ୍ଧ୍ମୁ ଓ ସର୍ମ୍ପକୀୟ ହିଞ୍ଜିଳିକାଟୁ ମେଡିକାଲରେ ପହଞ୍ଚି ଥିଲେ। ଆତ୍ମୀୟ ସ୍ଵଜନଙ୍କୁ ହରାଇ ଦୁଃଖ ଓ କୋହରେ ଭାଙ୍ଗି ପଡିଥିବା ଲୋକଙ୍କ କାନ୍ଦ ବୋବାଳିରେ ମେଡିକାଲ ପରିସର ଫାଟି ପଡୁଥିଲା । ଏଭଳି ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ଘଟିଲା ପରେ ଗାଡି ଚାଳକ ଜଣକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଜଣେ ମୃତକର ଖଣ୍ଡ ବିଖଣ୍ଡିତ ଦେହାବଶେଷ ଘଟଣା ସ୍ଥଳରେ ପଡ଼ିଥିଲା ବେଳେ ପିକ ଆପ୍ ଭ୍ୟାନଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି।

ପ୍ରକାଶ ଯେ, ଗାଙ୍ଗପୁର ଥାନା ପାଇଲିପଡା ପଞ୍ଚାୟତ ଦହିମୁଣ୍ଡଳି ଗ୍ରାମର ଦଣ୍ଡଭୁକ୍ତା ମାନେ ଶୁକ୍ରବାର ବ୍ରହ୍ମପୁର ଅଞ୍ଚଳରେ ଦଣ୍ଡ ପରିବେଷଣ କରି ଶନିବାର ଭୋରରୁ ଏକ ବୋଲେରୋ ପିକ୍‌ଅପ୍ ଭ୍ୟାନ ଯୋଗେ ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଗ୍ରାମକୁ ଦଣ୍ଡ ପରିବେଷଣ କରିବା ପାଇଁ ଯାତ୍ରା କରୁଥିଲେ । ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଭ୍ୟାନ ଚାଳକ ଜଣଙ୍କ ଭାରସାମ୍ୟ ହରାଇ ରାସ୍ତା ମଧ୍ୟସ୍ଥ ମେଡିୟାନକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିଥିଲା । ଖବର ପାଇ ହିଞ୍ଜିଳିକାଟୁ ପୁଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ କର୍ମଚାରୀ ଓ କିଛି ସ୍ୱେଛାସେବୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

୧୫ ଜଣ ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏ ନେଇ ପୋଲିସ ହିଞ୍ଜିଳି ଥାନାରେ କେଶ ନଂ ୩୪୧/୨୪ ରେ ଏକ ମାମଲା ରୁଜୁ କରି ୨ ଦଣ୍ଡୁଆଙ୍କ ମୃତଦେହ ଓ ଦୂର୍ଘଟଣାଗ୍ରସ୍ଥ ଭ୍ୟାନକୁ ଜବତ କରିଛି । ପୋଲିସ ୨ ଦଣ୍ଡୁଆଙ୍କ ମୃତଦେହକୁ ବ୍ୟବଛେଦ ସକାଶେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ଦୂର୍ଘଟଣା ପରେ ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାଟି ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି।

Exit mobile version