
ଓଡିଶା ତାଜା ନ୍ୟୁଜ୍ (୩୧ ଜୁଲାଇ ଶୁକ୍ରବାର ) କଳାହାଣ୍ଡି :- ଜିଲ୍ଲାରେ ଦୃତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭବାନୀପାଟଣା ସହର ସହ ଲାଞ୍ଜିଗଡ଼ ବେଦାନ୍ତ ଟାଉନସିପରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଳାହାଣ୍ଡି ପ୍ରଶାସନ ପକ୍ଷରୁ ବ୍ୟାପକ ଟେଷ୍ଟ ପାଇଁ ବେଦାନ୍ତ ଟାଉନସିପକୁ ପ୍ରଶାସନିକ ଅଧିକାରୀ ଯାଉଥିବା ବେଳେ ଲାଞ୍ଜିଗଡ଼ଠାରେ ଜନସାଧାରଣ ପ୍ରଶାସନ ଅଧିକାରୀକୁ ଘେରାଉ କରିଥିଲେ। ଏକ ଘଣ୍ଟା ଧରି ଏଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଲାଞ୍ଜିଗଡ଼,ବସନ୍ତପଡା, ଛତ୍ରପୁର ଓ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ଲୋକଙ୍କ କହିବା ଅନୁସାରେ ଯେଉଁ ଲୋକମାନଙ୍କ ପଜିଟିଭ ଚିହ୍ନଟ ହୋଇଛି ସେମାନେ ଆଖପାଖ ଚାରିଗୋଟି ପଞ୍ଚାୟତର ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ହେଲେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅଣଦେଖା କରି ବେଦାନ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ ପାଇଁ ପ୍ରଶାସନ ଆଗୁଆ ପଦକ୍ଷେପ ନେଉଛି ।
କଳାହାଣ୍ଡି ଏଡିଏମ୍ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ଲାଞ୍ଜିଗଡ଼ ମେଡିକାଲ ଅଫିସର ଇନ୍ଦ୍ର କୁମାର ନାଥାନୀ ସହ କରୋନା ଟେଷ୍ଟ ପାଇଁ ଆସିଥିବା ଟିମକୁ ୧ ଘଣ୍ଟା ଧରି ଲୋକେ ଘେରାଉ କରିଥିଲେ। ଲାଞ୍ଜିଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଇବା ପରେ ଗୋଟିଏ ଦଳ ବେଦାନ୍ତ ଟାଉନସିପକୁ ଓ ଅନ୍ୟ ଏକ ଦଳ ଲାଞ୍ଜିଗଡ଼ ଅଞ୍ଚଳର ୪ଗୋଟି ପଞ୍ଚାୟତର ଗାଁ ଗାଁ ବୁଲି ସ୍କିନିଙ୍ଗ ପ୍ରକ୍ରିୟା ଆରମ୍ଭ କରିଥିଲେ। ଭବାନୀପାଟଣା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ପ୍ରଶାସନ ପକ୍ଷରୁ ୱ।ର୍ଡ ନଂ ୧୪ ପରଦେଶୀପଡା,ୱ।ର୍ଡ ନଂ ୧୫ପୁରୁଣାପଡା ଓ ୱ।ର୍ଡ ନଂ ୨୦ ମନ୍ଦାରବଗିଚା ପଡ଼ାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। (ରିପୋର୍ଟ-ପ୍ରଦୀପ କୁମାର ଗଉଡ)
