ବିଦ୍ୟୁତ୍ ଆଘାତରେ ଯୁବକ ମୃତ

୧ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ  :->  ସୋମବାର ସନ୍ଧ୍ୟାରେ ବେଲଗାଁ ଥାନା ଗଣ୍ଡଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଛାତ ଢଳେଇ କରୁଥିବା ବେଳେ ବିଦ୍ୟୁତ ଆଘାତ ପା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବେଲଗାଁ ଥାନା ଗଣ୍ଡଳା ଗ୍ରାମର ଲିପୁ ଦାସ (୨୭) । ପ୍ରକାଶ ଯେ, ଯୁବକ ଜଣଙ୍କ ସେହି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଛାତ ଢଳେଇ କରୁଥିବା ବେଳେ ନିକଟସ୍ଥ ସ୍ଥାନରେ ଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ ତଳକୁ ଖସି ପଡ଼ିଥିଲେ। ଉପସ୍ଥିତ କିଛି ଶ୍ରମିକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର, ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବେଲଗାଁ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ବେଲଗାଁ ଥାନାରେ କେସ ନମ୍ବର ୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ମଙ୍ଗଳବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନଙ୍କ ସୂତ୍ରରୁ ପ୍ରକାଶ ।

ପ୍ରକାଶ ଥାଉକି, ମୃତକ ଲିପୁଙ୍କ ୨ ନାବାଳକ ପୁଅ ଓ ଏକ କୁନି ଝିଅ ଅଛନ୍ତି । ଅନ୍ୟ ପକ୍ଷରେ ଗୃହ ନିର୍ମାଣ କାର୍ଯ୍ୟରେ ଗୃହ କର୍ତ୍ତା ଜଣକ ଅନ୍ୟ ଏକ ସ୍ଥାନରୁ ବେଆଇନ ଭାବେ ଅସ୍ଥାୟୀ ବିଦ୍ୟୁତ୍ସ ତାର ସଂଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ବିଦ୍ୟୁତ୍ ବିଭାଗର ବିନା ଅନୁମତିରେ ଚୋରା ସଂଯୋଗ ଫଳରେ ଏକ ମୂଲ୍ୟବାନ ଜୀବନ ଚାଲିଗଲା ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି । ଏ ଦିଗରେ ପୋଲିସ ନିରପେକ୍ଷ ତଦନ୍ତ କଲେ ପ୍ରକୃତ ସତ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ସୂଚନା ମିଳିଛି। ଏଭଳି ଏକ ସଂବେଦନଶୀଳ ଘଟଣାକୁ ଚାପି ଦେବା ପାଇଁ ଭିତିରିଆ ବୁଝାମଣା ଚାଲିଛି ବୋଲି ଚର୍ଚ୍ଚା ଧରିଛି।

Exit mobile version