ଭିଜିଲାନ୍ସ ହାତରେ ଧରାପଡିଲେ ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ : ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା  :-> ୫୦ ହଜାର ଟଙ୍କା ନେଇ ଭିଜିଲାନ୍ସ ହାତରେ ପଡ଼ିଛନ୍ତି ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର। ଏମପି ଲ୍ୟାଡ଼ ପ୍ରକଳ୍ପ ପାଇଁ ପିସି ଟଙ୍କା ନେଉଥ‌ିବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଟିମ ତାଙ୍କୁ ଧରିଛି । ସୂଚନା ଅନୁଯାୟୀ, ଏମପି ଲ୍ୟାଡ଼ ପ୍ରକଳ୍ପ ପାଇଁ ଜଣେ ଠିକାଦାରଙ୍କୁ ୧୦ ପ୍ରତିଶତ ପିସି ମାଗିଥିଲେ। ୧୮ ଲକ୍ଷ ଟଙ୍କାର ଏହି କାମର ପିସି ବାବଦରେ ଆଗରୁ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଠିକାଦାରଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ନେଇସାରିଥିଲେ।

ଏନେଇ ଠିକାଦାରଙ୍କ ବାପା ଶିଶିର ମଙ୍ଗରାଜ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଆଜି ଠିକାଦାର ଅବଶିଷ୍ଟ ୫୦ ହଜାର ଟଙ୍କା ଦେବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଡିଏସପି ଚନ୍ଦ୍ରକଳା ଜେନା ଓ ନୂଆଗଡ଼ ଡିଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରି ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ଧରିଥିଲା ଏବଂ ତାଙ୍କଠାରୁ ୫୦ ହଜାର ଟଙ୍କା ଜବତ କରିଥିଲା।

Exit mobile version