ସଙ୍କଟରେ ସମ୍ପର୍କ ” ଶୀର୍ଷକ ଏକ କବିତା ପାଠ ଓ ଆଲୋଚନା ସଭା

୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ :->  ବେଗୁନିଆ ବ୍ଲକ କଣ୍ଟାବାଡ ପଞ୍ଚାୟତ କାଚରା ଗ୍ରାମର ଶ୍ରୀ ତ୍ରିନାଥ ଦେବ କଳା ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ” ସଙ୍କଟରେ ସମ୍ପର୍କ ” ଶୀର୍ଷକ ଏକ କବିତା ପାଠ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଶନିବାର ଅପରାହ୍ନରେ ଗ୍ରାମର ଆରାଧ୍ୟ ଠାକୁର ତ୍ରିନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭାରେ କାର୍ଯ୍ୟକ୍ରମ ଆବାହକ ଶିକ୍ଷାବିତ ଗଗନ ବିହାରୀ ବେହେରା ପୌରୋହିତ୍ୟ କରିଥିଲେ । ଗାୟକ ବସନ୍ତ କୁମାର ଦାସ ଓ ବିଶ୍ୱନାଥ ପଣ୍ଡାଙ୍କ ମଙ୍ଗଳା ଚରଣ ପାଠ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେବା ସହ ସ୍ୱରଚିତ ଆବାହନୀ ସଙ୍ଗୀତ ଗାନ କରିଥିଲେ । ଏଥିରେ ବାଗ୍ମୀ ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର, ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ ଓ  କବିକେତନ ଗୌରଚରଣ ସାମନ୍ତସିଂହାର  ପ୍ରମୁଖ ଅତିଥି ରୂପେ ଯୋଗଦେଇ ସମାଜର ଅବକ୍ଷୟମୁଖୀ ସମ୍ପର୍କକୁ ଶକ୍ତିଶାଳୀ କରିବାରେ ସାହିତ୍ୟର ପ୍ରମୁଖ ଭୂମିକାକୁ ବିଭିନ୍ନ ଉଦାହରଣ ସହ ଆଲୋକପାତ କରିଥିଲେ ।

ଶିକ୍ଷକ ସନ୍ତୋଷ କୁମାର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠରେ କବୟିତ୍ରୀ ପ୍ରତିମା ପ୍ରଧାନ, ମାନସୀ ଦାସ, କବି ବସନ୍ତ କୁମାର ସାହୁ,,ଅଶ୍ବିନୀ କୁମାର ପଟ୍ଟନାୟକ, ଲକ୍ଷ୍ମୀଧର ମହାରଣା,ପୂର୍ବତନ ସେନାନୀ ବସନ୍ତ କୁମାର ହୋତା, ଶରତ ଚନ୍ଦ୍ର ମହାପାତ୍ର ଓ ଶିକ୍ଷାବିତ ଶରତ କୁମାର ପଣ୍ଡାଙ୍କ ସମେତ ବହୁ ସାହିତ୍ୟାନୁରାଗୀ ଅଂଶ ଗ୍ରହଣ କରିଥିଲେ । ଶେଷରେ ଗାୟକ ପ୍ରଦୀପ କିଶୋର ତ୍ରିପାଠୀ ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷକ ବିଜୟ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Exit mobile version