ଲିଜ୍ ଏରିଆ ବାହାରେ  ବେଆଇନ ବାଲି ଖନନ : ଉତ୍ତୋଳନ ଓ ପରିବହନରୁ ଉତ୍ତେଜନା – ପୋଲିସର ତାଗିଦ

୨୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁ :-> ସରକାରୀ ନୀତିନିୟମକୁ ଆଖି ମିଟିକା ମାରି ହିଞ୍ଜିଳି ଥାନା ତଥା ଶେରଗଡ଼ ତହସିଲ ଅଧିନ ସନ୍ତୋଷ ପୁର ବାଲି ଶଯ୍ୟାର ନିର୍ଦ୍ଧାରିତ ଅଞ୍ଚଳ ବାହାରେ ବେଆଇନ ଭାବେ ବାଲି ଖନନ, ଉତ୍ତୋଳନ ଓ ପରିବହନକୁ ନେଇ ଗୁରୁବାର ପିତଳ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଗୁତାଦାର ଓ ତାଙ୍କ ଘନିଷ୍ଠ ସହଯୋଗୀ ପ୍ରଶାସନିକ ଆଇନକୁ ଫୁ କରି ଏଭଳି କଳା କାରନାମା ଆରମ୍ଭ କରିଥିବା ଜଣା ପଡିଛି। ସବୁକିଛି ପ୍ରଶାସନିକ ଅଧିକାରୀ ଓ ତଳୁଆ କର୍ମଚାରୀଙ୍କ ଜ୍ଞାତ ସାରରେ ଚାଲିଛି ବୋଲି ଆଲୋଚନା ହେଉଛି।

ଗୁତାଦାରଙ୍କ ଏଭଳି ବେଆଇନ କାର୍ଯ୍ୟ କଳାପ ପ୍ରତି କିଛି ଅଧିକାରୀ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ମଧ୍ୟ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଗୁତାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲା ସୁତୁରାରେ ବେଆଇନ ବାଲି ଖନନ, ଉତ୍ତୋଳନ ଓ ପରିବହନ ଯୋଗୁଁ ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ଵ ହରାଉଥିବା ଜଣା ପଡ଼ିଛି। କିଛି କର୍ମଚାରୀ ଏଭଳି ରାଜସ୍ଵ କ୍ଷତି ଘଟାଉଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି। ସବୁଠାରୁ ରୋଚକ ପୂର୍ଣ୍ଣ କଥା ହେଲା ଲିଜ ଏରିଆ ଏଵଂ ଲିଜ ବାହାର ଏରିଆ କାହା କାହା ନିୟନ୍ତ୍ରଣରେ ରହିଛି ତାକୁ ନେଇ ବିଭାଗୀୟ ଅଧିକାରୀଙ୍କ ମତ ମନ୍ତବ୍ୟ ସାଧାରଣରେ କାଦୁଅ ଫିଙ୍ଗା ଫିଙ୍ଗି ହେବା ଭଳି ପରିସ୍ଥିତି ସୃଷ୍ଟି କରିଛି। ଶେଷରେ ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଛି।

ସୂଚନା ମୁତାବକ ଶେରଗଡ଼ ତହସିଲ ତଥା ହିଞ୍ଜିଳି ଥାନା ଅଧୀନ ସନ୍ତୋଷ ପୁର ବାଲି ଶଯ୍ୟାରୁ ବାଲି ଉତ୍ତୋଳନ ନିମନ୍ତେ ଗୁତାଦାର ଶରତ ବେହେରାଙ୍କୁ ଅନୁମତି ମିଳିଛି। ଲଘୁ ଖଣିଜ ବିଭାଗ ପକ୍ଷରୁ ୧୨ଏକର ପରିମିତ ଅଞ୍ଚଳରୁ ଖନନ ଓ ଉତ୍ତୋଳନ ନିମନ୍ତେ ମଞ୍ଜୁରୀ ପ୍ରଦାନ କରାଯାଇଛି। ବିଭାଗ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଇ ଖୁଣ୍ଟ ପୋତା ଯାଇଛି।କିନ୍ତୁ ଗୁରୁବାର ନିର୍ଦ୍ଧାରିତ ଅଞ୍ଚଳ ଠାରୁ ୫୦ ମିଟର ଦୂରରେ ବେଆଇନ ଭାବେ ବାଲି ଖନନ, ଉତ୍ତୋଳନ ଓ ପରିବହନ ହେଉଥିବା ଗ୍ରାମବାସୀଙ୍କ ଦୃଷ୍ଟିରେ ପଡ଼ିଥିଲା। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଏହାକୁ ବିରୋଧ କରି ଘଟଣା ସ୍ଥଳରେ ରୁଣ୍ଡ ହୋଇ ପ୍ରତିବାଦ କରିଥିଲେ।

 

ସେଠାରେ ନିୟୋଜିତ ହୋଇଥିବା ୨ ଟି ହିଟାଚି ଓ ବହୁ ସଂଖ୍ୟକ ଟିପ୍ପର ସହାୟତାରେ ବ୍ୟାପକ ଭାବେ ବେଆଇନ ବାଲି ପରିବହନ କରୁଥିବା ଅଭିଯୋଗ କରିଥିଲେ। ଘଟଣା ନେଇ ଗ୍ରାମବାସୀ ଜିଲ୍ଲା ଲଘୁ ଖଣିଜ ଅଧିକାରୀ,ଶେରଗଡ଼ ତହସିଲଦାର, ପିତଳ ରାଜସ୍ବନିରୀକ୍ଷକ ଓ ହିଞ୍ଜିଳି ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକଙ୍କ ଅଭିଯୋଗ ଶୁଣି ପଦକ୍ଷେପ ନେବା ପରିବର୍ତ୍ତେ ଜିଲ୍ଲା ଲଘୁ ଖଣିଜ ଅଧିକାରୀ ଓ ତହସିଲଦାରଙ୍କ ଲିଜ ଅଞ୍ଚଳ ପ୍ରସଙ୍ଗରେ ଭ୍ରମାତ୍ମକ ମନ୍ତବ୍ୟ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିଲା। ଶେଷରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ନିର୍ଦ୍ଦେଶରେ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲ।

ବେଆଇନ ଭାବେ ବାଲି ଉତ୍ତୋଳନ ନେଇ ଲିଜ ଧାରୀ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କୁ ତାଗିଦ କରିବା ସହ ଏହାର ପୁନରାବୃତ୍ତି ହେବନାହିଁ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲା। ଶେଷରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।ପ୍ରକାଶ ଥାଉକି,ଗତ ୧୧ ଅକ୍ଟୋବର ୨୦୨୩ ସାଲରେ ତହଁର-ଭେଟ ସିଙ୍ଗି ସେତୁ ନିକଟରୁ ନିଲାମ ହୋଇ ନ ଥିବା ବାଲି ଶଯ୍ୟାରୁ କିଛି ବାଲି ମାଫିଆ ସଂଘଟିତ ଭାବେ ମହାଲୁଟ ଚଳାଇ କୋଟି କୋଟି ଟଙ୍କାର ବାଲି ପରିବହନ ହେଉଥିବା ନେଇ ଅଭିଯୋଗ ହେଇଥିଲା। ସନ୍ତୋଷ ପୁର ବାଲି ଶଯ୍ୟାରେ ସେହି ଘଟଣାର ପୁନରାବୃତ୍ତି ଆରମ୍ଭ ହୋଇଛି ବୋଲି ପିଂକୁ ପରିଡ଼ା, ଦିଲ୍ଲୀପ ବେହେରା, ରଞ୍ଜନ ଜେନା, ହୃଦାନନ୍ଦ ସାହୁ, ପ୍ରଶାନ୍ତ ପ୍ରଧାନ, ନିରାକାର ସାହୁ, ସଞ୍ଜୟ ପ୍ରଧାନ, ତୋଫାନ ସେଠୀଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବେଆଇନ ଉତ୍ତୋଳନ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

Exit mobile version