ଦଶପଲ୍ଲା ପୁଲିସ୍ କୁ ବଡ ସଫଳତା, ନଗଦ ଟଂକା, ସିମ୍ କାର୍ଡ ସହିତ ଅପରାଧୀକୁ ଗିରଫ କଲା ଦଶପଲ୍ଲା ପୋଲିସ୍

୨୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :- ଦଶପଲ୍ଲା ପୋଲିସ କୁ ମିଳିଛି ବଡ ସଫଲତା । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ୍ ନିକଟରୁ ଗତ ୨୨ ତାରିଖ ରାତିରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନିଠାରୁ ହୋଇଥିବା ଏକ ବଡ଼ ଧରଣର ଡକାୟତି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଦଶପଲ୍ଲା ଥାନା ଅଞ୍ଚଳରୁ ଗିରଫ କରିଛି। ସଂପୃକ୍ତ ଅଭିଯୁକ୍ତଠାରୁ ପୁଲିସ ନଗଦ ୧ ଲକ୍ଷ ୯୭ ହଜାର ଟଙ୍କା ସହିତ ୫ଟି ମୋବାଇଲ୍ ଫୋନ୍, କିଛି ସିମ୍ କାର୍ଡ ଓ ଏଟିଏମ୍ କାର୍ଡ ଆଦି ଜବତ କରିଛି। ଅଭିଯୁକ୍ତ ଜଣକ କୋଦଳା ଥାନା ଅଧୀନସ୍ଥ ବେଗୁନିଆପଡ଼ା ଗ୍ରାମର ଶାନ୍ତନୁ ପ୍ରସାଦ ତାରେଣୀ(୨୮)। ସୂଚନା ଅନୁଯାୟୀ,

୨୨ ତାରିଖ ରାତି ପ୍ରାୟ ୯ଟା ସମୟରେ ଏହି ଫାଇନାନ୍ସ କମ୍ପାନିର କିଛି କର୍ମଚାରୀ ଟଙ୍କା ଅସୁଲ କରି ଫେରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଶାଳିଆ ଡ୍ୟାମ୍‌ଠାରେ ମୁହଁରେ କଳାକନା ଗୁଡ଼ାଇ ରାସ୍ତାରେ ଡାଳ ପକାଇ ରାସ୍ତା ଅବରୋଧ କରିଥିଲେ। ହାତରେ ଠେଙ୍ଗା, ଛୁରି ଆଦି ମାରଣାସ୍ତ୍ର ଧରି କର୍ମଚାରୀଙ୍କଠାରୁ ପ୍ରାୟ ସାଢ଼େ ୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏନେଇ ଫାଇନାନ୍ସ କର୍ମଚାରୀଙ୍କ ପକ୍ଷରୁ ବାଣପୁର ଥାନାରେ ଅଭିଯୋଗ ହୋଇଥିଲା ।

ପୁଲିସ ଘଟଣାର ଛାନଭିନ୍ ଚଳାଇଛି। ଏହାରି ମଧ୍ୟରେ ଶାନ୍ତନୁ ଦଶପଲ୍ଲା ଥାନା ଅନ୍ତର୍ଗତ ଖଣ୍ଡପଡା ଗ୍ରାମର ଭୋଇସାହି ଗ୍ରାମରେ ଲୁଚି ରହିଥିଲା। ମୋବାଇଲ ଫୋନ୍ ଟ୍ରାକ୍ କରିବା ପରେ ଦଶପଲ୍ଲା ପୁଲିସକୁ ସୂଚନା ମିଳିଥିଲା। ଦଶପଲ୍ଲା ଥାନା ଅଧିକାରୀ ମୁକେଶ କୁମାର ବେହେରା ଚଢ଼ଉ କରି ଅଭିଯୁକ୍ତକୁ କାବୁ କରିଥିଲେ। ଅଭିଯୁକ୍ତକୁ ବାଣପୁର ପୁଲିସର ଜିମା ଦିଆଯିବ ବୋଲି ପୁଲିସ କହିଛି ।

Exit mobile version