ଭୌମୀ ଏକାଦଶୀ ପାଇଁ ନିଆଳୀ ଅଞ୍ଚଳର ମାଧବାନନ୍ଦ ଜୀୟୁଙ୍କ ପୀଠ ଚଳଚଞ୍ଚଳ

୨୦ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :-> ମଙ୍ଗଳବାର ପବିତ୍ର ମାଘ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ଏହି ତିଥିକୁ ଭୌମୀ ଏକାଦଶୀ ମଧ୍ୟ କୁହାଯାଏ । ପୁରାଣରୁ ଜଣାଯାଏ ଆଜିର ଦିନରେ ଭୀମ ଭୌମାସୁରକୁ ନିହତ କରିଥିଲେ । ଭୌମାସୁର ଲୁଚେଇ ରଖିଥିବା ମାଧବଙ୍କ ମୂର୍ତ୍ତୀ ଆଣି ଭୀମ ପ୍ରତିଷ୍ଠା କରିଥିଲେ । କଟକ ଜିଲ୍ଲା ନିଆଳୀ ବ୍ଲକ ପନିମାଳ ନିକଟରେ ବହି ଯାଇଥିବା ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ପ୍ରାଚୀ ନଦୀ କୂଳରେ ପ୍ରଭୁ ମାଧବାନନ୍ଦଙ୍କ ମନ୍ଦିର ଅବସ୍ଥିତ । ଆଜିର ଦିନରେ ପ୍ରଭୁ ମାଧବଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇଥିବାରୁ, ଏହି ଦିନକୁ ମାଧବଙ୍କ ଜନ୍ମ ଦିବସ ବା ଭୌମୀ ଏକାଦଶୀ ବୋଲି କୁହାଯାଏ ।

ସୋମବାର ରାତିରୁ ମାଧବଙ୍କ ମନ୍ଦିର ପରିସରରେ ଶହଶହ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ରାତ୍ର ଉଯାଗର ରହିଥିଲେ । ପ୍ରବାଦ ରହିଛି ଭୌମୀ ଏକାଦଶୀ ଦିନ ଯେଉଁ ବ୍ୟକ୍ତି ପ୍ରାଚୀ ନଦୀରେ ବୁଡ଼ ପକାଇ ମାଧବଙ୍କୁ ଦର୍ଶନ କରେ ଜୀବନରେ କୋଟିପୂର୍ଣ୍ଣ ଅର୍ଜନ ମିଳିଥାଏ । ଏଥିପାଇଁ ମଙ୍ଗଳବାର ଭୋରୁ ଶହଶହ ଶ୍ରଦ୍ଧାଳୁ ପୁରାଣ ପ୍ରସିଦ୍ଧ ପ୍ରାଚୀ ନଦୀରେ ବୁଡ଼ ପକାଇ ପ୍ରଭୁ ମାଧବାନନ୍ଦଙ୍କୁ ଦର୍ଶନ କରିବା ସହ ପୂଜା ଅର୍ଚ୍ଚନା କରିଥିଲେ । ଦୁଇ ଦିନ ଧରି ମାଧବାନନ୍ଦ ମନ୍ଦିର ପରିସର ଚଳ ଚଞ୍ଚଳ ହୋଇ ଉଠିଥିଲା । ମାଧବାନନ୍ଦ ଜୀଉ ହେଉଛନ୍ତି ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ।

ଠିକ୍ ଯେମିତି ପ୍ରଥମା ଅଷ୍ଟମୀ ରେ ମାମୁଁ ଘରୁ ପୋଢୁୁଆଁ ଭାର ଶ୍ରୀକ୍ଷେତ୍ର ଯାଇଥାଏ ସେହିପରି ଭୌମୀ ଏକାଦଶୀରେ ଭଣଜା ମାଧବଙ୍କ ଘରୁକୁ ଶ୍ରୀକ୍ଷେତ୍ର ରୁ ସେବାୟତ ମାନେ ଖଣ୍ଡୁଆ ପାଟ ସହ ଫୁଲ, ଚନ୍ଦନ, ଫଳ ଆଦି ସାମଗ୍ରୀ ଆଣି ମାମୁଁ ଘର ନିଆଳି ଅଞ୍ଚଳର ମାଧବ ମନ୍ଦିରରେ ଦିନ ସାଢ଼େ ୧୨ ଟା ସମୟରେ ଆସି ପହଞ୍ଚି ଥିଲେ । ସେବାୟତ ମାନଙ୍କୁ ସଙ୍କୀର୍ତ୍ତନ, ପାଲା, ଭଜନ, ପାରମ୍ପରିକ କଳାକୃତି ମାଧ୍ୟମରେ ମାଧବ ପୀଠ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା ।

ଆଜି ଦିନ ସାରା ମାଧବ ମନ୍ଦିରରେ ପ୍ରବଚନ, ଭଜନ ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲୁରହିବ । ଆଖପାଖ ଅଞ୍ଚଳରୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ସମାଗମକୁ ଦୃଷ୍ଟିରେ ରଖି ନିଆଳି ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଉଛି । ଏହି ପୀଠରେ ମାଧବାନନ୍ଦ ମନ୍ଦିରର ଟ୍ରଷ୍ଟି ତହସିଲଦାର ପୂର୍ଣ୍ଣଚନ୍ଦ୍ର ଜେନା , ନିଆଳି ଥାନା ଆଇଆଇସି ତପନ କୁମାର ରାଉତ ଉପସ୍ଥିତ ରହି ପରିସ୍ଥିତି ପ୍ରତି ଦୃଷ୍ଟି ରଖିଛନ୍ତି ।

Exit mobile version