ସାଧାରଣ ଜନତାଙ୍କ ପାଇଁ ମରଣଯନ୍ତ : ଅଳିଆ ଟ୍ରକ୍ କବଜାରେ ସୈନିକ ସ୍କୁଲ୍ ରାସ୍ତା

୧୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ମଞ୍ଚେଶ୍ବର ଆଦିମାତା କଲୋନିଠାରୁ ଭିଏଏସ୍ ନଗର ମହାବୀର ବସ୍ତି ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତା ଏବେ ସାଧାରଣ ଜନତାଙ୍କ ପାଇଁ ଏକ ପ୍ରକାର ମରଣଯନ୍ତା ପାଲଟିଛି । ପ୍ରତିଦିନ ଘଟୁଛି ଦୁର୍ଘଟଣା, ଟିକିଏ ଅସାବଧାନ ହେଲେ ଟ୍ରକ୍ ଚକାତଳେ ଚାଲିଯିବ ଜୀବନ। ରାସ୍ତାର ଦୁଇ ପାଖରେ ଅଳିଆ ଟ୍ରକ୍ ଦିନ ତମାମ କବଜାକରି ରହୁଥିବାରୁ ଏପରି ଦୁର୍ଘଟଣା ବର୍ତମାନ ସୈନିକ ସ୍କୁଲ ଅଳିଆ ଗଦା ରାସ୍ତାପାଇଁ ଏକ ପ୍ରକାର ଦେହସୁଆ ଘଟଣାପାଲଟିଛି। ତଥ୍ୟ ଅନୁଯାୟୀ ଗତ ୧ମାସ ମଧ୍ୟରେ ଉକ୍ତ ସ୍ଥାନରେ ୪ଟି ଦୁର୍ଘଟଣା ଘଟିଥିବା ବ‌େଳେ ଦୁଇ ଜଣ ବ୍ୟକ୍ତିଙ୍କ ଜୀବନ ସଙ୍କଟାପୂର୍ଣ୍ଣ ରହିଛି।

ସେମାନେ ପଟିଆ ନିକଟ ଏକ ଘରୋଇ ହସ୍ପିଟାଲ୍‌ରେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ ଗତ ମଙ୍ଗବାର ଦିନ ଅଶୋକ ନାୟକ ନାମକ ଜଣେ ବ୍ୟକ୍ତି ସଂଧ୍ୟାରେ ଭିଏସ୍ଏସ୍ ନଗରରୁ ଗାଡ଼କଣ ଯାଉଥିବା ବ‌େଳେ ଅଳିଆ ଗାଡ଼ି ସହ ପିଟି ହୋଇ ଆହତ ହୋଇଥିଲେ। ସେହିଭଳି ବୁଧବାର ଦିନ ଏକ ଅଳିଆ ବୋଝେଇ ଟ୍ରକ୍ ହଠାତ୍ ୟୁଟ୍ରନ୍ କରୁଥିବା ବ‌େଳେ ଚନ୍ଦ୍ରଶେଖରପୁର ଅଞ୍ଚଳର ସୁନିତା ବେହେରା ନାମ୍ନୀ ଜଣେ ଯୁବତୀ ପିଟି ହୋଇ ଖଣ୍ଡିଆ ଖାବରା ହୋଇଥିଲେ।

ସେହିଭଳି ନୀଳାଦ୍ରିବିହାରର ସତ୍ୟସୁନ୍ଦର ସାହୁ ଓ କୁମାର ନାରାୟଣ ଓଝା ବାଇକ୍‌ରେ ଭିଏସ୍ଏସ୍ ନଗର ଦିଗକୁ ବାଇକ୍ ଯୋଗେ ଅଣଓସାରିଆ ରାସ୍ତାଦେଇ ଯାଉଥିବା ବ‌େଳେ ହଠାତ୍ ଅଳିଆ ବୋଝେଇ ଗାଡ଼ି ତାଙ୍କୁ ସାଇଡ଼ମାରି ଚାଲିଯାଇଥିଲା। ଫଳରେ ସେମାନେ କାଦୁଅରେ ସ୍ଲିପକରି ଆହତ ହୋଇଥିଲେ। ସୂଚନା ଥାଉକି ଉକ୍ତ ସୈନିକସ୍କୁଲ୍ ଅଳିଆଗଦାରେ ଗାଡ଼ିଗୁଡ଼ିକ ଘଣ୍ଟା ଘଣ୍ଟାଧରି ଅଳିଆ ଓଜନ ମାପିବାପାଇଁ ଉକ୍ତ ଦୁଇ ଥାକିଆ ରାସ୍ତାର ଉଭୟ ପାଖକୁ ଜବର ଦଖଲକରି ରହୁଥିବାରୁ ସାଧାରଣ ଯାତ୍ରୀ ସଙ୍କୁଚିତ ରାସ୍ତାରେ ଯାତାୟତ କରୁଛନ୍ତି।

ଅନେକ ସମୟରେ ବଡ଼ ଗାଡ଼ି ଡ଼ମ୍ପିଂଆଡ଼ ଭିତରେ ପ୍ରବେଶ କଲାବେଳେ ଗୋଟିଏ ପାଖ ରାସ୍ତାକୁ ବନ୍ଦ କରିଦିଆଯାଉଛି । ଯାହାନେଇ ଯାତ୍ରୀମାନେ ୱାନ୍‌ୱେ ରାସ୍ତା ଉପରେ ନିର୍ଭର କରୁଛନ୍ତି। ଦୁର୍ଗନ୍ଧରୁ ବର୍ତ୍ତିବା ପାଇଁ ବାଇକ୍ ଆରୋହିମାନେ ଉକ୍ତ ସ୍ଥାନଟିକୁ ଦୃତଗତିରେ ପାରକରିବାପାଇଁ ଚେଷ୍ଟାକଲାବେଳେ ପିଟାପିଟି ହୋଇ ଆହତ ହେଉଛନ୍ତି। ପ୍ରତିଦିନ ଉକ୍ତ ରାସ୍ତା ଅଳିଆ ପାଣିରେ କାଦୁଅ ହେଉଥିବାରୁ ଏହି ରାସ୍ତାରେ ଦୁଇ ଚକିଆ ସାମାନ୍ୟ ନିୟନ୍ତ୍ରଣ ହରାଇଲେ ବଡ଼ ଧରଣର ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ମାତ୍ର ଏହି ସମସ୍ୟାର ସମାଧାନ ନେଇ କ‌ୌଣସି ପ୍ରକାର ସୁବନ୍ଦବସ୍ତ କରାଯାଉନଥିବା ସ୍ଥାନୀୟ ଲୋକ ଅଭିଯୋଗ ହୋଇଛି।

Exit mobile version