୧୪ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :- ଓଡ଼ିଶାର ପ୍ରାଣିଚିକିତ୍ସକମାନେ ଗତ ତା ୧୮.୦୧.୨୪ ରିଖ ଠାରୁ ଆଜି ସୁଦ୍ଧା ୨୮ ଦିନ ହେଲା ସମୂହ ଛୁଟିରେ ରହିବା ସହିତ ଜିଲ୍ଲା ସ୍ତରରେ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀମାନଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି । ସେମାନେ ଗତ ପ୍ରାୟ ଦୁଇ ବର୍ଷ ଧରି ନିଜର ଚାରି ଦଫା ଦାବି ଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନ କରି ଆସୁଛନ୍ତି । ରାଜ୍ୟର ପ୍ରାଣିପାଳକ ମାନଙ୍କ ହିତରେ ବିଭାଗୀୟ ରୂପାନ୍ତରଣ ଯଥା ନିଶୁଳ୍କ ଚିକିତ୍ସା, ବିଶେଷଜ୍ଞ ଚିକିତ୍ସା, ୨୪ ଘଣ୍ଟିଆ ସେବା, ଇତ୍ୟାଦି ସହିତ ଓଡ଼ିଶାରେ ପ୍ରଣିଚିକିତ୍ସକ ମାନଙ୍କୁ କେନ୍ଦ୍ରୀୟ ହାରରେ ପଦୋନ୍ନତି ସୁବିଧା (ଡିଏସିପି), ନନ୍ ପ୍ରାକ୍ଟିସିଂ ଭତ୍ତା (ଏନ ପି ଏ) ଓ କ୍ୟାଡ଼ର ପୁନର୍ଗଠନ ପାଇଁ ମଧ୍ୟ ସଂଘ ଦାବି ଜଣାଇଆସୁଛି। ଗତ ଚାରି ସପ୍ତାହର ଆନ୍ଦୋଳନ ମଧ୍ୟରେ ରାଜ୍ୟରେ ପ୍ରାଣି ଚିକିତ୍ସା ସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ନିକଟରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅଞ୍ଚଳରେ ଜଣେ ଗରିବ ଛେଳିପାଳକଙ୍କର ନଅଟି ଛେଳି ଜଣେ କ୍ଵାକର ଭୁଲ ଚିକିତ୍ସା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ସାରା ରାଜ୍ୟରେ ଗତ ମାସକ ମଧ୍ୟରେ ଏହିପରି ଶହ ଶହ ଉଦାହରଣ ଥିଲେ ହେଁ ସରକାର ନୀରବ ଦ୍ରଷ୍ଟା ସାଜିବା ସହିତ କିଛି ନ ଜାଣିବା ପରି ଅଭିନୟ କରିବାକୁ ଶ୍ରେୟସ୍କର ମଣୁଛନ୍ତି ।ସେହିପରି ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ନାନାଦି ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି ।
ବିମାକୃତ ପ୍ରାଣୀମାନେ ମୃତ୍ୟୁବରଣ କଲେ ତାଙ୍କର ପୋଷ୍ଟ ମଟମ କରାଯାଇ ପାରୁନାହିଁ । ସରକାରଙ୍କ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ସମ୍ପୂର୍ଣ ଠପ ହୋଇଯାଇଛି । ଚାରୋଟି ଅନ୍ୟ ବିଭାଗ ଅଂଶୀଦାର ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଗତିହୀନ ହୋଇପଡିଛି । ପୁଲିସ ଓ ବନବିଭାଗର କେସ ଗୁଡିକ ଠିକ ଭାବେ ତଦନ୍ତ ନକରି ବେଆଇନ ଭାବେ ପ୍ରକ୍ରିୟାକରଣ କରାଯାଉଛି । ରାଜ୍ୟର ଗରିବ ଚାଷୀମାନେ ବିଭିନ୍ନ ସରକାରୀ ଯୋଜନା ଅଧୀନରେ ସେମାନଙ୍କ ପ୍ରାପ୍ୟ ପାଇପାରୁନାହାନ୍ତି। ଆନିମାଲ ହେଲ୍ପ ଲାଇନ ଆଜି ଏକ ପରିହାସର କାରଣ ପାଲଟିଛି। ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ମୁଖ୍ୟତଃ ଫାଟୁଆ ନିରାକରଣ) ସମ୍ପୂର୍ଣ ବନ୍ଦ ହୋଇଯିବା କାରଣରୁ ରାଜ୍ୟର ଏକ କୋଟି ପ୍ରାଣୀଙ୍କ ଜୀବନ ସଂକଟାପନ୍ନ ଅବସ୍ଥାରେ ଅଛି। ଜାତୀୟ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ବିଭାଗରେ ଚାରି ସପ୍ତାହ ଧରି ବାର୍ତ୍ତା ସରବରାହ ଓ ରିପୋର୍ଟିଂ ପ୍ରାୟ ବନ୍ଦ ହୋଇ ଯାଇଛି। ଜଣ ସାଧାରଣ ଅସୁବିଧାରେ ପଡି ମୋ ସରକାର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ଜିଲ୍ଲାପାଳଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁ ନହିଁ। ଏପରି ଅନେକ ଘଟଣା ପ୍ରତିଦିନ ସାମୂହିକ ଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ତେବେ ଏକପକ୍ଷରେ ରାଜ୍ୟରେ ପ୍ରାଣିପାଳକ ମାନେ ଗତ ୨୮ ଦିନ ହେବ ପ୍ରଭୂତ କ୍ଷତିର ସମ୍ମୁଖୀନ ହେଉଥିବା ବେଳେ ଅନ୍ୟ ପକ୍ଷରେ ସରକାର ଏହି ସମସ୍ୟାର ସମାଧାନ ଦିଗରେ ଇଚ୍ଛୁକ ନ ଥିବା ଭଳି ଆଚରଣ କରୁଛନ୍ତି ।ଏ ସମ୍ପର୍କରେ ବହୁବାର ସଂଘ ଓ ସରକାର ଯଥା ବିଭାଗୀୟ ପ୍ରମୁଖ ଶାସନ ସଚିବ ଓ ବିଭାଗୀୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ହେଁ ସରକାର ସଂଘର ଯୁକ୍ତିଯୁକ୍ତଦାବି ଗୁଡିକ ପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି । ଗତ ତା ୧୨.୦୨.୨୦୨୪ ରିଖରେ ଲୋକସେବା ଭବନ ପରିସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ସହିତ ଓଡ଼ିଶା ପ୍ରାଣିଚିକିତ୍ସା ସେବା ସଂଘର କର୍ମକର୍ତ୍ତା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।କିନ୍ତୁ ଦୁର୍ଭାଗ୍ୟ ବଶତଃ ଉକ୍ତ ବୈଠକରେ ସଂଘର ସମସ୍ତ ଦାବି ଉପରେ କୌଣସି ଆଲୋଚନା ହୋଇ ପାରିନଥିଲା ବାକୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ହୋଇପାରିନଥିଲା ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଛି। ଅତଏବ ତା ୧୩.୦୨.୨୪ ରିଖରେ ଅଭାଷୀ ମାଧ୍ୟମରେ ସଂଘର ଏକ ସାଧାରଣ ସଭାରେ ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ଏଥିରେ ସଂଘର ସମସ୍ତ ସଭ୍ୟ ରାଜଧାନୀକୁ ଆସି ରାଜ୍ୟସ୍ତରରେ ଧାରଣା ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ହୋଇଥିଲା ।ଆସନ୍ତା ୧୬ ତାରିଖରୁ କଟକଠାରେ ଥିବା ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟଠାରେ ଧାରଣା ଦିଆଯିବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି। ତଥାପି ଯଦି ସରକାର ଉପଯୁକ୍ତ ପଦକ୍ଷେପ ନ ନିଅନ୍ତି ତେବେ ସଂଘ ଆମରଣ ଅନାଶନକୁ ଅଲହଇବାକୁ ମଧ୍ୟ ପଛାଇବା ନାହିଁ ବୋଲି ଚେତାବନୀ ଦେଇଛି। ଏହି ପରିପ୍ରେକ୍ଷିରେ ସଂଘ ତରଫରୁ ଯଥାଶୀଘ୍ର ପ୍ରାଣିଚିକିତ୍ସକ ମାନଙ୍କ ଯୁକ୍ତିଯୁକ୍ତ ଦାବି ଗୁଡିକ ଉପଯୁକ୍ତଭାବେ ବିଚାର କରି ନ୍ୟାୟପୂର୍ଣ ନିଷ୍ପତ୍ତି ନେବା ପାଇଁ ସରକାରଙ୍କୁ ପୁଣିଥରେ ନିବେଦନ କରାଯାଇଛି ଓ ଏହାଦ୍ବାରା ପ୍ରାଣିଚିକିତ୍ସକ ମାନଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଜାରି ରହିଥିବା ଅଚଳାବସ୍ଥା ଖୁବ ଶୀଘ୍ର ଦୂର ହେବ ବୋଲି ଆଶା ପ୍ରକଟ କରାଯାଇଛି। ତେବେନିଜ ଦୁର୍ଦ୍ଦଶା ରୁ କିଛିଟା ଆଶ୍ଵସ୍ତିର ଆଶା ରଖିଥିବା ପ୍ରାଣିପାଳକମାନେ ଏହା ଦ୍ୱାରା ବହୁ ପରିମାଣରେ ହତାଶ ହୋଇଛନ୍ତି। ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ସେମାନେ ପୁଣି ଅନିଶ୍ଚିତ କାଳ ପାଇଁ ଦୁର୍ଦ୍ଦଶକୁ ଠେଲି ହୋଇ ଯାଇଛନ୍ତି

