ଝୋଟ ତିଆରି ବ୍ୟାଗ ପ୍ରଦାନ

୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ହିଞ୍ଜିଳିକାଟୁ :-> ଗତ ୯ ତାରିଖରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ହିଞ୍ଜିଳିକାଟୁ ବ୍ଲକରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଝୋଟ ତିଆରି ବ୍ୟାଗ ପ୍ରଦାନର ଶୁଭାରମ୍ଭ ହୋଇଥିଲା। ଏହି କ୍ରମରେ ସୋମବାର ହିଞ୍ଜିଳିକାଟୁ ବ୍ଲକ ରାଳବ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଖାଦ୍ୟ ସୁରକ୍ଷା ହିତାଧୀକାରୀଙ୍କୁ ୨ଟି ଲେଖାଏଁ ଝୋଟ ତିଆରି ବ୍ୟାଗ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସରପଞ୍ଚ ରଶ୍ମିତା ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ,ସମ୍ମାନିତ ଅତିଥି ରୂପେ ରୀନା ପୋଲେଇ, ଜିଲ୍ଲା ପରିଷଦ ସଭ୍ୟ ଓ କୃଷି ସୂଚନା ଓ ତାଲିମ ଉପଦେଷ୍ଟା ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ସବୁଜ ଓଡ଼ିଶା ଗଠନ ପାଇଁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ,ପଲିଥିନ ବ୍ୟବହାର ହ୍ରାସ କରିବା ସହ ପରିବେଶର ସୁରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ଏକ ହୋଇ କାମ କରିବା ପାଇଁ ମୁଖ୍ୟ ଅତିଥି ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ ୧୦ ଏବଂ ୨୦ କେଜି ଓଜନ ବିଶିଷ୍ଟ ୨ଟି ଲେଖାଏଁ ଝୋଟ ତିଆରି ବ୍ୟାଗ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ର ସଂଯୋଜନା କରିଥିଲେ। ଜିଆରଏସ୍ ସନ୍ତୋଷ କୁମାର ନାୟକ,କାଳୀ ଦଳାଇ,ଶୁଭ୍ରକେଶ ଦଳେଇ ଯୋଗାଣ ସହାୟକ ସୁବାସ ଚନ୍ଦ୍ର ରାଉତ ସହଯୋଗ କରିଥିଲେ ।

Exit mobile version