୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ନିଆଳି :- କଟକ ଜିଲ୍ଲାର ନିଆଳି ବସ୍ତି ଏବଂ ଖୋର୍ଦ୍ଧା ଜିଲ୍ଲା ନରିଶୋ ଗ୍ରାମ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପୂର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ଆଜି ବାଲିପାଟଣା ଥାନା ପରିସରରେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତି କମିଟି ଗଠନ କରାଯାଇଛି । ଉଭୟ ଗୋଷ୍ଠୀର ୧୦ ଜଣ ଲେଖାଏଁ ବ୍ୟକ୍ତି ଉପସ୍ଥିତ ରହିବା ସହ ଗ୍ରାମରେ ଶାନ୍ତି ଫେରାଇବା ପାଇଁ ଚାଲିଥିଲା ଚେଷ୍ଟା । ଉଭୟ ପକ୍ଷଙ୍କ ମୂରବୀମାନଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇଛି । କିଛି ଦିନ ତଳେ , କମେଣ୍ଟ ମରାକୁ କେନ୍ଦ୍ର କରି ନରିଶୋ ଏବଂ ନିଆଳି ବସ୍ତିର ଯୁବକ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏଥିରେ ଜଣେ ନରିଶୋ ଗ୍ରାମର ଯୁବକ ଗୁରୁତର ଭାବେ ଆହତ ହୋଇଥିଲା । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଖାଦେଇଥିଲା । ପରେ ବାଲିପାଟଣା ପୋଲିସ ଏକ ମାମଲା ରୁଜୁ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଗାଁରେ ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଉଭୟ ଗ୍ରାମରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଉଭୟ ପକ୍ଷଙ୍କୁ ନେଇ ପୋଲିସ ପକ୍ଷରୁ ଏକ ଶାନ୍ତି କମିଟି ଗଠନ କରାଯାଇଛି । ବରିଷ୍ଠ ପୋଲିସ୍ ଅଧିକାରୀ ଭୁବନେଶ୍ଵର ADCP ପ୍ରକାଶ ପାଲ୍, ଜୋନ୍ – ୪ ଏସିପି ଶୁଭ୍ରାଶୁଂ ଶେଖର ନାୟକ, କଟକ ଆଡିଶିନାଲ୍ ଏସ୍ ପି ଡି ବରାଳ, ନିଆଳି ଏସ୍.ଡି ପିଓ ଶୁଭ୍ରାଶୁଂ ଶେଖର ପରିଡା, ବାଲିପାଟଣା ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତି, ନିଆଳି ଥାନା ଅଧିକାରୀ ତପନ କୁମାର ରାଉତ ଉଭୟ ପକ୍ଷଙ୍କୁ ଶାନ୍ତି ଫେରାଇବା ପାଇଁ ପରାମର୍ଶ ଦେବା ସହ ଶାନ୍ତି କମିଟି ଗଠନ କରିଛନ୍ତି । ପରବର୍ତ୍ତି ସମୟରେ କୌଣସି ଗଣ୍ଡଗୋଳ ଘଟିବ ନାହିଁ ବୋଲି ଉଭୟ ପକ୍ଷ ପ୍ରତିଶୃତି ଦେଇଛନ୍ତି । ଅନେକ ସମୟରେ ନିଆଳି ବସ୍ତି ଏବଂ ନରିଶୋ ଗ୍ରାମ ମଧ୍ୟରେ ଛୋଟ ବଡ ଗଣ୍ଡଗୋଳ ଘଟୁ ଥାଏ । ଏହି ଶାନ୍ତି କମିଟିକୁ ନେଇ ଉଭୟ ପକ୍ଷ ଗ୍ରାମ ମଧ୍ୟରେ ଖୁସି ଦେଖା ଦେଇଛି ।

