ନୟାଗଡ଼ର ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ପରୀ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି : ଆସାମୀକୁ ୨୦ବର୍ଷ ସଜ୍ଜା

ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ

୭ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ନୟାଗଡ :-> ନୟାଗଡ଼ର ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ପରୀ ହତ୍ୟାକାଣ୍ଡର ରାୟ ଆଜି ପ୍ରକାଶ ପାଇଛି । ୪୮୦ ପୃଷ୍ଠାର ଚାର୍ଜସିଟ୍ ୮୫ ସାକ୍ଷୀଙ୍କ ସାକ୍ଷ୍ୟ ଆଧାରରେ ମାନ୍ୟବର ଚିଲ୍‌ଡ୍ରେନ କୋର୍ଟ ରାୟ ଶୁଣାଇଛନ୍ତି ଅଭିଯୁକ୍ତ ସରୋଜ ସେଠୀ ୨୦ ବର୍ଷ ଜେଲ ଦଣ୍ଡ ଦେବା ସହ ୬୦୦୦ ଟଙ୍କା ଯୋରିମନା କରାଯାଇଛି । ୬୦୦୦ ଟଙ୍କା ଦେଇ ନପାରିଲେ ଆଉ ୧ବର୍ଷ ଜେଲ ଦଣ୍ଡ ଭୋଗିବେ ବୋଲି ଆଜି ଚିଲ୍‌ଡ୍ରେନ କୋର୍ଟ ରାୟ ଦେଇଛନ୍ତି ।

ଏହି ମାମଲାରେ ଏସଆଇଟିର ଆଇନଜୀବୀ ଚିତ୍ତରଞ୍ଜନ କାନୁନଗୋ ଓ ନୟାଗଡ଼ର ସରକାରୀ ଆଇନଜୀବୀ ଅନୁୱାର ମଲ୍ଲିକ କେସ୍‌ ପରିଚାଳନା କରିଥିଲେ । ସୂଚନାନୁସାରେ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁରେ ଘଟିଥିଲା ଏହି ଘଟଣା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଅନେକ ରାଜନୈତିକ ତୁମ୍ବି ତୋଫାନ ଦେଖିବାକୁ ମିଳିଥିଲା । ଆଜି ନୟାଗଡ ସ୍ୱତନ୍ନ ଚିଲଡ୍ରେନ୍‌ କୋର୍ଟରେ ଏହି ରାୟ ପ୍ରକାଶ ପାଇଛି ।

ଏହି ମାମଲାରେ ଏସ୍‌.ଆଇ.ଟି ଧରିଥିବା ନାବାଳକକୁ ଆଜି କୋର୍ଟରେ ହାଜର କରାଯାଇଥିଲା । ନୟାଗଡ ସଦର ଥାନା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅର୍ଗତ ଯଦୁପୁର ଗାଁର ୬ ବର୍ଷର ନାବାଳିକା ଝିଅ ଜୁଲାଇ ୧୪ ତାରିଖ ୨୦୨୦ ଦିନ ଘର ଆଗରେ ଖେଳୁଥିବା ସମୟରେ ହଠାତ୍ କେଉଁଆଡେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇବାପରେ ସଦର ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ପୋଲିସ ଏକ ଟିମ୍‌ ଗଠନ କରି ତଦନ୍ତ କରିବା ସହ ଡଗସ୍ମାର୍ଡ ଆଣି ଖୋଳତାଡ କରିଥିଲା । ହେଲେ କିଛି ସୁଫଳ ମିଳିନଥିଲା । ପରେ ସେହିମାସ ୨୩ ତାରିଖ ଦିନ ତାଙ୍କ ଘର ବାଡିପଟ ନିକଟରେ ଥିବା ଗାଡିଆ ନିକଟରୁ ଏକ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ପୂର୍ବ ଶତୃତା କାରଣରୁ ଝିଅକୁ ହତ୍ୟା କରି ଫିଙ୍ଗି ଦେଇଥିବା ନାବାଳିକାର ବାପା ଅଭିଯୋଗ କରିବା ସହ ଦୋଷୀଙ୍କୁ ଧରି କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ ।

ହତ୍ୟାକାରୀକୁ ଧରିବା ଦାବିରେ ପରିବାର, ଗ୍ରାମବାସୀ ଏବଂ ବିଭିନ୍ନ ରାଜନୈତିକ ଦଳ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଥିଲେ । ହେଲେ ନ୍ୟାୟ ନମିଳିବାରୁ ନାବାଳିକାର ବାପା ଏବଂ ମା ଉଭୟ ନଭେମ୍ବର ୨୪, ୨୦୨୦ ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ଏହାପରେ ରାଜ୍ୟ ସରକାର ନଭେମ୍ବର ୨୫ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଏବଂ ପରେ ବିରୋଧୀଙ୍କ ଦାବି ପରେ ୨୮ ତାରିଖରେ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରୋଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଏହାର ତଦନ୍ତ କରି ସେହି ଗାଁର ଅଭିଯୁକ୍ତକୁ ଡିସେମ୍ବର ୨୦ ତାରିଖରେ ଗିରଫ କରିଥିଲା ଏସ୍‌ଆଇଟି । ଅଭିଯୁକ୍ତକୁ ପଚରାଉଚରା ପରେ ସେ ହିଁ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଧରା ପଡିଯିବା ଭୟରେ ହତ୍ୟା କରିଥିବା ସ୍ୱୀକାର କରିଥିବା ବୋଥ୍ରୋ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Exit mobile version