ଶିକ୍ଷାନୁଷ୍ଠାନ ମିଶ୍ରଣ ନିଷ୍ପତ୍ତିକୁ ନେଇ ଅସନ୍ତୋଷ (କଳାହାଣ୍ଡି , ନର୍ଲା ବ୍ଳକର ୪୫ଟି ବିଦ୍ୟାଳୟ ମିଶ୍ରଣ ତାଲିକାରେ)

ଓଡିଶା ତାଜା ନ୍ୟୁଜ୍ (୨୫ ଜୁଲାଇ ଶନିବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର ୪୫ଗୋଟି ବିଦ୍ୟାଳୟ ନିକଟସ୍ଥ ବିଦ୍ୟାଳୟ ମାନଙ୍କରେ ସାମିଲ କରାଯିବା ନିଷ୍ପତ୍ତିକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଅନେକ ସ୍ଥାନରେ ଦେଖାଯାଇଛି।ଶିକ୍ଷା ବିଭାଗର ନିଷ୍ପତ୍ତି କ୍ରମେ ନର୍ଲା ବ୍ଳକର ଘୋଡାବନ୍ଧ ପଞ୍ଚାୟତର ଯୋଡାବନ୍ଧ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଢ଼ କିଲୋମିଟରେ ଥିବା ଲମସିଂଗା ପ୍ରାଥମିକ ବିଦ୍ୟାଳୟରେ ସାମିଲ ହେବାର ନିଷ୍ପତ୍ତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଯୋଡାବନ୍ଧ ଗ୍ରାମର ବିଦ୍ୟାଳୟଟି ସ୍ଵର୍ଗତ ଚତୃ ଜାନୀଙ୍କ ଦ୍ଵାରା ୧୦ ଡେସିମିଲ ଜମି ଦାନ ପରେ ୧୯୬୧ ମସିହାରେ ସରକାର ଏହାର ପ୍ରତିଷ୍ଠା କରିଥିଲେ। ତେବେ ଏହି ଆଦର୍ଶ ଆଦିବାସୀ ଗ୍ରାମର ବିଦ୍ୟାଳୟକୁ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ କରି ସଂପୃକ୍ତ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା

ଆଦିବାସୀ ସମାଜର ବଳିଷ୍ଠ ପତ୍ରିକା ‘ଭୀମା’ର ମୂଳ ସମ୍ପାଦକ ମେଦିନୀଧର ଜାନୀଙ୍କ ନେତୃତ୍ବରେ ଗ୍ରାମବାସୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନର୍ଲା ବ୍ଳକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ସାହୁ, ବିଦ୍ୟାଳୟ କମିଟିର ସଭାପତି ଦୟାନିଧି ଗଡତିଆ, ଦିଗାମ୍ବର ଗଡତିଆ,ପୁରୁନ ମାଝୀ,ଜୀନ ମାଝୀ,ଜଗତ ନାଗ,ପ୍ରେମକାନ୍ତ ମାଝୀ,ପବନ ମାଝୀ,ସନକ ନାଏକ,ବରୁଣ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ଆବଶ୍ୟକ ହୁଏ ତା ହେଲେ ଗଣଧାରଣା ଓ ପ୍ରତିବାଦ କରାଯିବ ବୋଲି କହିଛନ୍ତି। ଏଥିପାଇଁ ନର୍ଲା ବିଧାୟକ ଭୂପିନ୍ଦର ସିଂ,ଓଡ଼ିଶା ବିରୋଧୀ ଦଳ ନେତା, କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ଦାବି ଜଣାଇଥିବା ଆଦିବାସୀ ସମାଜର ମେଦିନୀଧର ଜାନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ )

Exit mobile version