ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ସମ୍ବଲପୁର ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ

ସମୀକ୍ଷା ବୈଠକ, କ୍ଷେତ୍ର ପରିଦର୍ଶନ ସହ କୃଷକମାନଙ୍କ ସହିତ ଆଲୋଚନା

୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନେଶ୍ୱର  :-> ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ୨ ଦିନିଆ ପଶ୍ଚିମ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ପ୍ରଥମ ଦିନରେ ଗତ କାଲି ଶୁକ୍ରବାର ସମ୍ବଲପୁର ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ରେଢ଼ାଖୋଲ ବିଧାୟକ ଶ୍ରୀ ରୋହିତ ପୁଜାରୀ ଏବଂ ଅନ୍ୟ ବିଧାୟକ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହା ପରେ ସେ ମା ସମଲେଇ ମନ୍ଦିର ଦର୍ଶନ କରି ଲୋକାର୍ପିତ ମା ସମଲେଇ ପ୍ରକଳ୍ପ ପରିଦର୍ଶନ କରିଥିଲେ ।

କ୍ଷେତ୍ର ପରିଦର୍ଶନ ପରିପ୍ରେକ୍ଷୀରେ ସେ କୁଚିଣ୍ଡା ଗସ୍ତ କରି ଶିରିଡ଼ ଉଠା ଜଳସେଚନ ପ୍ରକଳ୍ପ-୧ ଲିଭର ଲିଫ୍ଟ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ୨୦ ହେକ୍ଟର ଆୟକଟ ଅଞ୍ଚଳରେ ସେଚ ସାମର୍ଥ୍ୟ ସୃଷ୍ଟି ହୋଇଛି । ଏହା ପରେ ସେ କୁଚିଣ୍ଡା ସ୍ଥିତ ନିରୀକ୍ଷଣ ବଙ୍ଗଳା(ଆଇବି) ଯାଇ ସେଠାରେ କୁଚିଣ୍ଡା ବିଧାୟକ ଶ୍ରୀ କିଶୋର ନାୟକଙ୍କ ଉପସ୍ଥିତିରେ କୃଷକମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ବୁଝିଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ କୃଷକମାନେ କିପରି କମ୍‌ ଜଳ ଓ କମ୍‌ ବିଦ୍ୟୁତ୍ ଶକ୍ତି ଉପଯୋଗରେ ଅଧିକ କୃଷି ଉତ୍ପାଦନ ହୋଇପାରିବ,

କେବଳ ଧାନ ଚାଷ ଉପରେ ନିର୍ଭର ନକରି ଡାଲି ଓ ତୈଳବୀଜ ଜାତୀୟ ଅଣଧାନ ଚାଷ କରି ଲାଭବାନ ହୋଇପାରିବେ, ସେଥିପ୍ରତି ଫସଲ ବିଧିକରଣ ଉପରେ ସେ ଜଳ ସଂପଦ ବିଭାଗର ଯନ୍ତ୍ରୀମାନଙ୍କୁ ପ୍ରଶିକ୍ଷଣ ଆୟୋଜନ କରିବାକୁ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ପତ୍ରୀ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟ ସରକାର ସର୍ବଦା ପାଣି ପଞ୍ଚାୟତରେ ମହିଳାମାନଙ୍କ ଅର୍ନ୍ତଭୁକ୍ତି କରଣ,

କୃଷକ ସମୁଦାୟ ତଥ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ପାଣି ପଞ୍ଚାୟତର ପରିଚାଳନା ଉପରେ ଗୁରୁତ୍ୱ ଦେଇ କୃଷିର ଉନ୍ନତି କରି କୃଷକମାନଙ୍କର ଆର୍ଥିକ ବିକାଶ ଉପରେ ପ୍ରାଧାନ୍ୟ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ନିଜ ନିଜ ଅଞ୍ଚଳରେ ଥିବା​‌ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରି କୃଷି କ୍ଷେତ୍ର ପାଇଁ ଉପଲବ୍ଧ ଜଳର ସୁଷମ ବଣ୍ଟନରେ ପରସ୍ପର ସହଯୋଗ କରିବାକୁ ଶ୍ରୀ ପତ୍ରୀ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ପତ୍ରୀଙ୍କର ଏହି ଗସ୍ତ ପରିପ୍ରେକ୍ଷୀରେ ସମ୍ବଲପୁର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ (ସିଭିଲ) ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ(ସିଭିଲ) ଶ୍ରୀ ନିରଞ୍ଜନ ନାୟକ ଓ ଶ୍ରୀ ଶ୍ୟାମ ସୁନ୍ଦର ସାହୁ, ଶ୍ରୀ ସଞ୍ଜିବ ବାଗ, ପୂଜା ସାହୁ, ସହକାରୀ ଯନ୍ତ୍ରୀ (ସିଭିଲ) ଶ୍ରୀ ବିଜୟ କୁମାର ସାହୁ ଓ ସତ୍ୟ ନାରାୟଣ ନାହକ, ସହ ନିର୍ବାହୀ ଯନ୍ତ୍ରୀ(ବିଦୁତ୍) ଶ୍ରୀ ମନମୋହନ ପଟ୍ଟନାୟକଙ୍କ ସମେତ କାର୍ଯ୍ୟାଳୟ ଅଧୀନସ୍ଥ ଅନ୍ୟ ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Exit mobile version