୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନିଆଳି :- ପୁଣି ସାମ୍ନାକୁ ଆସିଲା ସରକାରଙ୍କ ଅପରାଗ ପଣିଆ । ବ୍ରିଜ ନ ଥିବାରୁ କେନାଲର ବେକେ ପାଣିରେ ପାର୍ ହୋଇ କାନ୍ଧରେ ମୃତଦେହକୁ ବୋହି ଶ୍ମଶାନ ନେଲେ ପରିବାର ଲୋକେ , ପାଣି ଯୋଗୁଁ ନିଜ ବନ୍ଧୁ ପରିବାର ଲୋକେ ଶବ ଟିକୁ ଅନ୍ତିମ ବିଦାୟ ଦେବାକୁ ଆସି ପାରିଲେ ନାହିଁ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଳକର କୃଷ୍ଣ ପ୍ରସାଦ ପଞ୍ଚାୟତରେ ।ସୂଚନା ଅନୁଯାୟୀ, କୃଷ୍ଣ ପ୍ରସାଦ ପଞ୍ଚାୟତର ନୂଆ ବେତଣ୍ତା ୨୧ ନମ୍ବର ଓ୍ବାର୍ଡର ଶତାୟୁ ମହିଳା ଅନି ସ୍ବାଇଁଙ୍କ ମୃତ୍ୟୁ ହୋଇଥିଲା । ହେଲେ ମୃତଦେହକୁ ମଶାଣି ନେବାରେ ହୋଇଥିଲା ସମସ୍ୟା । କାରଣ ଗ୍ରାମକୁ କୌଣସି ରାସ୍ତା ନ ଥିବା ବେଳେ କେନାଲରେ ମଧ୍ୟ ପାଣି ଭର୍ତ୍ତି ଥିଲା । 
ଶେଷରେ ଛାତିଏ ପାଣିରେ ଘର ନିକଟରେ ଥିବା କାକଟପୁର ବ୍ରାଞ୍ଚ କେନାଲ ପାର୍ ହୋଇ ଶ୍ମଶାନକୁ ନେଇଥିଲେ ପରିବାର ଲୋକେ । ପଞ୍ଚାୟତର ନୂଆ ବେତଣ୍ତା ଗ୍ରାମରେ ୪୦ ଟି ପରିବାର ଲୋକେ ବସବାସ କରନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏମାନଙ୍କ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରି ନାହିଁ । ଏଥିସହ କାକଟପୁର ବ୍ରାଞ୍ଚ କେନାଲ ଉପରେ ବ୍ରିଜ ମଧ୍ୟ ତିଆରି ହୋଇନାହିଁ । ଫଳରେ କି ଗ୍ରାମର ଛୋଟ ଛୋଟ ପିଲା ଭଙ୍ଗା, ଦଦରା, ବିପଦପୂର୍ଣ୍ଣ ବାଉଁଶ ଚାରରେ ଯା ଆସ କରୁଛନ୍ତି, ଆଉ ମଧ୍ୟ ରାସ୍ତା ଏବଂ କେନାଲ ଉପରେ ବ୍ରିଜଟିଏ ନଥିବାରୁ ଗର୍ଭବତୀ ମହିଳାଙ୍କଙ୍କୁ ମେଡ଼ିକାଲକୁ ନେଇପାରୁ ନାହାନ୍ତି । ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ,ଏହି ସମସ୍ୟା ଗୋଟିଏ ଦିନର ନୁହଁ ବରଂ ଅନେକ ବର୍ଷର, କିନ୍ତୁ ସମାଧାନ ଶୂନ । ଗାଁ ର ଏପରି ଦୂରାବସ୍ଥା ନେଇ ଗାଁକୁ ବିବାହ ପାଇଁ ଝିଅ ଦେଉ ନାହାନ୍ତି କି ଝିଅ ନେଉ ନାହାନ୍ତି ,ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି , ଏଥିପ୍ରତି ପ୍ରଶାସନ କୌଣସି ଦୃଷ୍ଟି ଦେଉ ନାହାନ୍ତି, ଯଦି ସରକାର ତୁରନ୍ତ ଦୃଷ୍ଟି ନ ଦିଅନ୍ତି ତେବେ ଗ୍ରାମବାସୀମାନେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

