୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :- ନୟାଗଡ଼ ଜିଲ୍ଲାରେ ଗଡ଼ିବ ୩୮ ଲକ୍ଷ୍ମୀ ବସ । ଏଥପାଇଁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାର କୋଣ ଅନୁକୋଣରୁ ସହରକୁ ଯାତାୟତ ପାଇଁ ଏହି ବସସେବା ରାଜ୍ୟ ସରକାର ଆରମ୍ଭ କରୁଛନ୍ତି । ନୟାଗଡ଼ ଜିଲ୍ଲାରେ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଲକ୍ଷ୍ମୀବସ ସେବା ଶୁଭାରମ୍ଭ ହେବାର ସମ୍ଭାବନା ରହିଛି । ଏଥୂପାଇଁ ଜିଲ୍ଲାରେ ୨୯୭ଟି ଷ୍ଟପେଡ୍ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ପୂର୍ବରୁ ଜିଲ୍ଲାରେ ରହିଥିବା ୭୪ ବିସ୍ପଷ୍ଟପକୁ ପ୍ରାଥମିକ ପର୍ଯ୍ୟାୟରେ ଗୁରୁତ୍ବ ଦିଆଯାଇଛି। ସେଥ୍ ମଧ୍ୟରୁ ୫୭ଟି ଷ୍ଟପେଜ୍ ମରାମତି କାର୍ଯ୍ୟ ସରିଛି ।
ବଳକା ୨୨୩ଟି ନୂତନ ବସ୍ୱପ ନିର୍ମାଣ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି | ତାହା ମଧ୍ୟରୁ ୯୫ଟିର କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ରାଜ୍ୟ ସରକାର ଲୋକଙ୍କୁ ଯାତାୟତ ସୁବିଧା ପାଇଁ ୫ ଟଙ୍କା ଏବଂ ୧୦ ଟଙ୍କା ମୂଲ୍ୟ ବିନିମୟରେ ବସ ସେବା ଯୋଗାଇ ଦେବାକୁ ଲକ୍ଷ ରଖୁଛନ୍ତି । ଅନ୍ୟ ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇ ସାରିଛି। ନୟାଗଡ଼ ଜିଲ୍ଲାର ୮ଟି ବ୍ଲକର ୧୯୪ଟି ପଞ୍ଚାୟତକୁ ଏହି ସେବା ମିଳିବ । ମୁଖ୍ୟତଃ ଆଦିବାସୀ ଓ ସୁଷିତ ତଥା ଉପାନ୍ତ ଅଞ୍ଚଳ ଗୁଡିକୁ ଯାତାୟତ ପାଇଁ ଲକ୍ଷ୍ମୀ ବସ ସେବା ବେଶ ସହାୟକ ହେବ। ନୟାଗଡ଼ ଜିଲ୍ଲାର ରଣପୁର, ନୂଆଗାଁ, ଦଶପଲ୍ଲା, ଗଣିଆ ବ୍ଲକ ପାଇଁ ଲକ୍ଷ୍ମୀବସ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଭାବେ କାର୍ଯ୍ୟ କରିବ । ନୟାଗଡ଼ ଜିଲ୍ଲା ଆଦିବାସୀ ତଥା ଉପାନ୍ତ ଅଞ୍ଚଳରେ ଗଣିଆ ଯାତ୍ରୀବାହୀ ବସ୍ ସେବା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଣିଆଠାରୁ ଛାମୁଣ୍ଡିଆ ୧୫ କିଲୋମିଟର ଦୂର ହୋଇଥିବା ବେଳେ ବଡସିଲିଙ୍ଗାଠାରୁ ଗଣିଆ ୩୫ କିଲୋମିଟର ଦୂର । ଗଣିଆଠାରୁ ନୟାଗଡ଼ ୬୦ କିଲୋମିଟର ଦୂରତା ଅଟେ । ଦୈନିକ ଯାତ୍ରୀବାହୀ ବସ୍ ଚଳାଚଳ ହେଉନଥିବାରୁ ବ୍ୟକ୍ତିଗତ ଭାବେ ଅଟୋ କିମ୍ବା ଅନ୍ୟ ଯାନବାହନ ଭଡା କରି ବହୁ ଅର୍ଥ ବ୍ୟୟ କରି ଯାତାୟତ କରିଥାନ୍ତି । ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ଛାମୁଣ୍ଡିଆ କିମ୍ବା ବଡସିଲିଙ୍ଗାକୁ ନୟାଗଡ଼ ବସ୍ ଚଳାଚଳ କରାଗଲେ ଏହି ଅଞ୍ଚଳବାସୀଙ୍କ ସମସ୍ୟାର ହୋଇପାରିବ ବୋଲି ଆଶା କରିଛନ୍ତି । ନୟାଗଡ଼ ଜିଲ୍ଲାରେ ଗଣିଆ, ଖଣ୍ଡପଡ଼ା, ରଣପୁରଠାରେ ବସଷ୍ଟାଣ୍ଡ ନିର୍ମାଣ ଶେଷ ହୋଇଥିବା ବେଳେ ଓଡଗାଁଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ଶେଷ।ହୋଇଛି । ନୟାଗଡ଼ ନୂଆବସଷ୍ଟାଣ୍ଡ ମଧ୍ୟ କାର୍ଯ୍ୟକ୍ଷମ ହୋଇ ସାରିଛି । ଫଳରେ ପ୍ରାଥମିକ ପର୍ଯ୍ୟାୟରେ ବସ ଚଳାଚଳ ପାଇଁ କୌଣସି ଅସୁବିଧା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ନୟାଗଡ଼ ଜିଲ୍ଲାବାସୀ ଲକ୍ଷ୍ମୀବସ ସେବା ଶୁଭାରମ୍ଭ ଅପେକ୍ଷାରେ ରହିଛନ୍ତି ।

