ରଣପୁର ବ୍ଳକର ଭେଟବର ବନ୍ଧ ଚାଷୀ ସମାବେଶରେ ଉତ୍ତେଜନା

୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ରଣପୁର :-> ନୟାଗଡ଼ ଜିଲା ରଣପୁର ବ୍ଳକର ଭେଟବର ବନ୍ଧରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପରେ ଚାଷୀଙ୍କ ଆନ୍ଦୋଳନ ଗୁରୁବାର ବିସ୍ଫୋରକ ରୂପ ନେଇଛି । ଭେଟବର ବନ୍ଧରେ ଗୁରୁବାର ଚାଷୀ ସମାବେଶ ପରେ ପାନୀୟଜଳ ପ୍ରକଳ୍ପର ଠିକାଦାରଙ୍କ ଅସ୍ଥାୟୀ ଗୃହ ଓ ଯନ୍ତ୍ରାଂଶକୁ ଚାଷୀ ମିଳିତ ହୋଇ ଭଙ୍ଗାରୁଜା କରିଛନ୍ତି। ବନ୍ଧରେ ପାନୟଜଳ ପ୍ରକଳ୍ପ କରାଇ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପୂର୍ବରୁ ଚାଷୀଙ୍କ ବିରୋଧ ସତ୍ତ୍ବେ ପ୍ରଶାସନ ଗୁରୁତ୍ବ ଦେଉ ନ ଥିଲା ।

ବନ୍ଧକୁ ପୁନରୁଦ୍ଧାର ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଚାଷୀ ଓ ଚାଷକୁ ଅଣଦେଖା କରି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଜବରଦସ୍ତ କରାଯିବା ପରେ ଚାଷୀଙ୍କ ଆନ୍ଦୋଳନ ଦେଖା ଦେଇଛି। ଅଭିଯୋଗ ଅନୁଯାୟୀ, ଭେଟବର ବନ୍ଧ ୧୯୭୨ରେ ଉଦ୍‌ଘାଟନ ହୋଇଥିଲା । ବନ୍ଧର ପାଣିକୁ ବନ୍ଧମୁଣ୍ଡା, କାଣ୍ଡପଡା, ବଳଭଦ୍ରପୁର, ମଝିଆଖଣ୍ଡ, ମହତପଲ୍ଲା, ଗୋପାଳପୁର ଆଦି ୬ ପଞ୍ଚାୟତ ଓ ରଣପୁର ଏନଏସିର କିଛି ୱାର୍ଡ ସମତେ ୨୦ ହଜାରରୁ ଉର୍ଦ୍ଧ ଚାଷୀ ଜମିରେ ପାଣି ମଡାଇ ଆସୁଥିଲେ। ଉଦ୍‌ଘାଟନ ସମୟରେ ୧୨୦ ଏକର ଜମିରେ ପାଣି ରହୁଥିଲା ।

ବନ୍ଧର ପୁନରୁଦ୍ଧାର କରା ନ ଯିବାରୁ ଅମରି ବଣ ସହ ବନ୍ଧ କାଳକ୍ରମେ ପୋତି ହୋଇଗଲା । ଏବେ ପ୍ରାୟ ୬୦ ଏକର ଜମିରେ ପାଣି ରହୁଛି । ୧୨ ଶହ ୧୫ ହେକ୍ଟର ଜମିରେ ଜଳ ମାଡୁଛି ବୋଲି କୁହାଯାଉଛି। ଭେଟବର ବନ୍ଧ ଯୋଗୁ ମରୁଡ଼ି ସମୟରେ ଜଳସେଚନ କରି ଧାନ ଫସଲ ଓ ଅନ୍ୟାନ୍ୟ ଫସଲ ବଞ୍ଚୁ ପାରୁଛି । ଏଭଳିସ୍ଥଳେ ଚାଷୀ ଓ ଚାଷର ସୁବିଧା ପାଇଁ ବ୍ୟବସ୍ଥା ନ କରି ଚାଷୀର ଜଳକୁ ରଣପୁର ସହରର ୧୫ ୱାର୍ଡକୁ ପାନୀୟ ଜଳ ରୂପେ ଯୋଗାଇବାକୁ ବ୍ୟବସ୍ଥା ହୋଇଥିଲା। ଏଥିପାଇଁ ୪୮ କୋଟି ଟଙ୍କା ମଞ୍ଜୁର କରାଯାଇ ରଣପୁର ସହରରେ ଦିନକୁ ୧ଲକ୍ଷ ୨୦ ହଜାର ଲିଟର ପାଣି ଯୋଗାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଭେଟବର ବନ୍ଧ ଭିତରେ ଏକଗଭୀର ନଳକୂପ ଖନନ କରାଯାଇ କାର୍ଯ୍ୟ ଚାଲିଥିଲା। ଗୁରୁବାର ପୂର୍ବାହ୍ନରେ ମା’ ଖୋଲାମୁଣ୍ଡା କୃଷକ ମହାସଂଘ ନେତୃତ୍ୱରେ ବନ୍ଧମୁଣ୍ଡା, କାଣ୍ଡପଡା, ମଝିଆଖଣ୍ଡ, ବଳଭଦ୍ରପୁର, ମହତପଲ୍ଲା ଅଞ୍ଚଳର ପ୍ରାୟ ୩ହଜାର ଚାଷୀ ଭେଟବର ବନ୍ଧ ନିକଟରେ ଏକତ୍ରିତ ହୋଇଥିଲେ। ଚାଷୀ ଓ ଚାଷ ପ୍ରତି ଅଣଦେଖା କରି ବନ୍ଧର ପୁନରୁଦ୍ଧାର କରାଯାଉ ନ ଥିବାରୁ ଅସନ୍ତୋଷ ଓ ଉଦ୍‌ବେଗ ପ୍ରକାଶ ପାଇଥିଲା । ପାନୀୟ ଜଳ ପ୍ରକଳ୍ପକୁ ଚାଷୀଙ୍କ ବିରୋଧ ସତ୍ତ୍ୱେ କ୍ଷୁଦ୍ର ଜଳସେଚନ ବିଭାଗ, ଜିଲା ପ୍ରଶାସନ, ବିଧାୟକ ଆଲୋଚନା ନ କରିବାରୁ ଚାଷୀ ତାତି ଥିଲେ । 

ଠିକାଦାରଙ୍କ ଅସ୍ଥାୟୀ ଘର ଓ ପାନୀୟ ଜଳ ପ୍ରକଳ୍ପର ଯନ୍ତ୍ରାଂଶକୁ ଭାଙ୍ଗି ଦେଇଥିଲେ। ଜଳସେଚନ ଏନେଇ କ୍ଷୁଦ୍ର ବିଭାଗର ଅଧୀକ୍ଷଣ ଯନ୍ତ୍ରୀ କ୍ଷିତିଶ କୁମାର ତ୍ରିପାଠୀ କୁହନ୍ତି, ଭେଟବର ବନ୍ଧର ପୁନରୁଦ୍ଧାର, ମରାମତି ଓ ଥଇଥାନ ପାଇଁ ୬ କୋଟି ଟଙ୍କା ବ୍ୟୟ ନିମନ୍ତେ ଏକ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି ।

ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଲେ କାମ କରାଯିବ। ରଣପୁର ଏନଏସିର ଯନ୍ତ୍ରୀ ବିନୋଦ ସାହୁ କୁହନ୍ତି, ଭେଟବର ବନ୍ଧରୁ ପାନୀୟ ଜଳ ରଣପୁର ସହରକୁ ଯୋଗାଣ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଅନୁମତି ଦେଇଛି। କ୍ଷୁଦ୍ର ଜଳସେଚନ ବିଭାଗ ଚାଷୀ ବିବାଦର ସମାଧାନ କରିପାରିବ ବୋଲି ସେ କହିଛନ୍ତି।

Exit mobile version