
୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ରଣପୁର :-> ଓଡ଼ିଶା ପ୍ରାଦେଶିକ ବିଧାନସଭା ନିର୍ବାଚନ ପରଠାରୁ ରାଜ୍ୟ ରାଜନୀତିର ରାଜନୈତିକ ମାନଚିତ୍ରରେ ସର୍ବଦା ଗୁରୁତ୍ୱ ବହନ କରିଥାଏ ରଣପୁର ବିଧାନସଭା । ସେ ଶାସକ ରାଜନୈତିକ ଦଳ ହେଉ କିମ୍ବା ବିରୋଧୀ, ସମସ୍ତେ ଗୁରୁତ୍ୱ ଦେଇଥା’ନ୍ତି ରଣପୁର ବିଧାନସଭା କ୍ଷେତ୍ରକୁ। ଏହି ବିଧାନସଭା କ୍ଷେତ୍ରରୁ ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀଭାବେ ଇତିହାସ ପୃଷ୍ଠା ମଣ୍ଡନ କରିଥିବା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ(କ୍ୟାବିନେଟ୍ ପାହ୍ୟା) ରାଜମାତା ସ୍ୱର୍ଗତ ବସନ୍ତ ମଞ୍ଜରୀ ଦେବୀଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନଙ୍କ ପର୍ଯ୍ୟନ୍ତ କେତେଯେ ନେତାଙ୍କର ଆବିର୍ଭାବ ହେଇଛି ଏଇ ବିଧାନସଭା କ୍ଷେତ୍ରରେ।
ବସନ୍ତ ମଞ୍ଜରୀ ଦେବୀଙ୍କ ପରେ ରଘୁ ରାୟ,ରାମଚନ୍ଦ୍ର ରାମ,ରମେଶ ଚନ୍ଦ୍ର ପଣ୍ଡା,ରମାକାନ୍ତ ମିଶ୍ର,ଶରତ ମିଶ୍ର, ସୁରମା ପାଢ଼ୀ, ରବି ନାରାୟଣ ମହାପାତ୍ର ଓ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏକ୍ଷେତ୍ର ସୁଯୋଗ ଦେଇଛି ବିଧାନସଭାରେ ପ୍ରତିନିଧିତ୍ୱ କରିବା ପାଇଁ। ଏପରିକି ଏହି ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ପ୍ରତିନିଧି ମଧ୍ୟ ରାଜ୍ୟ ରାଜନୀତିରେ ଏକଦା ବିରୋଧୀ ଦଳ ନେତା ଭୂମିକା ନିର୍ବାହ କରିବାର ସୁଯୋଗ ପାଇଛନ୍ତି। କେବଳ ସେତିକି ନୁହେଁ ଏଇ ବିଧାନସଭା କ୍ଷେତ୍ରରୁ କୃଷି ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଭଳି ବିଭାଗରେ ଅବସ୍ଥାପିତ ହୋଇ ରାଜ୍ୟ ସରକାରରେ ଭାଗିଦାରୀ ହୋଇଛନ୍ତି ଏଇ ମାଟିର ନିର୍ବାଚିତ ପ୍ରତିନିଧି।
ଜଣେ ନୁହଁ, ଦୁଇଦୁଇ ଜଣ ନାରୀନେତ୍ରୀଙ୍କୁ ମଧ୍ୟ ଏକଦା ଏଇ ମାଟି ରାଜ୍ୟ ମନ୍ତ୍ରୀପରିଷଦରେ ମନ୍ତ୍ରୀ ହେବାର ସୁଯୋଗ ଦେଇଛି। ପୁଣି ସର୍ବୋତ୍କୃଷ୍ଟ ସୁଯୋଗ ଦେଇଛି ରାଜ୍ୟସଭା ସାଂସଦ ଭାବେ ପ୍ରତିନିଧିତ୍ୱ କରିବା ପାଇଁ ସଂସଦ ଭବନ(ପାର୍ଲିଆମେଣ୍ଟ) ରେ।୧୯୭୧ ନିର୍ବାଚନରେ ଲୋକେ ସେ ସମୟର ରଣପୁର ବ୍ଲକର କ୍ରମାଗତ ଭାବେ (୧୯୬୧-୧୯୬୬) ମସିହା ଠାରୁ(୧୯୬୬-୧୯୭୧) ମସିହା ପର୍ଯ୍ୟନ୍ତ ପ୍ରଥମ ଓ ଦ୍ୱିତୀୟ ଥର ପାଇଁ ଅଧ୍ୟକ୍ଷ ହୋଇଥିବା ଜନପ୍ରିୟ ନେତୃତ୍ୱ ରମେଶ ପଣ୍ଡାଙ୍କୁ ସିପିଏମ୍ ଦଳରୁ ଲଗାତର ତିନି ଥର ବିଧାୟକ କରି ନିର୍ବାଚିତ କରଥିଲେ।
୧୯୮୦ ଓ ୧୯୮୫ ନିର୍ବାଚନରେ କଂଗ୍ରେସରୁ ରମାକାନ୍ତ ମିଶ୍ର କ୍ରମାଗତ ଦୁଇ ଥର ବିଧାୟକ ହେବାର ଗୌରବ ଅର୍ଜନ କରିଥିଲେ। ମାତ୍ର ୧୯୯୦ ମସିହା ବେଳକୁ ବିଜୁଙ୍କ ନେତୃତ୍ବାଧୀନ ଜନତା ଦଳରୁ ସେ ସମୟର ରାଜସୁନାଖଳା କଲେଜ ଅଧ୍ୟକ୍ଷ ଶରତ ମିଶ୍ର, ବିଧାୟକ ଭାବେ ରଣପୁରକୁ ଥରେ ପ୍ରତିନିଧିତ୍ୱ କରିଥିଲେ ଓ ପୁଣି ୧୯୯୫ ଓ ୨୦୦୦ ରେ ରମାକାନ୍ତ ବାବୁ ରଣପୁରକୁ କ୍ରମାଗତ ଆଉ ଦୁଇ ଥର କଂଗ୍ରେସ ଦଳରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ୨୦୦୦ ମସିହା ପୂର୍ବରୁ ବିଜେପି ସୁରମା ପାଢ଼ୀଙ୍କୁ ରଣପୁରକୁ ରାଜନୈତିକ ପର୍ଯ୍ୟବେକ୍ଷୀକା ଭାବେ ପଠାଇଥିଲା। ଆଉ ୮୪+୬୩ ଆସନ ବୁଝାମଣାରେ ରଣପୁର ବିଜେପି ଭାଗରେ ପଡିବାରୁ ପର୍ଯ୍ୟବେକ୍ଷୀକା ସୁରମା ପାଢ଼ୀଙ୍କୁ ରଣପୁର ବିଧାନସଭା ଲଢ଼ିବାର ସୁଯୋଗ ମିଳିଥିଲା ।
ଅବଶ୍ୟ ପ୍ରଥମ ଥର ପରାଜୟ ହେବା ପରେ ଦ୍ୱିତୀୟ ଥର ବିଧାୟିକା ହୋଇ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ। ରଣପୁରରୁ ରାଜମାତାଙ୍କ ପରେ ରମାକାନ୍ତ ମିଶ୍ର ଓ ଶ୍ରୀମତୀ ସୁରମା ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କଲେ ସତ ମାତ୍ର ସେମାନେ ମନ୍ତ୍ରୀପଦ ଓ ସମ୍ମାନ ଜନକ ବିରୋଧୀ ଦଳ ନେତା ପଦ ପାଇବାପରେ ଲୋକପ୍ରିୟତା ହରାଇ କେହି ଆଉ ବିଧାନସଭାକୁ ନିର୍ବାଚିତ ହେବାର ସୁଯୋଗ ପାଇ ପାରି ନାହାଁନ୍ତି। ବିଜେଡି, ବିଜେପି ବୁଝାମଣା ଭାଙ୍ଗିବାରୁ ରଣପୁରରେ ବିଧାୟକ ପଦବୀ ଦାବିଦାରଙ୍କ ସଂଖ୍ୟା ଏତେ ବେଶୀ ହୋଇଗଲା ଯେ ବାବୁ ସତ୍ୟ ନାରାୟଣ ପ୍ରଧାନଙ୍କୁ ନୟାଗଡ଼ ରାଜନୀତିରୁ ଆମଦାନୀ କରାଇ ରଣପୁର ବିଧାୟକ କରାଗଲା।
ପରେ ଅବଶ୍ୟ ନବୀନ ବାବୁ ରଣପୁର ମାଟିର ନେତାଟିଏ ଖୋଜି ସେ ସମୟର ବିଜେଡି ଜିଲ୍ଲା ସଭାପତି ରବି ମହାପାତ୍ରଙ୍କୁ ପାଇଲେ ଆଉ ରାଜ୍ୟସଭାକୁ କିଛିଦିନ ପଠାଇବା ପରେ ରଣପୁର ବିଧାୟକ ହୋଇଥିଲେ। ତେବେ ସମୟ ବଦଳି ଗଲା, ଭୂମିପୁତ୍ର ରବି ବାବୁ ଅଲୋଡ଼ା ହୋଇଗଲେ। ପୁଣି ସତ୍ୟ ନାରାୟଣ ପ୍ରଧାନ ( ବାଦଲ ବାବୁ) ଦ୍ଵିତୀୟ ଥର ପାଇଁ ଏବେ ରଣପୁର ବିଧାୟକ ହୋଇଛନ୍ତି ସତ, ମାତ୍ର ଦଳୀୟ ଅନ୍ତର୍ଦ୍ବନ୍ଦ ଯୋଗୁଁ ତାଙ୍କ ଜନପ୍ରିୟତା ଦିନକୁ ଦିନ ପ୍ରବଳ ଭାବେ ହ୍ରାସ ପାଉଥିବାର ପରିଲକ୍ଷିତ ହେଉଛି। ଯଦିଓ ରଣପୁର ଲୋକେ ନବୀନ ବାବୁଙ୍କ ନେତୃତ୍ୱକୁ ପ୍ରଥମ ପସନ୍ଦ ଭାବେ ବିଚାରି ଜଣେ ଉପଯୁକ୍ତ ପ୍ରାର୍ଥି ଅପେକ୍ଷାରେ ଅଛନ୍ତି।
ସମୟ କଡ଼ ଲେଉଟାଏ। ରାତି ପରେ ଦିନ ହୁଏ, ମାସ ପରେ ମାସ ହୁଏ,ବର୍ଷ ପରେ ବର୍ଷ ହୁଏ,ନିର୍ବାଚନ ପରେ ନିର୍ବାଚନ ହୁଏ। କେତେ ନେତା ଆସନ୍ତି ପୁଣି କେତେ ନେତା ସମୟ ସ୍ରୋତରେ ବଦଳି ଯାଆନ୍ତି। କେତେବେଳେ ଉତ୍ଥାନ ହେଇଛି ତ କେତେବେଳେ ପତନ ପୁଣି କେତେବେଳେ ପରିବର୍ତ୍ତନ। କିନ୍ତୁ ୟା’ରି ଭିତରେ ବଦଳି ଯାଇଛି ରଣପୁର ବିଧାନସଭା କ୍ଷେତ୍ର। ଏବେ ଆଉ ସେ ସମୟର ରାଜନୀତି ନାହିଁ। କେତେ ରାଜନୈତିକ ଆକ୍ରୋଶ ଓ ଚକ୍ରବ୍ୟୁହରେ ପେଶି ହୋଇ ଆଜି ଏ ବିଧାନସଭା କ୍ଷେତ୍ର ସମଗ୍ର ରାଜ୍ୟରେ ଅବହେଳିତ। ବିଚାର କଲେ ଜଣାପଡେ ଏହି କ୍ଷେତ୍ରକୁ ପ୍ରତିନିଧିତ୍ୱ କରିବାର ସିଂହ ଭାଗ ସୁଯୋଗ ଯାଇଛି କଂଗ୍ରେସ ଓ ବିଜୁ ଜନତା ଦଳକୁ। ସେ ସମୟରୁ ଆଜି ପର୍ଯ୍ୟନ୍ତ କିନ୍ତୁ ଯେତିକି ବିକାଶ ମୂଳକ କାର୍ଯ୍ୟ ରଣପୁରରେ ହେବାକଥା ତାହା ଆଖି ଦୃଶିଆ କିମ୍ବା ଉତ୍ସାହ ଜନକ ନୁହେଁ।
ତଥାପି ସତୁରୀ ଦଶକରୁ ୧୯୮୦ ମସିହା ପର୍ଯ୍ୟନ୍ତ ରଣପୁର ରାଜନୀତିକୁ ଅବଲୋକନ କଲେ ଜଣାଯାଏ ଯେ ଅଣ କଂଗ୍ରେସ ରାଜନୀତିରେ ନିଜକୁ ସମର୍ପି ଗରିବ,ଖଟିଖିଆ ଓ ମେହନତି ମଣିଷର ଅନ୍ତର୍ବେଦନାକୁ ଉପଲବ୍ଧି କରି ଆଖିରେ ଆଖିଏ ସ୍ୱପ୍ନ ନେଇ ରଣପୁର ବିଧାନସଭା କ୍ଷେତ୍ରର ସାମୁହିକ ଉନ୍ନତି/ବିକାଶ କରିବା ପାଇଁ ଆଗେଇ ଯାଇଥିଲେ ଜନନେତା ସ୍ୱର୍ଗତ ରମେଶ ବାବୁ। ସାମୁହିକ ଉନ୍ନତିକୁ ନଜରରେ ରଖି ଗରିବ ଖଟିଖିଆ ମେହନତି ମଣିଷର କାନ୍ଧରେ କାନ୍ଧ ମିଳେଇ କୃଷି ଓ କୃଷକର ଉନ୍ନତି କରିବା ପାଇଁ ଅଣ୍ଟା ଭିଡିଥିଲେ।
କୃଷିକ୍ଷେତ୍ରରେ ଜଳ ସେଚନର ସୁବିଧା ନିମନ୍ତେ ତାଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାରଙ୍କ ସହାୟତାରେ ନିର୍ମିତ ହୋଇଥିଲା ଭେଟବର ଡ୍ୟାମ୍। ତତ୍ ସହିତ ରଣପୁରର ବିଭିନ୍ନ ନଦୀରେ ନଦୀବନ୍ଧ ନିର୍ମିତ ହୋଇଥିଲା। ରଣପୁର ଅଞ୍ଚଳର ହଜାର ହଜାର ହେକ୍ଟର ଜମିରେ ଜଳସେଚିତ ହେଲା। କୃଷକର ଦୁଃଖ ଲାଘବ ହୋଇଥିଲା। ଏହା ବ୍ୟତୀତ ରଣପୁର ଅଞ୍ଚଳର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଓ ଗାଁ’ ଗାଁ’ କୁ ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇଥିଲା। ରଣପୁର ବ୍ଲକର ପାଖାପାଖି ୧୨୮ ଗୋଟି ଗାଁ’କୁ ବିଦ୍ୟୁତ୍ କରଣ ହୋଇଥିବା ଜଣାପଡିଛି। ଏପରିକି ରଣପୁରର ସମ୍ପତ୍ତି କୁହାଯାଉଥିବା କାଜୁ ବଗିଚା ସେ ସମୟରେ ତାଙ୍କ ପ୍ରଚେଷ୍ଟାରେ ଓଡ଼ିଶା ସରକାରଙ୍କ କାଜୁ କର୍ପୋରେସନ ମାଧ୍ୟମରେ ଶହଶହ ହେକ୍ଟର ଜମିରେ ସମ୍ଭବ ହୋଇ ପାରିଥିଲା।
ସେଥିପାଇଁ ତ ସେ ବିଧାନସଭା ସଭାକୁ ତିନି ତିନି ଥର ପ୍ରତିନିଧତ୍ୱ କରିବା ପାଇଁ ସୁଯୋଗ ପାଇଛନ୍ତି ସତୁରୀ ରୁ ୧୯୮୦ ମସିହା ପର୍ଯ୍ୟନ୍ତ ରାଜ୍ୟ ରାଜନୀତିରେ। ସିପିଆଇ ଓ ସିପିଏମ୍ ନାମରେ କମ୍ୟୁନିଷ୍ଟ୍ ଦଳ ଦୁଇ ଭଗରେ ବିଭାଜିତ ହେଇଗଲା ପରେ ୧୯୯୩ରେ ଯୋଗ ଦିଅନ୍ତି ଜନତା ଦଳରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସହଯୋଗୀ ଭାବେ ତାଙ୍କର ସ୍ୱତନ୍ତ୍ର ଦବଦବା ଥିଲା ରାଜ୍ୟ ରାଜନୀତିରେ। ଏପରିକି ଜାତୀୟ ରାଜନୀତିରେ ମଧ୍ୟ ପରିଚୟ ତିଆରି କରିବାରେ ସେ ଥିଲେ ସିଦ୍ଧହସ୍ତ। ରାଜ୍ୟ ବାହାରେ ପଶ୍ଚିମ ବଙ୍ଗ,ଆନ୍ଧ୍ରପ୍ରଦେଶ,ମହାରାଷ୍ଟ୍ର ରାଜ୍ୟରେ ତାଙ୍କର ଥିଲା ଲୋକ ପ୍ରିୟତା।
ସମୟର ସାୟାହ୍ନରେ ଥକ୍କି ପଡିନଥିଲେ ସେ । ନୂଆ ରଣପୁର ପାଇଁ ସ୍ୱପ୍ନ ଦେଖୁଥିଲେ ସଦା ସର୍ବଦା। ସମୟ ତାଙ୍କୁ ସୁଯୋଗ ଦିଏ ଶେଷ ସମୟରେ ରାଜ୍ୟ ବିଜୁ ଜନତା ଦଳର ଜଣେ ସକ୍ରିୟ ନେତା ହିସାବରେ ଦଳର ନୟାଗଡ଼ ଜିଲ୍ଲା ସଭାପତି ପଦବୀ ଦେଇ। ନୟାଗଡ଼ ବିଜୁ ଜନତା ଦଳର ସଭାପତି ପଦରେ ଅଭିସିକ୍ତ ହୁଅନ୍ତି ୧୯୯୮ ମସିହାରେ ସ୍ୱର୍ଗତ ରମେଶ ପଣ୍ଡା। ଜିଲ୍ଲାର ଛାମୁଆ ବିଜୁ ଲିଗାସୀ ଓ ସଙ୍ଗଠକମାନଙ୍କୁ ସାଥିରେ ନେଇ ଜିଲ୍ଲା ବିଜେଡ଼ିର ସଙ୍ଗଠନକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଜିଲ୍ଲା ସଙ୍ଗଠନ ପହଞ୍ଚିଥିଲା ଶୀର୍ଷ ସ୍ଥାନରେ।
