୨୮ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନେଶ୍ୱର :-> ବିଭାଗର ପୂର୍ଣ୍ଣାଙ୍ଗ ରୂପାନ୍ତରଣ, କ୍ୟାଡର ପୁନର୍ଗଠନ ଏବଂ କେନ୍ଦ୍ର ସରକାରୀ ସେବା ଅଧୀନରେ ପ୍ରାଣୀ ଚିକିତ୍ସକଙ୍କ କ୍ଷେତ୍ରରେ ଡିଏସିପି ଦୃଷ୍ଟିରୁ ସମାନତା ଆଣିବା ଏବଂ ଅଣ ପ୍ରାକ୍ଟିସିଂ ଭତ୍ତା ପ୍ରଦାନ ଆଦି ଦାବିରେ ରାଜ୍ୟରେ ଚାକିରୀ କରିଥିବା ସମସ୍ତ ପ୍ରାଣୀ ଚିକିତ୍ସକ ୨୦୨୪ ଜାନୁଆରୀ ୧୮ରୁ ସମୂହ ଛୁଟିରେ ଅଛନ୍ତି । ଏହି ୧୦ ଦିନ ମଧ୍ୟରେ ସ୍ପେଶାଲାଇଜ୍ଡ ପ୍ରାଣୀ ଚିକିତ୍ସା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବା ସହିତ ଗୋସମ୍ପଦ କ୍ଷେତ୍ରର ବିପୁଳ କ୍ଷତି ଘଟିଛି ।
ଏହି ଦିନଗୁଡିକରେ ବହୁ ବୀମାକୃତ ପ୍ରାଣୀଙ୍କର ମୃତ୍ୟୁ ଘଟିଛି ଯେଉଁମାନଙ୍କର ଦାବି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ନମିଳିବା କାରଣରୁ ଫଇସଲା ହୋଇପାରିନାହିଁ ଏବଂ ରାଜ୍ୟ ପ୍ରାୟୋଜିତ ଯୋଜନା ଏବଂ ଏମ୍କେୟୁୱାଇ ଯୋଜନା ଅଧୀନରେ ରିଆତି ଅର୍ଥ ପ୍ରଦାନ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି ଏବଂ ଅନ୍ୟପକ୍ଷରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ନକଲି ଚିକିତ୍ସକ (କ୍ୱାକ୍) ମାନଙ୍କର ସଂଖ୍ୟା ବହୁଗୁଣ ବୃଦ୍ଧିପାଇଛି, ଯାହା ଆଗକୁ ଅନେକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି ।
ଇତିମଧ୍ୟରେ ବହୁ ପ୍ରାଣୀ ଚିକିତ୍ସା ଡିସ୍ପେନସାରୀ ଏବଂ ପ୍ରାଣୀ ଚିକିତ୍ସାଳୟ ପ୍ରାଣୀଧନ ନିରୀକ୍ଷକଙ୍କ ସହାୟତାରେ ପରିଚାଳିତ ହେଉଛି, ଯେଉଁଠାରେ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନ ମିଳୁନାହିଁ ଏବଂ ଏହା ଭାରତର ପ୍ରାଣୀ ଚିକିତ୍ସା ପରିଷଦର ଆଇନ ଓ ନିୟମର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି । ରାଜ୍ୟର ପ୍ରାଣୀ ଚିକିତ୍ସକଙ୍କର ଦାବିଗୁଡିକ ମଧ୍ୟରେ ବିଭାଗର ରୂପାନ୍ତରଣ ଅନ୍ୟତମ ମୁଖ୍ୟ ଦାବି ରହିଛି, ଯେଉଁଥିରେ କୃଷକଙ୍କପାଇଁ ୨୪ ଘଣ୍ଟିଆ ସେବା,
ଇନ୍ଡୋର ଚିକିତ୍ସା ସୁବିଧା ରହିଛି ଯେଉଁଥିରେ ରୋଗଗ୍ରସ୍ତ ପ୍ରାଣୀଙ୍କୁ ଡାକ୍ତରଖାନା ପରିସରରେ ରଖି ଚିକିତ୍ସା କରାଯାଇପାରିବ, ବୃହତ ପ୍ରାଣୀଙ୍କୁ ଡାକ୍ତରଖାନା ପରିବହନ ନିମନ୍ତେ ଆମ୍ବୁଲାନ୍ସ ସୁବିଧା, ବ୍ଲକ ଓ ଜିଲ୍ଲା ସ୍ତରରେ ଉନ୍ନତ ରୋଗ ନିରୂପଣ ସୁବିଧା, ଚକିତ୍ସା ନିମନ୍ତେ ବ୍ୟବହାରକାରୀ ଦେୟ ଛାଡ କରିବା ଏବଂ ଦରିଦ୍ର ଚାଷୀଙ୍କ କ୍ଷେତ୍ରରେ ମାଗଣା ଔଷଧ ଉପଲବ୍ଧ କରାଇବା ଆଦି ଅନ୍ତର୍ଭୁକ୍ତ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରାଣୀ ଚିକିତ୍ସା କ୍ଷେତ୍ର ବିଗତ ବର୍ଷଗୁଡିକରେ ଯଥେଷ୍ଟ ଅଗ୍ରଗତି ହାସଲ କରିଛି, କିନ୍ତୁ ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ପୁରାତନ ପାରମ୍ପରିକ ଚିକିତ୍ସା ପଦ୍ଧତି ଅନୁସରଣ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଛି ଯାହା କ୍ଷେତ୍ର ସ୍ତରରେ ନକଲି ଚିକିତ୍ସକଙ୍କୁ ଉତ୍ସାହିତ କରୁଛି । ରାଜ୍ୟରେ ପ୍ରାଣୀ ଚିକିତ୍ସକମାନଙ୍କୁ ଚିକିତ୍ସକ ଅପେକ୍ଷା ସମ୍ପ୍ରତି ଅଧିକ ସମ୍ପ୍ରସାରଣ ଅଧିକାରୀ ଭାବରେ ବ୍ୟବହାର କରାଯାଉଛି
ଯାହା ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଭବିଷ୍ୟତ ପାଇଁ ଆଦୌ ଉତ୍ସାହପ୍ରଦ ନୁହେଁ ବୋଲି ଡା.ସିମ୍ଫୋନି ମହାନ୍ତି, ଜଏଣ୍ଟ ସେକ୍ରେଟାରୀ, ଓଡ଼ିଶା ଭେଟେରିନାରୀ ସର୍ଭିସ ଆସୋସିଏସନ କହିଛନ୍ତି । ସମ୍ପ୍ରତି ପ୍ରାୟ ୧୩୦୦ ଚିକିତ୍କ ରାଜ୍ୟରେ ୧୯୧୦ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟଭାର ବହନ କରୁଛନ୍ତି, କାରଣ ଅବଶିଷ୍ଟ ପଦଗୁଡିକ ଖାଲି ପଡିଛି । ଏଥିସହିତ ପ୍ରାୟ ୪୦ ପ୍ରତିଶତ ସହାୟକ କର୍ମଚାରୀ ପଦ ମଧ୍ୟ ବିଭାଗରେ ଖାଲି ପଡିଛି, ଯାହା ପ୍ରାଣୀ ଚକିତ୍ସକଙ୍କ ଉପରେ ଅଯଥା ଚାପ ସୃଷ୍ଟି କରୁଛି ।
ସେମାନେ ମଧ୍ୟ ପ୍ରାଣୀସମ୍ପଦ ମାଲିକମାନଙ୍କର ଆଶା ଆକାଂକ୍ଷା ସହିତ ତାଳ ଦେବା ନିମନ୍ତେ ସେମାନଙ୍କ କାର୍ଯ୍ୟ ସମୟ ପରେ, ଏପରିକି ଛୁଟିଦିନଗୁଡିକରେ କାର୍ଯ୍ୟ କରିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରାଯାଉଛି । ଏପରିକିଏଭଳି ପରିସ୍ଥିତିରେ ରାଜ୍ୟର ପ୍ରାଣୀ ଚିକିତ୍ସକମାନଙ୍କୁ ସେମାନଙ୍କର ବିଭିନ୍ନ ଆର୍ଥିକ ସୁବିଧା ଏବଂ ପଦୋନ୍ନତି ଆତି ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭଳି ମିଳୁନାହିଁ । ଏଠାରେ ନୂଆକରି ରାଜ୍ୟ ସରକାରଙ୍କ ପ୍ରାଣୀ ଚିକିତ୍ସା ବିଭାଗରେ ଯୋଗ ଦେଇଥିବା ଜଣେ ପ୍ରାଣୀ ଚିକିତ୍ସକଙ୍କୁ ଚାକିରୀ କରିବାର ୨୨ରୁ ୨୫ ବର୍ଷ ପରେ ପରବର୍ତ୍ତୀ ସ୍କେଲ୍କୁ ପଦୋନ୍ନତି ଦିଆଯାଉଛି,