୨୫ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଇଣ୍ଡଷ୍ଟ୍ରି :- ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଟାଟା ଷ୍ଟିଲର ଇଞ୍ଜିନିୟରଙ୍କ ପାଇଁ ଡିଜାଇନ୍ ଏବଂ ଇଞ୍ଜିନିୟରି ସନ୍ଦର୍ଭରେ ସ୍କୁଲ୍ ଅଫ୍ ଏକ୍ସଲେନ୍ସ ଶୀର୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ। ଖୋର୍ଦ୍ଧା-ଜଟଣୀ(ଓଡ଼ିଶା ତାଜା ନିୟୂଯ)୨୫/୧:- ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର, ଇନ-ହାଉସ୍ ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ଟାଟା ଷ୍ଟିଲ୍ ଇଞ୍ଜିନିୟର ମାନଙ୍କ ଦକ୍ଷତା ବିକାଶର ଏକ ଅଂଶ ଭାବରେ ଡିଜାଇନ୍ ଏବଂ ଇଞ୍ଜିନିୟରିଂ ସନ୍ଦର୍ଭରେ ସ୍କୁଲ୍ ଅଫ୍ ଏକ୍ସଲେନ୍ସ ଶୀର୍ଷକ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରିଛି। ଏହି ଚାରି ଦିନିଆ ତାଲିମ କାର୍ଯ୍ୟକ୍ରମ ୨୨ ରୁ ୨୫ ଜାନୁୟାରୀ ପର୍ଯ୍ୟନ୍ତ ପ୍ରତିଷ୍ଠାନର ସ୍କୁଲ୍ ଅଫ୍ ଇନ୍ଫ୍ରାଷ୍ଟ୍ରକ୍ଚର ପରିସରରେ ଅନୁଷ୍ଠିତ ହୋଇଥିଲା। ଟାଟା ଷ୍ଟିଲର ୩୦ ଜଣ ସିଭିଲ୍ ଇଞ୍ଜିନିୟର୍ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯାହାକି ବ୍ୟବହାରିକ ଉଦାହରଣ ଏବଂ ହ୍ୟାଣ୍ଡ-ଅନ୍ ଅଧିବେଶନ ସହିତ ଆଧୁନିକ ସୀମିତ ଉପାଦାନ-ଆଧାରିତ ସଫ୍ଟୱେୟାରର ବ୍ୟବହାର ଉପରେ ଏକ ବିସ୍ତୃତ ଉପସ୍ଥାପନା ଓ ଜ୍ଞାନ ପ୍ରଦାନ କରିବା ଉଦ୍ଦେଶ୍ୟରେ ପରିକଳ୍ପନା କରାଯାଇଥିଲା। ପ୍ରଫେସର ଦିନାକର ପାସଲା,ଡିନ୍- ପ୍ରାୟୋଜିତ ଅନୁସନ୍ଧାନ ଏବଂ ଔଦ୍ୟୋଗିକ ପରାମର୍ଶଦାତା (ଏସ ଆର୍ ଆଇ ସି) ଏବଂ ସ୍କୁଲ୍ ଅଫ୍ ଇନ୍ଫ୍ରାଷ୍ଟ୍ରକ୍ଚରର ମୁଖ୍ୟ ପ୍ରଫେସର ସୁମନ୍ତ ହାଲଦାରଙ୍କ ଉପସ୍ଥିତିରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କର୍ମଲକର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।
ଏହି ଅବସରରେ ଉଦବୋଧନ ଦେଇ ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କର୍ମଲକର ଆଇଆଇଟି ଭୁବନେଶ୍ୱର ଶିଳ୍ପ-ଏକାଡେମୀ ସହଯୋଗ ତଥା ଏ ଦିଗରେ ଫ୍ୟାକଲ୍ଟିମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରୟାସ କରାଯାଉଥିବା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମଡେଲିଂ, ଆନାଲିସିସ୍, ସିମୁଲେସନ୍, ଏବଂ ଡିଜାଇନ୍ ଆଦି ଭଳି ସମାନ ମାନେ ହେଉଥିବା ଏବଂ ଅନେକ ସମୟରେ ଭୁଲ ଭାବରେ ପ୍ରୟୋଗ କରାଯାଉଥିବା ବିଭିନ୍ନ ଶବ୍ଦ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ସେ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଇଥିଲେ। ଅନୁସନ୍ଧାନ ଏବଂ ନବସୃଜନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ଦିଗରେ ଆଇଆଇଟି ଭୁବନେଶ୍ୱରର ବିଭିନ୍ନ ଇଣ୍ଡଷ୍ଟ୍ରି-ଏକାଡେମୀ ଇଣ୍ଟରଫେସ୍ ପଦକ୍ଷେପ ଉପରେ ଡିନ୍- ପ୍ରାୟୋଜିତ ଅନୁସନ୍ଧାନ ଏବଂ ଔଦ୍ୟୋଗିକ ପରାମର୍ଶଦାତା ପ୍ରଫେସର ଦିନାକର ପାସଲା ଆଲୋକପାତ କରିଥିଲେ। ପ୍ରଫେସର ସୁମନ୍ତ ହାଲଦାର ଅଂଶ ଗ୍ରହଣ କାରୀଙ୍କ ସମ୍ମୁଖରେ ସ୍କୁଲ୍ ଅଫ୍ ଇନ୍ଫ୍ରାଷ୍ଟ୍ରକ୍ଚର ବିଷୟରେ ଏକ ସଂକ୍ଷିପ୍ତ ପରିଚୟ ଉପସ୍ଥାପନ କରିଥିଲେ। ପ୍ରଫେସର ଶରତ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପ୍ରଫେସର ସନ୍ତୋଷ କୁମାର ଜି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଟାଟା ଷ୍ଟିଲ ଲିମିଟେଡର ଡିଜାଇନ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଜି ଆଣ୍ଡ୍ ଏମ୍ ଶ୍ରୀ ମନୀଷ କୁମାର ସିଂ ଆଇଆଇଟି ଭୁବନେଶ୍ୱର ପରିଦର୍ଶନ କରି ଶିଳ୍ପ-ଏକାଡେମୀ ସମ୍ପର୍କ ପାଇଁ ଟାଟା ଷ୍ଟିଲ ସହ ସମ୍ଭାବ୍ୟ ସହଯୋଗ ବିଷୟରେ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ।

