୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଚିଲିକା :- ଚିଲିକା ବ୍ଲକର ଗଙ୍ଗାଧରପୁର ସ୍ଥିତ ଚିଲିକା ଜୁଡିସିଆଲ କୋର୍ଟ ପରିସରସ୍ଥ ଚିଲିକା ଓକିଲ ସଂଘ ର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ°ଘର ସଭାପତି ବରିଷ୍ଠ ଆଇନଜୀବି ଖଗେଶ୍ବର ପାତ୍ର ଙ୍କ ଅଧ୍ୟକ୍ଷତାରେ ତଥା ସ°ପାଦକ ଆଡଭୋକେଟ ଦେବାଶିଷ ରଥ ଙ୍କ ସ°ଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଚାରବିଭାଗୀୟ ଅଦାଲତର( ସିଭିଲ ଜଜ୍ ସିନିଅର ଡ଼ିଭିଜନ) ମାନ୍ୟବର ବିଚାରପତି ଶ୍ରୀ ମନୋରଞ୍ଜନ ମିଶ୍ର , ମୁଖ୍ୟ ବକ୍ତା ଭାବେ ଚିଲିକା ଜୁଡିସିଆଲ କୋର୍ଟ ର ମାନ୍ୟବର ବିଚାରପତି ବିକାଶ ଗୋଏଲ, ସମ୍ମାନିତ ଅତିଥି ଭାବେ ବାର କାଉନସିଲ ଅଫ୍ ଇଣ୍ଡିଆ ର ମାନ୍ୟବର ସଦସ୍ୟ ଆଡଭୋକେଟ ଭକ୍ତ ଭୂଷଣ ବାରିକ ଯୋଗ ଦେଇ ନିଜର ବକ୍ତବ୍ୟ ରଖି ଥିଲେ। ଆଇନଜୀବୀ ମାନେ କମ୍ପ୍ୟୁଟର ରେ ବୈଷୟିକ ଜ୍ଞାନ ରଖି ସମୟୋପଯୋଗୀ ଆଇନର ତର୍ଜମା କରି ଆଇନ ସେବାରେ ସର୍ବଦା ଉତ୍ସର୍ଗୀକୃତ ମନୋଭାବ ପୋଷଣ କରି ଅସହାୟ ଙ୍କୁ ଆଇନ ସହାୟତା ଯୋଗାଇ ଦେବାକୁ ମୁଖ୍ୟ ଅତିଥି ମାନ୍ୟବର ବିଚାରପତି ଶ୍ରୀ ମିଶ୍ର ମତ ରଖିଥିଲେ।
ଆଇନଜୀବୀ ମାନେ ଆଇନର ବିଭିନ୍ନ ଦିଗ ତର୍ଜମା କରି ନିୟମିତ ଆଇନ ବହି ଉପରେ ଧ୍ୟାନ ଦେଇ ନିଜ ଆଇନ ପେଶାରେ ସ୍ଵୟଂ ସିଦ୍ଧହସ୍ତ ହେବାକୁ ମୁଖ୍ୟ ବକ୍ତା ମାନ୍ୟବର ଅନ୍ୟତମ ବିଚାରପତି ଶ୍ରୀ ଗୋଏଲ ମତ ରଖିଥିଲେ। ସେହିପରି ଆଇନ ଅଦାଲତରେ ଉଭୟ ବାର ଓ ବେଞ୍ଚ ମଧ୍ୟରେ ସମନ୍ୱୟ ରକ୍ଷା କରି ସହଯୋଗ କରିବା ନିମନ୍ତେ ଉଭୟ ଅଦାଲତ ଓ ଆଇନଜୀବୀଙ୍କ ର ପାରସ୍ପରିକ ସହଯୋଗର ହାତ ରହିଛି ବୋଲି ମତ ଦେଇଥିଲେ।
ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ମାନେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ପଟ୍ଟଚିତ୍ର ରେ ମାଲ୍ୟାର୍ପଣ, ଧୂପ ପୁଷ୍ପ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିବା ପରେ ସମବେତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ବାଲୁଗାଁ ର ଆରାଧନା ମ୍ୟୁଜିକ ଗୃଫ ପକ୍ଷରୁ ସୁଦର୍ଶନ ଦାଶ ଙ୍କ ସ°ଯୋଜନାରେ ଛାତ୍ରୀ କଳାକାର ମାନେ ସ୍ଵାଗତ ସ°ଗୀତ ଗାନ ପରେ ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ସହିତ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବାଗତ ଭାଷଣ ସହିତ ସଭା ପରିଚାଳନା ରେ ଚିଲିକା ଓକିଲ ସ°ଘର ପ୍ରାକ୍ତନ ସ°ପାଦକ ପ୍ରଦୋଷ କୁମାର ଦାସ ସହଯୋଗ କରିଥିଲେ । ସ°ଘର ଉପ ସଭାପତି ଆଡଭୋକେଟ ଚିତ୍ରସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୁନି କୁନି ନୃତ୍ୟ କଳାକାରମାନଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ନାଚୁଣୀ ସ୍ଥିତ ଉତ୍କଳିକା ସ°ଗୀତ ଏକାଡେମୀର କଳାକାର ମାନଙ୍କ ପକ୍ଷରୁ ଗୁରୁ ବିଜୟଲକ୍ଷ୍ମୀ ବଳିଆର ସିଂହ ଙ୍କ ନିର୍ଦ୍ଦେଶନାରେ ଓଡ଼ଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା। ଚିଲିକା ଓକିଲ ସଂଘ ର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନଙ୍କ ସହଯୋଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଟାଙ୍ଗୀ, ବାଣପୁର ତଥା ଖୋର୍ଦ୍ଧା ଓକିଲ ସଂଘ ର ଆଇନଜୀବୀ ମାନଙ୍କ ସମେତ ଚିଲିକା ଜୁଡିସିଆଲ କୋର୍ଟର କର୍ମଚାରୀଗଣ , ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇ ଉପସ୍ଥିତ ରହିଥିଲେ।

