୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଆର,ଉଦୟଗିରି :- ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ନବନିର୍ମିତ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ପ୍ରତିଫଳନ ଆର,ଉଦୟଗିରି ଓ ନୁଆଗଡ ବ୍ଲକ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ଅବସରରେ ଆର,ଉଦୟଗିରି ଶିବ ମନ୍ଦିର ପରିସରରେ ହୋମଯଜ୍ଞ ଏବଂ ଖଜୁରୀପଦା ହନୁମାନ ମନ୍ଦିରରେ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା ।
ପ୍ରାତଃକାଳରରୁ ହିଁ ବିଭିନ୍ନ ମନ୍ଦିରକୁ ରାମଭକ୍ତଙ୍କ ସୁଅ ଛୁଟିଥିଲା । ଗାଁ ଗାଁରେ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା ବେଳେ ଘରଗୁଡିକ ସମ୍ମୁଖରେ ଧୂପ,ଦୀପ ସହ ପୂର୍ଣ୍ଣ କୁମ୍ଭ ବଢାଯାଇଥିଲା । ଜୟ ଶ୍ରୀରାମ ନାରା ଦେଇ ମାଳ ମାଳ ଶୋଭାଯାତ୍ରା ବାହାରିଥିଲା । ବିଭିନ୍ନ ଗୋଷ୍ଠୀ ପକ୍ଷରୁ ସ୍ଥାନେ ସ୍ଥାନେ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଥିଲା । ସାନ୍ଧ୍ୟ କାଳରେ ସହରାଞ୍ଚଳଠୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଲୋକେ ଘର ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଭକ୍ତିଭାବ ଓ ଆବେଗର ସହ ଦିପୋତ୍ସବ ପାଳନ କରିଥିଲେ । ସ୍ଥାନୀୟ ଶିବ ମନ୍ଦିରଠାରୁ ବିରାଟ ଶୋଭାଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁ ରାମ-ଲକ୍ଷ୍ମଣ-ସୀତା-ହନୁମାନ ବେଶ ପଟୁଆରରେ ବାହାରି ସହର ପରିକ୍ରମା କରିଥିଲା ବେଳେ ଜୟ ଶ୍ରୀରାମ ଧ୍ବନି ଓ ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା ।

