
୨୧ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ପାଇକସାହି ଗ୍ରାମର ଶ୍ରୀଧର ରାଉତ ନାମକ ଜଣେ ଯୁବକ ଛଦ୍ମ ନାମରେ ନିଜକୁ ଡ଼ାକ୍ତର ପରିଚୟ ଦେଇ , ବିଭିନ୍ନ ବ୍ୟାଙ୍କରୁ ରୁଣ ଆଣି ଠକୁଥିବା ଘଟଣା ପଦାକୁ ଆସିବା ପରେ କଟକ ସଦର ପୋଲିସ ଶ୍ରୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଶନିବାର କଟକ ସଦର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ସାମ୍ବା ସମ୍ମିଳନୀରେ କଟକର ଅତିରିକ୍ତ ଡିସିପି ଅନିଲ ମିଶ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଯେ , ଶ୍ରୀଧର ନିଜକୁ ବିଭିନ୍ନ ସ୍ଥାନରେ ଦିଲ୍ଲୀରେ ଡ଼ାକ୍ତର ଭାବେ କାର୍ଯ୍ୟ କରନ୍ତି ବୋଲି ପରିଚୟ ଦେଇ ବ୍ୟାଙ୍କରୁ ରୁଣ ଆଣି ନଦେବା , ଝାଡ଼ଖଣ୍ଡରୁ ଗାଡ଼ି ଆଣି ଟଙ୍କା ନସୁଝିବା, ପରବର୍ତ୍ତୀ ସମୟରେ ଫୁଲନଖରା ୟୁକ ବ୍ୟାଙ୍କ ଶାଖା ପରିଚାଳକଙ୍କ ସହିତ ସଂପର୍କ ରଖି ଜାଲ କାଗଜପତ୍ର ଦେଇ ରୁଣ କରିବା ପାଇଁ ମସୁଧା ଚଳାଇଥିଲା । ବ୍ୟାଙ୍କ ପରିଚାଳକ ଅଭିନାଶ ସେଠୀଙ୍କର ସନ୍ଦେହ ହେବାରୁ ସଦର ଥାନାରେ ଅଭିଯୋଗ କରିଥିଲେ । ବ୍ୟାଙ୍କ ପରିଚାଳକଙ୍କ ଅଭିଯୋଗକୁ ଭିତ୍ତି କରି ସଦର ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ନକଲି ଡ଼ାକ୍ତର ଶ୍ରୀଧରକୁ ଗିରଫ କରିବାରେ ସଫଳ ହୋଇଥିଲେ । ଶ୍ରୀଧର ପୂର୍ବରୁ ଏହି ଛଦ୍ମ ନାମରେ ଠକୁଥିବା ନେଇ ଗିରଫ ହୋଇଥିଲା । ଗିରଫ ନକଲି ଡ଼ାକ୍ତର ପାଖରୁ ପୋଲିସ ,ଭିନ୍ନ ଭିନ୍ନ ନାମରେ ତିନିଟି ଆଧାର କାର୍ଡ଼ , ପାନକାର୍ଡ଼ , ଦରମା ପାଉଥିବା ଜାଲ ପେ ସ୍ଲିପ,ରବର ଷ୍ଟାମ୍ପ, ଏକ ବାଇକକୁ ଜବତ କରିଛି । ଶ୍ରୀଧର ନାମରେ ସଦର ଥାନା ସମେତ ବିଭିନ୍ନ ଥାନାରେ ମାମଲା ରହିଥିବା ଅତିରିକ୍ତ ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଏସିପି ଚନ୍ଦନ ଘଡେଇ, ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ ।

