ଜାତୀୟ ଯୁବ ଦିବସରେ ଯୁବ ପ୍ରତିଭା ସମ୍ବର୍ଦ୍ଧିତ

୧୩ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :-> ବେଗୁନିଆ ବ୍ଲକ ବୋତଳମା ପଞ୍ଚାୟତ ଅନ୍ତର୍ଗତ ଅଠରାଙ୍ଗ ଗ୍ରାମର ଶ୍ରୀ ଶ୍ରୀ ରାଧାମୋହନ ଦେବ ସତଶିକ୍ଷା କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଜାତୀୟ ଯୁବ ଦିବସ ଅବସରରେ ମନ୍ଦିର ପରିସରରେ ଆୟୋଜିତ ଆଧ୍ୟାତ୍ମିକ ସଭା ଓ ଯୁବ ପ୍ରତିଭା ସମ୍ମାନ ସମାରୋହରେ ସଭାପତି ନାଟ୍ୟକାର ଡ଼. ବନବିହାରୀ ମହାପାତ୍ର ପୌରୋହିତ୍ୟ କରିଥିଲେ । ପଣ୍ଡିତ ଲକ୍ଷ୍ମୀଧର ମହାପାତ୍ର ମଙ୍ଗଳା ଚରଣ ପାଠ କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ କବୟିତ୍ରୀ ଶାନ୍ତିଲତା ମହାପାତ୍ର ଆବାହନୀ ସଙ୍ଗୀତ ଗାନ କରିଥିଲେ । ପରେ ସଭାପତି ସମସ୍ତଙ୍କୁ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶୁଦ୍ଧ ଚିନ୍ତା,ଚେତନା ଓ ଆଚରଣ ପ୍ରଦର୍ଶନ ପାଇଁ ଶପଥ ପାଠ କରାଇଥିଲେ । ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଏଥିରେ କବି ତଥା ଶିକ୍ଷାବିତ ଚକ୍ରଧର ତ୍ରିପାଠୀ ମୁଖ୍ୟ ଅତିଥି . 

ବାଗ୍ମୀ ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ବିଶିଷ୍ଟ ଅତିଥି, ରାଜ୍ୟ ସମ୍ମାନପ୍ରାପ୍ତ ଶିକ୍ଷକ ନଗେନ୍ଦ୍ର ନାଥ ଦତ୍ତ ମୁଖ୍ୟ ବକ୍ତା ଓ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆଧ୍ୟାତ୍ମିକତା ବିନା ବିଜ୍ଞାନ ଅସଂପୂର୍ଣ୍ଣ ଓ ଯୁବଶକ୍ତିର ଉପଯୁକ୍ତ ଓ ସନ୍ତୁଳିତ ଉପଯୋଗ ହେଲେ ରାଷ୍ଟ୍ରର ସର୍ବୋତ୍ତମ ବିକାଶ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ ।

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁବ ପ୍ରତିଭା ସମର ସିଂହ ଯାଦବ , ରାଜେଶ କୁମାର ପାଟ୍ଟଶାଣି, ପୁରୁଷୋତ୍ତମ ମଙ୍ଗରାଜ, ବିଷ୍ଣୁ ପ୍ରସାଦ ପଣ୍ଡା, ବେଦାଚାର୍ଯ୍ୟ ଅଶୋକ କୁମାର ପଣ୍ଡା, ପ୍ରବଚକ ପ୍ରଫୁଲ୍ଲ କୁମାର ଦାଶ ଓ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଉପସଭାପତି ହରେକୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version