ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ – 5 ଜଣ ଗିରଫ

୧୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ବାଲୁଗାଁ ରେଳଷ୍ଟେସନରେ ଗୁରୁବାର ବିଳମ୍ବିତ ରାତିରେ ଗଞ୍ଜେଇ ଚୋରା ଚାଲାଣ ବେଳେ ରେଳ ସୁରକ୍ଷା ବାହିନୀ କର୍ମଚାରୀଙ୍କ ହାତରେ ଧରାପଡ଼ି 5 ଜଣ ଗିରଫ ହୋଇଛନ୍ତି l ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରାଯିବା ସହ ସମ୍ପୃକ୍ତ ବ୍ୟବସାୟୀ ମାନଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ଖଲ୍ଲିକୋଟ ଥାନା ଅଧିନ କହେଁଇପୁର ସ୍ଥିତ ମହେଶ୍ୱର ପୁର ଗ୍ରାମର ପରମେଶ୍ୱର ପ୍ରଧାନଙ୍କ ପୁଅ ରାଜେଶ ପ୍ରଧାନ (21), ତାମିଲନାଡୁ ରାଜ୍ୟ ସାଲେମ ଜିଲ୍ଲା ଦlଲାଭାଇପଟି ଅଞ୍ଚଳର ବିଶ୍ୱ ମାଣିକ ନନ୍ଦନ (21), ଲୋଗେଶ୍ୱର ଚନ୍ଦ୍ରଶେଖନ (22),

ପ୍ରଶାନ୍ତ ଏମ (18)ଏବଂ ନନ୍ଦକୁମାର ରାଜା (26) l ପୁଲିସ ସୂଚନାରୁ ପ୍ରକାଶ ଯେ, ଗତ ଗୁରୁବାର ରାତ୍ରି ପ୍ରାୟ 10 ଘଣ୍ଟିକl ସମୟରେ 5 ଜଣ ସନ୍ଦିଗ୍ଧ ବ୍ୟକ୍ତି ବାଲୁଗାଁ ରେଳ ଷ୍ଟେସନର 1 ନମ୍ବର ପ୍ଲାଟଫର୍ମରେ ବସି ଚେନାଇ ଅଭିମୁଖେ ଯିବା ପାଇଁ 12839 ନଂ ଟ୍ରେନକୁ ଅପେକ୍ଷା କରିଥିଲେ l ଉକ୍ତ ସମୟରେ ବାଲୁଗାଁ ରେଳ ସୁରକ୍ଷା ବାହିନୀର କିଛି କର୍ମୀ ରେଳ ଷ୍ଟେସନରେ ପଇଁତରା ମାରୁଥିବା ବେଳେ ସେମାନଙ୍କୁ ସନ୍ଦେହ କରି ତଲାସି କରିଥିଲେ l

ସେମାନଙ୍କ ଠାରୁ 22 କିଲୋ 5 ଶହ ଗ୍ରାମର ଗଞ୍ଜେଇ ଜବତ କରାଯାଇଥିଲା l ଯାହାର ଆନୁମାନିକ ମୂଲ୍ୟ 2 ଲକ୍ଷ 50 ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି l ଏ ନେଇ ରେଳ ବାଇ ପୋଲିସ 7/24 ରେ ଏକ ମାମଲା ରୁଜୁ କରିବା ସହ ସଂପୃକ୍ତ ବ୍ୟବସାୟୀଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି l

Exit mobile version