ନନ୍ଦିଘୋର ପଞ୍ଚାୟତ ରେ ଶ୍ରୀଜଗନ୍ନାଥ ରଥ ପରିଭ୍ରମଣ

୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡଗାଁ :-> ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ଆଜି ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ଗ୍ରାମ ପଞ୍ଚାୟତରେ ପରିକ୍ରମା କରୁଛି। ନନ୍ଦିଘୋର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପାଇକସାହି, ଜାମୁ ଗାଡ଼ିଆ ସାହି,ପାଣିଖିଆ ସାହି, ଯାତ୍ରାବରପାଟଣା, ନୂଆସାହି, ତୁଳସୀ ସାହି, ନେଳିଆ ସାହି, ବାଘରାସାହି ଓ କମାର ସାହି ମଧ୍ୟରେ ଅର୍ପଣ ରଥ ଯାତ୍ରା କରିବା ସମୟରେ ଶଙ୍ଖ, ହୁଳହୁଳି ସହିତ ସଂକୀର୍ତ୍ତନ ମଣ୍ଡଳୀ ଖୋଳତାଳ ମଧ୍ୟରେ ଜୟ ଜଗନ୍ନାଥ ଧ୍ୱନି ପ୍ରକମ୍ପିତ ହେଉଥିଲା।ସରପଞ୍ଚ ଶ୍ଵେତଲୀନା ମିଶ୍ର ଓ ନାଏବ ସରପଞ୍ଚ ମମତା ସାହୁଙ୍କ ନେତୃତ୍ୱରେ ରଥ ପରିକ୍ରମା ହେଉଥିବା ବେଳେ ପାଣି ପଞ୍ଚାଯତ ଶୀର୍ଷ କମିଟିର ଅଧ୍ୟକ୍ଷ ସୁଧାକର ଷଡ଼ଙ୍ଗୀ, ସୋସାଇଟିର ସଭାପତି ସୁରେନ୍ଦ୍ର କୁମାର ପ୍ରଧାନ,

ବିଜେଡି ଯୁବ ସଭାପତି ବରୁଣ କୁମାର ସାହୁ, ତୁଳସୀ ସାହି ସଭାପତି ଜୟକୃଷ୍ଣ ସାହୁ ଓ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ଶୁଭ ଉଦଘାଟନ ନିମନ୍ତେ ନନ୍ଦିଘୋର ର ଗ୍ରାମଦେବତୀ ମା ‘ବାଉତୀଙ୍କ କୋଠୀରେ ପୂଜାର୍ଚ୍ଚନା ଓ ବନ୍ଦାପନା ପରେ ପ୍ରତି ଘରକୁ ଘର ବୁଲି ସମସ୍ତ ଜଗନ୍ନାଥ ପ୍ରେମୀଭକ୍ତଙ୍କ ଠାରୁ ଅରୁଆ ଚାଉଳ ଓ ଗଳିଗୁଆ ସଂଗ୍ରହ କରାଯାଇଥିଲା ।

ଅର୍ପଣ ରଥ ଯିବା ରାସ୍ତାରେ ମହିଳା ମାନେ ଝୋଟି ଚିତା ପକେଇ ପୂର୍ଣ୍ଣ କୁମ୍ଭ ବସାଇ ହୁଳହୁଳି ସହିତ ଫୁଲ ଦୁବ ପକାଇ ରଥକୁ ସ୍ବାଗତ କରି ଭକ୍ତିର ସହିତ ଅରୁଆ ଚାଉଳ ଓ ଗଳିଗୁଆ ଅର୍ପଣ କରିବା ସହିତ କିଛି ଦକ୍ଷିଣା ମଧ୍ୟ ପ୍ରଦାନ କରୁଥିଲେ।ସେହି ସମୟରେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଗ୍ରାମ ପ୍ରକମ୍ପିତ ହେଉଥିଲା। ଆସନ୍ତା କାଲି ନନ୍ଦିଘୋର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଓସ୍ତିଆ ଓ ଘଷାଦେଇପୁର ଗ୍ରାମ ଅର୍ପଣ ରଥ ପରିକ୍ରମା କରିବ ବୋଲି ସରପଞ୍ଚ ଶ୍ଵେତଲୀନା ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

Exit mobile version