ଆଇଆଇଟି ଭୁବନେଶ୍ୱର ପକ୍ଷରୁ କର୍ମଚାରୀଙ୍କ ନିମନ୍ତେ ପ୍ରଥମ ଥର ପାଇଁ କର୍ମକ୍ଷେତ୍ର ଯୋଗାଯୋଗ ସମ୍ବନ୍ଧୀୟ କର୍ମଶାଳା ଆୟୋଜିତ

10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ  :-> କର୍ମଚାରୀଙ୍କ ମଧ୍ୟରେ ପ୍ରଭାବଶାଳୀ ଓ ଦକ୍ଷ ଯୋଗାଯୋଗ କୌଶଳ ମାଧ୍ୟମରେ ସ୍ପଷ୍ଟତା,ସ୍ୱଚ୍ଛତା ଏବଂ କାର୍ଯ୍ୟ ଦକ୍ଷତାକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଏକ ଦୁଇଦିନିଆ କର୍ମଶାଳା ଆୟୋଜିତ ହୋଇଛି। ସଚେତନତା ଏବଂ ସକ୍ରିୟ ପ୍ରଶିକ୍ଷଣ ଜରିଆରେ କର୍ମଚାରୀଙ୍କ ଯୋଗାଯୋଗ ଦକ୍ଷତାର ସ୍ତର ବୃଦ୍ଧି କରିବା ନିମନ୍ତେ ପ୍ରଥମ ଥର ପାଇଁ ପ୍ରତିଷ୍ଠାନ ପକ୍ଷରୁ ଏଭଳି କର୍ମଶାଳାର ସଂରଚନା ଓ ଆୟୋଜନ କରାଯାଇଥିଲା ।

କର୍ମଶାଳାର ପ୍ରଥମ ପର୍ଯ୍ୟାୟ ସହାୟକ କର୍ମଚାରୀଙ୍କ ନିମନ୍ତେ ଜାନୁୟାରୀ ୮ ଓ ୧୦ ତାରିଖରେ ପ୍ରତ୍ୟହ ୨ଟି ଗ୍ରୁପରେ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଗ୍ରୁପ ପାଇଁ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ଆଇଆଇଟି ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କର୍ମଲକର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କର୍ମଶାଳାର ଅଂଶ ଗ୍ରହଣ କାରୀଙ୍କୁ ଉଦବୋଧନ ଦେଇ,

ଯୋଗାଯୋଗରେ ଫଳପ୍ରଦତା ଏବଂ ଦକ୍ଷତା କିପରି ଭୁଲ ବୁଝାମଣାକୁ ରୋକିଥାଏ ଏବଂ କର୍ମକ୍ଷେତ୍ରରେ ଉପଯୁକ୍ତ ପରିବେଶ ସୁନିଶ୍ଚିତ କରେ ସେ ବ୍ୟାଖ୍ୟା କରିଥିଲେ। ଯୋଗାଯୋଗରେ ଫଳପ୍ରଦତା ହାସଲ କରିବାରେ ସ୍ପଷ୍ଟତା, ସମୟାନୁବର୍ତ୍ତୀତା,ସଠିକତା, ଶାରୀରିକ ଆବ’ଭାବ ଏବଂ  ଆମେ କିପରି କଥାବାର୍ତ୍ତା କରୁ ଆଦିର ପ୍ରଭାବ ସମ୍ପର୍କରେ ସେ ଉଦାହରଣ ସହିତ ବର୍ଣ୍ଣନା କରିଥିଲେ।

ଅଂଶ ଗ୍ରହଣ କାରୀ ମାନଙ୍କୁ ସେମାନଙ୍କର କର୍ମକ୍ଷେତ୍ରର ପରିବେଶର ମାନ ବୃଦ୍ଧି କରିବା ପାଇଁ କର୍ମଶାଳାରୁ ସକ୍ରିୟ ପ୍ରଶିକ୍ଷଣ ନେବାକୁ ସେ କହିଥିଲେ। ଏହି ଅବସରରେ ପ୍ରତିଷ୍ଠାନର ରେଜିଷ୍ଟ୍ରାର ବାମଦେବ ଆଚାର୍ଯ୍ୟ ମଧ୍ୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ ଏବଂ କର୍ମକ୍ଷେତ୍ରରେ ଯୋଗାଯୋଗର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଭବିଷ୍ୟତରେ ଆଇଆଇଟି ଭୁବନେଶ୍ୱର ନିୟମିତ ଭାବେ ଏହିପରି କର୍ମଶାଳା ଆୟୋଜନ କରିବ ବୋଲି ସେ ସୂଚନା ଦେଇଥିଲେ।

ପ୍ରଫେସର-ଇନ୍-ଚାର୍ଜ (ଯୋଗାଯୋଗ) ଡକ୍ଟର ପୁଣ୍ୟଶ୍ରୀ ପଣ୍ଡା ଦୁଇ ଦିନିଆ କର୍ମଶାଳାର ସଂରଚନା ଏବଂ ଆୟୋଜନ କରିଥିଲେ।କର୍ମଶାଳାର ପ୍ରଥମ ଦିନରେ ଡିନ୍(ଷ୍ଟୁଡେଣ୍ଟ ଆଫେୟାର୍ସ) ପ୍ରଫେସର ରାଜେଶ ରୋଶନ ଦାଶଙ୍କ ଦ୍ୱାରା“କାର୍ଯ୍ୟରେ ସଠିକ୍ ମନୋଭାବ” ଡିନ୍ (ପୋଷ୍ଟ ଗ୍ରାଜୁଏଟ୍ ଏବଂ ରିସର୍ଚ୍ଚ ପ୍ରୋଗ୍ରାମ୍) ପ୍ରଫେସର ଚନ୍ଦ୍ରଶେଖର ନାରାୟଣ ଭେଣ୍ଡେଙ୍କ ଦ୍ୱାରା “ଛାତ୍ର ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ପରିଚାଳନା” ପ୍ରଫେସର-ଇନ୍-ଚାର୍ଜ (ଯୋଗାଯୋଗ)

ଡକ୍ଟର ପୁଣ୍ୟଶ୍ରୀ ପଣ୍ଡାଙ୍କ ଦ୍ୱାରା “ଶ୍ରବଣ-ବକ୍ତବ୍ୟ-ପଠନ-ଲିଖନ (ଏଲ୍ ଏସ ଆର୍ ଡବ୍ଲୁ) ଦକ୍ଷତାର ପୁନଃସମୀକ୍ଷା” ଏବଂ ସ୍କୁଲ ଅଫ୍ ହ୍ୟୁମାନୀଟିଜ, ସୋସିଆଲ ସାଇନ୍ସେସ ଆଣ୍ଡ୍ ମ୍ୟାନେଜମେଣ୍ଟର  ଆସୋସିଏଟ୍ ପ୍ରଫେସର ଅକ୍ଷୟ କୁମାର ରଥଙ୍କ ଦ୍ୱାରା “କାର୍ଯାଳୟ କାମ ନିମନ୍ତେ ଲିଖନ” ଆଦି ଉପରେ ଅଧିବେଶନ ଅନ୍ତର୍ଭୁକ୍ତ ହୋଇଥିଲା। କର୍ମଶାଳାର ଦ୍ୱିତୀୟ ଦିନରେ ଅଂଶଗ୍ରହଣକାରୀଙ୍କ ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇଁ ଇଣ୍ଟରାକ୍ଟିଭ୍ ପ୍ରଶିକ୍ଷଣ ଅଧିବେଶନ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି କର୍ମଶାଳାରେ ୧୨୦ ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

Exit mobile version