ରୂପାନ୍ତର ପଥେ ମାଲକାନଗିରି
ଆକାଶପଥରେ ଯୋଡିହେଲା ମାଲକାନଗିରି ୨୩୩ ଏକର ପରିବ୍ୟାପ୍ତ ଅଞ୍ଚଳରେ ରନୱେ ନିର୍ମିତ, ୭୦ କୋଟି ଟଙ୍କା ଖର୍ଚ୍ଚ ମାଲକାନଗିରି ଜିଲ୍ଲାରେ ସପ୍ତଧାରା ନଦୀରେ ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଖର୍ଚ୍ଚ ହେବ ୪,୦୦୦ କୋଟି ଟଙ୍କା, ୯୨,୮୧୫ ଏକର ଚାଷ ଜମିରେ ଜଳସେଚନର ସୁବିଧା,
ମାର୍ଚ୍ଚ ମାସରେ 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ଙ୍କ ମାଲାକାନଗିରି ଗସ୍ତ ସମୟରେ ଜନସାଧାରଣଙ୍କ ଠାରୁ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ.
10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ରୂପାନ୍ତର ଯାତ୍ରାରେ ଆଉ ଏକ ପାଦ ଆଗେଇଲା ମାଲକାନଗିରି. ଆକାଶ ପଥରେ ଯୋଡି ହୋଇ ଇତିହାସ ରଚିଲା ମାଲକାନଗିରି, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରିରେ ଏକ ବିମାନ ବନ୍ଦର ଉଦ୍ଘାଟନ କରିଛନ୍ତି। ଏହା ଦ୍ୱାରା ମାଲକାନଗିରି ସ୍ୱପ୍ନ ପୁରଣ ହୋଇଛି।
ମାଲକାନଗିରି ଆକାଶପଥ ମାନଚିତ୍ର ରେ ସ୍ଥାନିତ ହୋଇଛି। ଏହା ଦ୍ୱାରା ମାଲକାନଗିରି ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ପୂର୍ବରୁ କୋରାପୁଟର ଜୟପୁର, କଳାହାଣ୍ଡିର ଉତ୍କେଲା, ରାଉରକେଲା, ଗଞ୍ଜାମର ରଙ୍ଗେଇଲୁଣ୍ଡାରେ ବିମାନବନ୍ଦର ସ୍ଥାପନ କରାଯାଇଛି। ଏହା ପରେ ଆଜି ମାଲକାନଗିରିକୁ ମଧ୍ୟ ଆକାଶପଥରେ ସଂଯୋଗ କରାଯିବାପରେ ସାରା ରାଜ୍ୟର ଦୂରବର୍ତ୍ତୀ ଅଞ୍ଚଳଗୁଡିକରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଓଡିଶାରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।
ମାଲକାନଗିରି ବିମାନ ବନ୍ଦର ୨୩୩ ଏକର ଅଞ୍ଚଳରେ ପରିବ୍ୟାପ୍ତ ଏବଂ ଏଥିରେ ୧୬୨୦ ମିଟର ଦୀର୍ଘ୍ୟ ଓ ୩୦ ମିଟର ପ୍ରସ୍ଥ ବିଶିଷ୍ଟ ଏକ ରନୱେ ନିର୍ମାଣ କରାଯାଇଛି। ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଉଦ୍ଘାଟନ ସମୟରେ ମୁଖମନ୍ତ୍ରୀଙ୍କ ସହିତ5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ଆଜି ମାଲକାନଗିରି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ଏଥିପାଇଁ ୪୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ଗତ ମାର୍ଚ୍ଚ ୨୮ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତ କରି ସ୍ଥାନୀୟ ଜନସାଧାରଣଙ୍କ ସହିତ ସପ୍ତଧାରା ନଦୀରେ ଏକ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଆଲୋଚନା କରିଥିଲେ ।
