ଜମି ଫାଟି ଆଁ, ଶୁଖି ଗଲାଣି ଚାଷୀ ମୁହଁ – କଳାହାଣ୍ଡି

ଓଡିଶା ତାଜା ନ୍ୟୁଜ୍ (୨୧ ଜୁଲାଇ ମଙ୍ଗଳବାର ) କଳାହାଣ୍ଡି :- ଆକାଶରେ ମେଘୁଆ ବାଦଲ ଭାସୁଛି।ହେଲେ ବରଷୁ ନାହିଁ । ଧାରା ଶ୍ରାବଣରେ କ୍ଷେତ ଶୁଖିଲା ପଡ଼ିଛି । ଏପରି ଅବସ୍ଥା କଳାହାଣ୍ଡି ଜିଲ୍ଲାରେ ଦେଖାଯାଇଛି । କୃଷି ପାଣି ପାଗ ବିଶାରଦଙ୍କ କହିବାନୁଯାୟୀ ରାଜ୍ୟରେ ମଧ୍ୟ ଚଳିତବର୍ଷ ମୈ।ସୁମୀରେ ଭଲ ବର୍ଷା ହୋଇନାହିଁ। ମୈ।ସୁମୀ ଟ୍ରଫ ସ୍ଵାଭାବିକ ରହିଲେ ବର୍ଷା ବଢ଼ିଥାଏ ତେବେ ଏଥର ମୈ।ସୁମୀ ଭି ନିଖୋଜ ।

କଳାହାଣ୍ଡି ଜିଲ୍ଲାର ଅଣଜଳସେଚିତ ଜମିରେ ମାଟି ଫାଟି ଆଁ କରି ବସିଛି । ବର୍ଷାର ବାଟ ଚାହିଁ ଚାହିଁ ଚାଷୀ ହତାଶ ହୋଇ ମୁହଁ ଶୁଖେଇ ମାଟି ଫାଟି ଆଁ କରିଥିବା ଚାଷ ଜମିକୁ ଯିବାକୁ ମଧ୍ୟ ଗୋଡ଼ କାଢ଼ିବାକୁ ସାହସ କରୁନି।ଯଦି ଦିନେ କିମ୍ବା ଦୁଇଦିନ ମଧ୍ୟରେ ଭଲ ବର୍ଷା ନହେଲେ ତେବେ ଧାନ ତଳି ଜଳିଯିବାକୁ ସମୟ ଲାଗିବ ନାହିଁ । ଅନ୍ୟ ପଟେ ବେଉଷଣ କାମ ପୁରାପୁରି ଠପ୍ ହୋଇଯାଇଛି।ନଦୀ ଓ ନାଳ ପାଣିର ଧାର କମି ଆସୁଥିବାରୁ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଚାଷୀ ମଧ୍ୟ ଭାଲେଣୀ କଲେଣି।କାଁଭାଁ ସ୍ଵଳ୍ପ ବର୍ଷା ହେବା ଓ ପ୍ରବଳ ଗରମ ହେତୁ ଅନେକ ସ୍ଥାନରେ ବର୍ଷା ପାଣିର ଅଭାବ ଯୋଗୁଁ ଧାନ ଚାଷ ମରି ବସିଲାଣି ।

ବିଶେଷ କରି ନର୍ଲା, କେସିଙ୍ଗା, ଲାଞ୍ଜିଗଡ଼,ମ.ରାମପୁର, କର୍ଲାମୁଣ୍ଡା ବ୍ଳକର ଅଣଜଳସେଚିତ ଜମିରେ ଚାଷ ପରିସ୍ଥିତି ଉଦବେଗ ଜନକ ରହିଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ଭଲ ବର୍ଷା ନହେଲେ ମରୁଡି ଆଶଙ୍କା ସହ ଅନେକ ଫସଲ ନଷ୍ଟ ହୋଇଯିବାର ଆଶଙ୍କା ଏବେ ଚାଷୀ ମନରେ ଉଙ୍କି ମାରୁଛି । ( କଳାହାଣ୍ଡିରୁ /ପ୍ରଦୀପ କୁମାର ଗଉଡଙ୍କ ରିପୋର୍ଟ)

Exit mobile version